ଭବାନୀପାଟଣା- ୧୩/୧୧ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅର୍ନ୍ତଗତ ଗମ୍ଭାରିଗୁଡ଼ା ପଞ୍ଚାୟତର ବଙ୍ଗୋମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ୧୯୫୮ ମସିହାରେ ସ୍ଥାପିତ ହୋଇଥିଲା ବେଳେ ବର୍ତ୍ତମାନ ଅବ୍ୟବସ୍ଥା ଘେରରେ ଚାଲିଛି। ଏହି ସର୍ବ ପୁରାତନ ସ୍କୁଲରେ ମାତ୍ର ୨ଟି ଶ୍ରେଣୀଗୃହ ଥିବାବେଳେ ଏଥିରେ ପ୍ରଥମରୁ ଅଷ୍ଟମ ଶ୍ରେଣୀର ସମୁଦାୟ ୯୪ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ଅନ୍ୟପକ୍ଷରେ ଏହି ପୁରାତନ ସ୍କୁଲର ଶ୍ରେଣୀଗୃହ ଅସୁରକ୍ଷିତ ଅବସ୍ଥାରେ ଥିଲାବେଳେ ଏଠାରେ ହିଁ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ ହେଉଛି ବୋଲି ପ୍ରଧାନ ଶିକ୍ଷକ ଅଲେଖ ଠାକୁର ପ୍ରକାଶ କରିଛନ୍ତି। ତେବେ ଏହି ଅସୁରକ୍ଷିତ ଶ୍ରେଣୀଗୃହରେ ପିଲାମାନେ ପାଠ ପଢ଼ିବା ସହିତ ଯିବା ଆସିବା କରୁଥିବାରୁ କେତେବେଳେ ଯେ ଅଘଟଣ ଘଟିପାରେ ବୋଲି ଅବିଭାବକମାନେ ଆଶଙ୍କା ପ୍ରକଟ କରିଛନ୍ତି। ତେଣୁ ଏହି ଅସୁରକ୍ଷିତ ଶ୍ରେଣୀଗୃହ ଭଙ୍ଗାଯାଇ ନୂତନ ଗୃହ ନିର୍ମାଣ ପାଇଁ ଅବିଭାବକମାନେ ଦାବି କରିଛନ୍ତି। ଏ ସମ୍ପର୍କରେ କୋକସରା ବିଇଓଙ୍କୁ ପଚାରିବାରୁ ବର୍ତ୍ତମାନ ନୂତନ ସ୍କୁଲ ନିର୍ମାଣ ପାଇଁ ଆମ ବିଭାଗ ନିକଟରେ କୌଣସି ଅନୁଦାନ ନାହିଁ। ବ୍ଲକ ପ୍ରଶାସନ କିମ୍ବା ଗ୍ରାମ ପଞ୍ଚାୟତ ପକ୍ଷରୁ ଅନୁଦାନ ମିଳିଲେ ନିର୍ମାଣ କାର୍ଯ୍ୟ ହୋଇପାରିବ ବୋଲି କହିଥିଲେ। ତେବେ ଜିଲ୍ଲା ପ୍ରଶାସନ ସହିତ ଏ ବିଷୟରେ ଆଲୋଚନା କରି ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ବିଇଓ ପ୍ରକାଶ କରିଛନ୍ତି।