ସ୍ବାଧୀନତାର ୭୬ ବର୍ଷ ପରେ ବି ଲାଞ୍ଜିଗଡ଼ ବ୍ଲକର ୮୧ ଟି ଗାଁ ଅନ୍ଧାରରେ !

ଲାଞ୍ଜିଗଡ଼- ୧୨/୨ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳରେ ସ୍ୱାଧୀନତାର ୭୬ବର୍ଷ ପରେ ବି ବିକାଶର ବିକଳ ଚିତ୍ର ଦେଖିବାକୁ ମିଳିଛି। ଆଜିବି ଅଞ୍ଚଳକୁ ପହଞ୍ଚିନି ବିଜୁଳି ଆଲୁଅ। ୮୧ ଟି ଗ୍ରାମର ୨୫ ଶହ ପରିବାର ବର୍ଷ ବର୍ଷ ଧରି ବିଭିନ୍ନ ମୌଳିକ ଅଧିକାରରୁ ବଞ୍ଚିତ ରହିବା ସହ ଅନ୍ଧାରରେ କାଳାତିପାତ କରୁଛନ୍ତି। ସେମାନଙ୍କ ପାଇଁ ବିଜୁଳି ସାତ ସପନ। ସେଠାକାର ଲୋକେ ଭାଗ୍ୟକୁ ଆଦରି ପଡ଼ି ରହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଲାଞ୍ଜିଗଡ ବ୍ଲକ ଭଟାଙ୍ଗପଦର ପଞ୍ଚାୟତର ନକଟି ବିଜେପୁର, ଉପର ସିନ୍ଧାଖୁଟି, ମକାଗୁଡା, କୂଟଗୁମା, ବାଘନଖି, ବରାବାହିଲି, ମୁସଗୁଡା, ଜୁରକାଭଟା, ଅକରାସାଲ, ନାନ୍ଦକନା ରହିଥିବା ବେଳେ ଗୁଣ୍ଡରି ପଞ୍ଚାୟତର ମାଡ଼ିବନ୍ଧା,ବରଙ୍ଗ ପଦର,ଦାରବେଙ୍ଗ, ଯାକେସଲୁଣ୍ଡା,ଶୋଷ ପଦର, କାଚାଙ୍ଗଭଟା,କନ୍ଧ ଶୋଷପଦର ରହିଛି।ସେହିପରି ଭୁର୍ତ୍ତିଗଡ଼ ପଞ୍ଚାୟତର ପୁଜୁଗୁଡା, ଖମନପଡା,ମୁଣ୍ଡାବାହାଲ, କୋଟଡି, ଗାଈଚୁଆ, ସିଦ୍ଧିଗାଁ, କାଦମସ୍କା, ଜାନକିପଦର, ବାଲକେ, ସୋରଗାଁ ରହିଛି।ସେହିଭଳି ବେନଗାଁ ପଞ୍ଚାୟତର କାର୍ଲିଯୋଡି, କୋଟବଣ୍ଡେଲ, ଭିତର ଧଡେଲ,ନେତ୍ରୀ, ଲିଟିବୁଣ୍ଡେଲ,ବରାପାଲି, କୋକସୁର ରହିଛି।ତ୍ରିଲୋଚନପୁର ପଞ୍ଚାୟତ ଫୁଲଡୁମେର, ଖେମୁଣ୍ଡିପଦର, ଟିଡିଙ୍ଗଭଟା,ପାଲବେରୀ, କୁନ୍ନାକାଡୁ, ତାଡ଼ିଝୁଲା, ହରଡ଼ାଗୁଡା, ଆମଠା ପଦର,କାଶିବୁଣ୍ଡେଲ,ଲାଛିନିଗୁଡା,ଥୁଆପାଡି, ବିରସିଙ୍ଗେର ଆଦି ରହିଛି।ବିଜେପୁର ପଞ୍ଚାୟତ ର ଚା ଚା ଗାଁ, ପୋଡାପଦର,ସାଇମସ୍କା ରହିଛି।ସେହିପରି ମାଳିଯୁବାଙ୍ଗ ପଞ୍ଚାୟତର ଟୁରିସଏମେଲ,ସାଲପଦର ରହିଥିବା ବେଳେ ଲାଞ୍ଜି ପଞ୍ଚାୟତର ତୁର୍କା, ଡାହାଣିପଦର,ଉପର ନଙ୍ଗଲବାହିଲି, ତଲନଙ୍ଗଲ ବାହିଲି ରହିଛି। ବନ୍ଧପାରି ପଞ୍ଚାୟତର କାନକେରି,କାରକାମସ୍କା,କାଞ୍ଚନମୁଖୀ ରହିଥିବା ବେଳେ ଲାଞ୍ଜିଗଡ ପଞ୍ଚାୟତ ଜାମଚୁଆ,ଭଟାଝରି ଓ ଛତ୍ରପୁର ପଞ୍ଚାୟତର ବାରବୁଲି ଗାଁ ରହିଛି। ସେହିପରି କମର୍ଦ୍ଧା ପଞ୍ଚାୟତର ମଦାଙ୍ଗଦୋନି,ଅନାଜୋର,ଧାମନ ଖଟା ରହିଥିବା ବେଳେ କଦମଗୁଡା ପଞ୍ଚାୟତ ର ସିମେଲପଦର,ବରାବାହିଲି, କାଠସମା ଓ କାନକୁଟୁରୁ ପଞ୍ଚାୟତର ବାରଗୁଡା, ଦିଆଲବାହିଲି ରହିଛି। ବେଡାଗାଁ ପଞ୍ଚାୟତର ମନସ୍ତରା, ସର୍ଗିଲେପା, ତାଡ଼ିଝୁଲା, ଇସନାଲା, କୁମ୍ଭାରବାରୁ, ସୁରଦେହେଡା, ଖସିଗୁଡା ଗାଁ ରହିଥିବା ବେଳେ ଲାଖବାହିଲି ପଞ୍ଚାୟତର କାଦୋମାଳି ଗାଁ ରହିଛି। ଏଥିମଧ୍ୟରୁ ପ୍ରାୟ ୩୦ଟି ଗାଁରେ ସୌର ବିଦ୍ୟୁତକରଣ ହୋଇଥିବା ସରକାରୀ କାଗଜପତ୍ରରେ ଦର୍ଶାଯାଉଛି। କିନ୍ତୁ ଏହି ସବୁଗାଁର ସୋଲାର ଲାଇଟ୍ ଠିକ ଭାବରେ କାର୍ଯ୍ୟକାରୀ ହେଉନଥିବା ବେଳେ କେଉଁଠି ବ୍ୟାଟେରୀ ନାହିଁ ତ କେଉଁଠି ସୋଲାର ଚାର୍ଜ ମଧ୍ୟ ରହୁନାହିଁ। ବିଭିନ୍ନ ସ୍ଥାନରେ ସୋଲାର ଲାଇଟ୍ ଖରାପ ହେଲେ ମଧ୍ୟ ଏହାର ମରାମତି ପାଇଁ କୌଣସି ବ୍ୟବସ୍ଥା ନଥିବା ଯୋଗୁଁ ଏହି ସୋଲାର ବିଦ୍ଯୁତ୍ଵରଣ ଧର୍ମକୁ ଆଖିଠାର ସାଳିଛି।ବହୁ ଅଞ୍ଚଳରେ ନାମକୁ ମାତ୍ର ସୋଲାର ଲାଗିଛି। ସେହିପରି ୧୦ ଗୋଟି ଗ୍ରାମରେ ଟ୍ରାନ୍ସଫର୍ମର ବସିଥିବା ବେଳେ ତାର ମଧ୍ୟ ଟଣା ଯାଇଛି। କିନ୍ତୁ ବିଦ୍ୟୁତ ସଂଯୋଗ ହୋଇପାରିନାହିଁ। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ଗାଁକୁ ବିଜୁଳି ସଂଯୋଗ ନିମନ୍ତେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଛି। ହେଲେ ଏତେ ସବୁ ଯୋଜନା ସତ୍ତ୍ୱେ ଦୁର୍ଗମ ଅଞ୍ଚଳବାସୀଙ୍କୁ ବିଜୁଳି ମିଳିବା ସ୍ବପ୍ନ ପାଲଟିଛି। ଫଳରେ ଲୋକେ ଭାଗ୍ୟକୁ ଆଦରି ତିବିରି ଆଲୁଅରେ ଜୀବନ ଅତିବାହିତ କରୁଛନ୍ତି। ଏହି ଦୁର୍ଗମ ଅଞ୍ଚଳରେ କିରୋସିନୀ ମଧ୍ୟ ହିତାଧିକାରୀଙ୍କୁ ମିଳିବା କଷ୍ଟକର ହୋଇପଡୁଛି। ବର୍ଷା ଦିନେ ଏମାନଙ୍କ ଅବସ୍ଥା ଅତ୍ୟନ୍ତ ସଙ୍ଗୀନ ହୋଇପଡ଼େ। ବିଭିନ୍ନ ସ୍ଥାନକୁ ରାସ୍ତା ନଥିବାବେଳେ ରାତିରେ ଆଲୁଅ ନଥିବା ଯୋଗୁଁ ଅନ୍ଧାରରେ ନିଜର ଭିଟାମାଟିରେ ଭାଗ୍ୟକୁ ଆଦରି ପଡ଼ି ରହିଛନ୍ତି। ପ୍ରତି ୫ ବର୍ଷରେ ଥରେ ନିର୍ବାଚନ ଆସିଲେ ରାଜନେତା ମାନେ ବିଦ୍ୟୁତ ସଂଯୋଗ ପାଇଁ ମିଥ୍ୟା ପ୍ରତିଶ୍ରୁତି ଦେଇ ଭୋଟ ହାତଉଥିବା ବେଳେ ନିର୍ବାଚନ ସରିଲେ ସେମାନଙ୍କ କଥା ଭୁଲି ଯାଉଥାନ୍ତି।ନୂତନ ରାଜ୍ୟ ସରକାର ଲାଞ୍ଜିଗଡ ବ୍ଲକର ସମସ୍ତ ଦୁର୍ଗମ ଅଞ୍ଚଳରେ ବିଦ୍ୟୁତକରଣ ନିମନ୍ତେ ପଦକ୍ଷେପ ନେବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *