ହାତୀ ଶୁଣ୍ଢରେ ମହିଳାଙ୍କୁ ଟେକି କଚାଡି ଦେବାରୁ ଗୁରୁତର ଆହତ

ନର୍ଲା – ୨୬/୧୧ (ପ୍ରଦୀପ କୁମାର ଗଉଡ) କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ରୁପ୍ରା ବାଲିପଡା ରାସ୍ତା ପାର କରି ଗିଗିନା ପଞ୍ଚାୟତ ଅଧିନ ଡମପଦର ଅଞ୍ଚଳକୁ ପୁଣିଥରେ ଫେରିଛନ୍ତି। ଡମପଦର ଗ୍ରାମର ସ୍ୱର୍ଗତ ଦିଗାମ୍ୱର ନାଏକଙ୍କ ପତ୍ନୀ ପୂର୍ଣ୍ଣମୀ ବେୱା (୪୦ ବର୍ଷ) ସକାଳୁ ଶୌଚପାଇଁ ଯାଇଥିବା ବେଳେ ହାତୀପଲ ଭିତରୁ ଗୋଟିଏ ହାତୀ ହାବୁଡରେ ପଡିଥିଲେ। ସେହି ହାତୀ ପୂର୍ଣ୍ଣମୀଙ୍କୁ ଶୁଣ୍ଢରେ ଟେକି କଚାଡି ଦେବାରୁ ସେ ଗୁରୁତର ଆହତ ହୋଇ ପଡିରହିଥିଲେ। ଏ ସମ୍ପର୍କରେ ଗ୍ରାମବାସୀ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ମହିଳାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସକୁ ଫୋନ୍ କରିବାରୁ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ଆମ୍ୱୁଲାନ୍ସ୍ ପହଞ୍ଚି ଗୁରୁତର ପୂର୍ଣ୍ଣମୀଙ୍କୁ ଚିକିତ୍ସା ନିମନ୍ତେ କେସିଙ୍ଗା ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଇଛି। ଏ ସମ୍ପର୍କରେ ରୁପ୍ରାରୋଡ୍ ଫରେଷ୍ଟର୍ ଯଶୋବନ୍ତ ପାତ୍ର ଖବର ପାଇ ତୁରନ୍ତ କେସିଙ୍ଗା ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇ ଚିକିତ୍ସା ବ୍ୟବସ୍ଥା କରାଇଥିବା ଜଣାପଡିଛି। ସୂଚନାଯୋଗ୍ୟ ଗୁରୁତର ଆହତ ହୋଇଥିବା ପୂର୍ଣ୍ଣମୀଙ୍କ ସ୍ୱାମୀ ଦିଗାମ୍ୱର ଗତବର୍ଷ କିଡନୀ ରୋଗରେ ପ୍ରାଣ ହରାଇଥିବା ବେଳେ ବର୍ତ୍ତମାନ ତାଙ୍କର ତିନି ଝିଅ ମିଲି, ଝିଲି ଓ ଯାଜ୍ଞ ଦାଦନ ଖଟିବାକୁ ବାହାର ରାଜ୍ୟରେ ଥିବାବେଳେ ଘରେ ଦୁଇ ଛୋଟପୁଅ କରନ୍ ଓ କେସିପ୍ ରହିଛନ୍ତି। ଏପରି ସମୟରେ ଏହି ଘଟଣା ଘଟିଥିବାରୁ ଉକ୍ତ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ସେହିପରି ଉକ୍ତ ହାତୀପଲକୁ ଦୁଇମାସ ହେଲା ଜଗି ଜଗି ବିଭାଗୀୟ କର୍ମଚାରୀ ମାନେ ନୟାନ୍ତ ହେଲେଣି । ରୁପ୍ରାରୋଡ୍ ଫରେଷ୍ଟର୍ ଯଶୋବନ୍ତ ପାତ୍ର, ଗଜସାଥି ତଥା ସ୍କ୍ୱାର୍ଡ ହାତୀପଲ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ସେହିପରି ବନ ବିଭାଗ କର୍ମଚାରୀମାନଙ୍କ ସହିତ ସ୍ଥାନୀୟ ଚାଷୀମାନେ ଉପସ୍ଥିତ ରହି ନିଜର ଫସଲକୁ ଜଗି ରହୁଛନ୍ତି। ତେବେ ଆଗରୁ ହାତୀପଲ ଗାଁ ତଥା ଚାଷଜମି ମୁଁହା ହେଉନଥିବା ବେଳେ ପ୍ରାୟ ୭/୮ ବର୍ଷ ହେଲା ଲଗାତାର ଭାବରେ ହାତୀପଲଙ୍କ ଆଗମନ ରହୁଥିବାରୁ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଏଥିପ୍ରତି ସରକାର ହାତୀ କରିଡ଼ର ନିର୍ମାଣ ହାତୀ ଓ ଜନସାଧାରଣଙ୍କ ସୁରକ୍ଷା ଦିଗରେ ଦୃଷ୍ଟି ଦେବାକୁ ଦାବି ହେଉଛି।

Leave a Reply

Your email address will not be published. Required fields are marked *