
ଭବାନୀପାଟଣା ୧୨/୦୯- କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ସ୍ଥିତ ବେଦାନ୍ତ ଲିମିଟେଡ ଅଧୀନରେ ଠିକା କାମ କରୁଥିବା ମହାବୀର କମ୍ପାନୀର ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏପରିକି ମହାବୀର ଓ ଶ୍ରୀରାମ କମ୍ପାନୀ ଦାୟିତ୍ୱରେ ଥିବା ତ୍ରିଲୋଚନ ମଲ୍ଲିକ ନାମକ ଜଣେ ବ୍ୟକ୍ତି ନିଜ କମ୍ପାନୀ କାମ ସମ୍ଭାଳିବା ବଦଳରେ ସ୍ଥାନୀୟ ବିସ୍ଥାପିତ ଅଞ୍ଚଳବାସୀଙ୍କ ଆଗରେ ଖୋଲାଖୋଲି ଗୁଣ୍ଡାଗର୍ଦ୍ଦି କରୁଥିବା ଅଭିଯୋଗ ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି। କିଛି ଦଲାଲ ଓ ଗୁଣ୍ଡା ଶ୍ରେଣୀର ଲୋକଙ୍କୁ ହାତ କରି ସେ ଅଞ୍ଚଳର ଗରିବ, ନିରୀହ ଆଦିବାସୀ ତଥା ଜନ ପ୍ରତିନିଧିମାନଙ୍କ ଉପରେ ଆତଙ୍କରାଜ ଚଳାଇଥିବା ବେଳେ ଏହାକୁ ଜୋରଦାର ବିରୋଧ କରିଛନ୍ତି ଅଞ୍ଚଳର ଆଦିବାସୀ, ବିସ୍ଥାପିତ ଲୋକେ ଓ ନିର୍ବାଚିତ ଜନ ପ୍ରତିନିଧି ବୣନ୍ଦ। ଏପରିକି ଆଜି ସକାଳ ୬ଟାରୁ ଶହଶହ ଲୋକେ ବେଦାନ୍ତ ଲିମିଟେଡ ମୁଖ୍ୟ ଫାଟକ ସାମ୍ନାରେ ରୁଣ୍ଡ ହୋଇ ମହାବୀର ଓ ଶ୍ରୀରାମ କମ୍ପାନୀ ତଥା ସେମାନଙ୍କ ମୁଖ୍ୟ କାର୍ପଟଦାର କୁହାଯାଉଥିବା ତ୍ରିଲୋଚନ ମଲ୍ଲିକ ବିରୋଧରେ ଜୋରଦାର ନାରାବାଜି କରିଥିଲେ। ଉତ୍ୟକ୍ତ ଲୋକେ ନାରାବାଜି କରିବା ସହିତ ବେଦାନ୍ତର ମୁଖ୍ୟ ଫାଟକକୁ ଅବରୋଧ କରି ରଖିବାରୁ ବେଦାନ୍ତ ଲିମିଟେଡ ମୁଖ୍ୟ ଫାଟକ ସାମ୍ନାରେ ଦୀର୍ଘ ସମୟ ଯାଏଁ ଅଚଳାବସ୍ଥା ଦେଖାଦେଇଥିଲା। ଦୀର୍ଘ ବର୍ଷ ଧରି ମହାବୀର କମ୍ପାନୀ ଓ ଶ୍ରୀରାମ କମ୍ପାନୀ ନାମରେ ଲାଞ୍ଜିଗଡ ବେଦାନ୍ତ କମ୍ପାନୀଠାରୁ ଠିକା କାର୍ଯ୍ୟ ଆଣି ଶ୍ରୀ ମଲ୍ଲିକ ଠିକା କାର୍ଯ୍ୟ କରୁଥିବା ବେଳେ ଲାଞ୍ଜିଗଡ ଅଞ୍ଚଳରେ ଥିବା ସ୍ଥାନୀୟ ଠିକାଦାର ମାନଙ୍କ ମଧ୍ୟରେ ଷଡ଼ଯନ୍ତ୍ର କରି ନିଜ ନିଜ ମଧ୍ୟରେ ଗଣ୍ଡଗୋଳ କରି ସେ ଅଶାନ୍ତିର ବାତାବରଣ ସୃଷ୍ଟି କରୁଥିବା ନେଇ ଲୋକେ ନାରାବାଜି କରିଥିଲେ। ଏହାପୂର୍ବରୁ ସେ ଲାଞ୍ଜିଗଡ ସରପଞ୍ଚ, ନାଏବ ସରପଞ୍ଚ, ୱାର୍ଡସଭ୍ୟଙ୍କୁ ଅଶ୍ଳୀଳ ଗାଳି ଗୁଲଜ କରିବା ଓ ଧମକ ଚମକ ଦେବା ଘଟଣାର ଭିଡିଓ ଭାଇରାଲ ହୋଇଥିଲା।