
କଲମପୁର, ୧/୧୧ (ଗଣେଶରାମ ବାଗ) କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ନୂଆଗାଁ ପଞ୍ଚାୟତ ଅନ୍ତର୍ଗତ ଭାଲୁବୁଟ୍ରା ଗ୍ରାମ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ସ୍କୁଲ କୋଠା ନିର୍ମାଣ ଦାବୀ ନେଇ ଶୁକ୍ରବାର ଦିନ ଛାତ୍ରଛାତ୍ରୀ ଓ ଅଭିଭାବକ ସମୂହ ସ୍କୁଲ ବନ୍ଦ କରି ସ୍କୁଲ ସାମ୍ନାରେ ଧାରଣା ଦେଇଥିଲେ। ଗତ ୧୯୪୯ ମସିହାରେ ସ୍ଥାପିତ ସ୍କୁଲ ବର୍ତ୍ତମାନ ଅବ୍ୟବସ୍ଥା ଘେରରେ ଗତି କରୁଛି । ଏହି ସ୍କୁଲ ଉନ୍ନୀତ ହୋଇ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢା ଚାଲିଛି। ଚଳିତ ବର୍ଷ ୧୦୮ ଜଣ ଛାତ୍ରୀଛାତ୍ର ସ୍କୁଲରେ ଅଧ୍ୟୟନ କରୁଥିବା ବେଳେ ଏଭଳି ଅବ୍ୟବସ୍ଥା ହେତୁ ଅନେକ ଛାତ୍ରଛାତ୍ରୀ ସ୍କୁଲରୁ ମୁହଁ ଫେରାଇ ନେଇ ଅନ୍ୟ ସ୍କୁଲମାନଙ୍କରେ ପାଠ ପଢିବାକୁ ଯାଉଛନ୍ତି । ସ୍କୁଲ ଶ୍ରେଣୀ ପାଇଁ କେବଳ ଦୁଇ କୋଠା ବିଶିଷ୍ଟ ଏକ ଛାତ ଘର ନିର୍ମାଣ କରାଯାଇଥିବା ବେଳେ ଗୋଟିଏ କୋଠରୀରେ ଅଫିସ ଏବଂ ଅନ୍ୟ ଏକ କୋଠରୀରେ ପାଠପଢା ଚାଲିଛି। ଅନ୍ୟ ଏକ ସର୍ବ ପୁରାତନ ଖପର ଘର ବିପଦ ସଂକୁଳ ଅବସ୍ଥାରେ ରହିଛି । ତେଣୁ ଉକ୍ତ କୋଠରୀ ଭଗ୍ନାବସ୍ଥାରେ ରହିଥିବାରୁ କେବଳ ଗୋଟିଏ କୋଠରୀରେ ଆଠଟି ଶ୍ରେଣୀ ପାଠପଢ଼ା ଚାଳିବା ଦୁର୍ଭାଗ୍ୟଜନକ । ଯେଉଁ ସ୍କୁଲ କୋଠା ରହିଛି ତାହା ମହାଜନୀ ପ୍ଲଟରେ ରହିଥିବାରୁ ବିଭିନ୍ନ ସମସ୍ୟା ଉପୁଜୁଛି । ଏଣୁ ଗ୍ରାମବାସୀ ଗ୍ରାମରେ ଉପଯୁକ୍ତ ସ୍ଥାନରେ ଥିବା ସରକାରୀ ଜାଗା ୮୦ ଡିସିମିଲ ଯାଗାକୁ ସ୍କୁଲ ଏବଂ ଅଙ୍ଗନବାଡି କେନ୍ଦ୍ର କରାଯିବାକୁ ନିଷ୍ପତ୍ତି ନେଇଛନ୍ତି । ସେଠାରେ ସ୍କୁଲ ନିର୍ମାଣ କରାଯିବାକୁ ଦେଢ଼ ବର୍ଷ ତଳେ ମଧ୍ୟ ଏହି ସମାନ ଅଭିଯୋଗ ରଖି ଗ୍ରାମବାସୀ ଏବଂ ଛାତ୍ରୀଛାତ୍ର ଆନ୍ଦୋଳନକୁ ଓହ୍ଲାଇଥିଲେ । ସେହି ସମୟରେ ମଧ୍ୟ ବହୁତ ଶୀଘ୍ର ସେହି ନୂତନ ଜାଗାରେ ସ୍କୁଲ କୋଠା ନିର୍ମାଣ ପ୍ରତିଶୃତି ମିଳିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା । କିନ୍ତୁ ପରିତାପର ବିଷୟ ଦେଢ଼ ବର୍ଷ ବିତିଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନ ଥିବାରୁ ସ୍କୁଲ ଛାତ୍ରୀଛାତ୍ର, ଅଭିଭାବକ ଏବଂ ଗ୍ରାମବାସୀ ସମୂହ ସ୍କୁଲ ବନ୍ଦ କରି ଧାରଣା ଦେଇ ଆନ୍ଦୋଳନ କରିଥିଲେ । ଖବର ପାଇ କଲମପୁର ବିଡ଼ିଓ ବିଜୟ କୁମାର ମାଣ୍ଡାଙ୍ଗି, ସହକାରୀ ଯନ୍ତ୍ରୀ ସନ୍ତୋଷ କୁମାର ବେହେରା, ଏବିଇଓ ହେମନ୍ତ କୁମାର ପଣ୍ଡା, ସୁଶୀଲ କୁମାର ମୁଣ୍ଡ, କନିଷ୍ଠ ଯନ୍ତ୍ରୀ ସୁମନ୍ତ ଦଣ୍ଡପାଟ, ସରପଞ୍ଚ ସୁଶାନ୍ତ କୁମାର ମାଝୀ ପ୍ରମୁଖ ପହଞ୍ଚିଥିଲେ l ସ୍କୁଲ ପକ୍ଷରୁ ସିଆରସିସି ଶ୍ରୀରାମ ପଣ୍ଡା ଏବଂ ଶିକ୍ଷକ ସମୂହ ମଧ୍ୟ ଉପସ୍ଥିତ ଥିଲେ । ବିଡ଼ିଓ ଏବଂ ଏବିଇଓ କହିଥିଲେ ଯେ ସ୍କୁଲ ଏବଂ ଅଙ୍ଗନବାଡି କେନ୍ଦ୍ର ପାଇଁ ରହିଥିବା ଅନୁଦାନରୁ ନୂତନ ଜାଗାରେ ନିର୍ମାଣ କରାଯିବ ଏବଂ ଆସନ୍ତା ସୋମବାର ଦିନ ଲେଆଉଟ ଦେବାକୁ ବ୍ଲକ ପ୍ରଶାସନ ଆନ୍ଦୋଳନକାରୀ ମାନଙ୍କୁ ପ୍ରତିଶୃତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା । ଏହାପରେ ସମସ୍ତେ କୋଠାଗୂହ ନିର୍ମାଣ ହେବାକୁ ଥିବା ନୂତନ ଜାଗାକୁ ଯାଇ ଦେଖିଥିଲେ । ଗ୍ରାମବାସୀ ପକ୍ଷରୁ ସ୍କୁଲ ସଭାପତି ଦୁଃଶାସନ ଖରସେଲ, ଅଜିତ କୁମାର ମୁଣ୍ଡ, ସୋମେଶ୍ୱର ସେଠୀ, ସତ୍ୟ ନାରାୟଣ ସାହୁ, ଶଙ୍କର୍ଷଣ ସାହୁ, ଯୁଧିଷ୍ଠିର ପାନ, ହର ମାଝୀ, ଗଙ୍ଗା ଖରସେଲ, ହରିଶଙ୍କର ସାହୁ ସମେତ ଶତାଧିକ ଗ୍ରାମବାସୀ ସାମିଲ ରହିଥିଲେ ।