
ଭବାନୀପାଟଣା – ତା ୧୩.୪ କଳାହାଣ୍ଡି ଜିଲ୍ଲାର ସାମ୍ବାଦିକ ମାନଙ୍କର ଏକ ଅଗ୍ରଣୀ ଅନୁଷ୍ଠାନ ଓଡିଶା ସାମ୍ବାଦିକ ସଂଘ କଳାହାଣ୍ଡି ଶାଖାର ସାଧାରଣ ବୈଠକ ଜିଲ୍ଲା ସଭାପତି ନିରୋଜ ପଟ୍ଟନାୟକଙ୍କ ସଭାପତିତ୍ୱରେ ଆଜି ରବିବାର ସ୍ଥାନୀୟ ସିନେ ପ୍ଲେକ୍ସ ସଭାଗୃହରେ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ଏହି ସଂଘର ସାଧାରଣ ସଂପାଦକ ତୁମେଶ୍ବର ସାହୁ ବାର୍ଷିକ ବିବରଣୀ ପଠନ ପରେ ସଂଘର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା। ସଂଘର ସମସ୍ତ କର୍ମଜୀବୀ ସାମ୍ବାଦିକଙ୍କ ସମସ୍ୟାଗୁଡ଼ିକ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଆଲୋଚନା କରାଯାଇଥିଲା। ଖବରଦାତାଙ୍କୁ ମାସିକ ଭର୍ତ୍ତା, ସ୍ୱାସ୍ଥ୍ୟ କାର୍ଡ, ଗୋପବନ୍ଧୁ ସ୍ୱାସ୍ଥ୍ୟ ଯୋଜନାରେ ସାମିଲ କରିବା ଆଦି ଦାବି ଉଲ୍ଲେଖ ରହିଥିଲା। ଆଗାମୀ ଦିନରେ ଜିଲ୍ଲାରେ ଏହି ସଙ୍ଘ ଏକ ନମ୍ବର କେମିତି ହେବ ସେଥିପାଇଁ ବିଭିନ୍ନ ବ୍ଲକରୁ ଆସିଥିବା ସାମ୍ବାଦିକ ମାନଙ୍କ ସହିତ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା। କିଛିଦିନ ମଧ୍ୟରେ ସଙ୍ଘର ବିଭିନ୍ନ ସମସ୍ୟା ଉପରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରାଯିବାକୁ ସ୍ଥିର ହୋଇଥିଲା। ଏହି ସଭାରେ ନୂତନ ସଭ୍ୟଙ୍କୁ ସାମିଲ କରାଯାଇଥିଲା। ଏହି ବୈଠକରେ ଉପ ସଭାପତି ମଧୁ ସିନ୍ଦୁର, ସନ୍ତୋଷ ପ୍ରଧାନ, କୋଷାଧ୍ୟକ୍ଷ ଅଭିରାମ ପ୍ରସାଦ ପଟ୍ଟନାୟକ, ଯୁଗ୍ମ ସମ୍ପାଦକ ବରଦା ପ୍ରସନ୍ନ ନାୟକ, ବିମଲ ଚନ୍ଦ୍ର ଶତପଥୀଙ୍କ ସମେତ ବହୁ ସାମ୍ବାଦିକ ଯୋଗ ଦେଇଥିଲେ। ଶେଷରେ ମଧୁ ସିନ୍ଦୁର ଧନ୍ୟବାଦ ଅର୍ପଣ କରିବା ପରେ ସଭା ସାଙ୍ଗ କରାଯାଇଥିଲା।