କେସିଙ୍ଗା- କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଚାଞ୍ଚେର ଓ ଉତ୍କେଳା ଗ୍ରାମ ପଞ୍ଚାୟତର ପୂର୍ବତନ ପିଇଓ ଲମ୍ବୁ ଶିଖା ପାଖାପାଖି ୧ କୋଟି ଟଙ୍କାର ଦୁର୍ନୀତି କରିଥିବା ନେଇ ଗତ ଜାନୁଆରୀ ମାସ ୨୭ ତାରିଖରେ କେସିଙ୍ଗା ବ୍ଲକରେ ଅନୁଷ୍ଠିତ ହୋଇଥିବା ଜିଲ୍ଲାପାଳଙ୍କ ଜନଶୁଣାଣୀ ଓ ଆଶୁ ସମାଧାନ ଶିବିରରେ ଜନୈକ ଗଣମାଧ୍ୟମ ପ୍ରତିନିଧି ଅଭିଯୋଗ କରିଥିଲେ। ଏହାର ତୁରନ୍ତ ସମାଧାନ ପାଇଁ ଜିଲ୍ଲାପାଳ ପାଓ୍ବାର ସଚିନ ପ୍ରକାଶ ଜିଲ୍ଲା ପଞ୍ଚାୟତ ଅଧିକାରୀ ନୃସିଂହ ଚରଣ ପଟ୍ଟନାୟକଙ୍କୁ ଦାୟିତ୍ବ ଦେଇଥିଲେ। ହେଲେ ଡିପିଓ ଶ୍ରୀ ପଟ୍ଟନାୟକ କି ପଦକ୍ଷେପ ନେଲେ ତାହା ଆଜିଯାଏ ଅନ୍ଧାର ଭିତରେ ରଖିଥିବାରୁ ତାଙ୍କ କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶ୍ରୀ ଶିଖାଙ୍କ ଦୁର୍ନୀତି ସମ୍ପର୍କରେ ଉତ୍କେଳା ପଞ୍ଚାୟତର ପୂର୍ବତନ ପିଇଓ ରୁଦ୍ରାକ୍ଷ ସ୍ବାଇଁଙ୍କ ଅଭିଯୋଗ ଅନୁସାରେ ବ୍ଲକ ଫାଇନାନ୍ସ ଅଫିସର ତଦନ୍ତ କରିବା ବେଳେ କ୍ୟାସ୍ ବୁକ୍ ଓ ପାସ୍ ବୁକ୍ ମଧ୍ୟରେ ତାଳମେଳ ନଥିଲା। ଉଦାହରଣ ସ୍ୱରୂପ ତା.୨୪. ୦୯.୨୦୨୪ ରିଖ ପଯ୍ୟନ୍ତ ୧୪ ଓ ୧୫ ତମ ସିଏଫସି ଅନୁଦାନର କ୍ୟାସ୍ ବୁକ୍ ରେ ୩୬ ଲକ୍ଷ ୭୭ ହଜାର ୬୭୧ ଟଙ୍କା ଦର୍ଶାଯାଇଥିଲା ବେଳେ ପାସ୍ ବୁକ୍ ରେ ମାତ୍ର ୪୧ ହଜାର ୧୯୬.୫୪ ଟଙ୍କା ରହିଥିଲା। ସେହିପରି ୪ର୍ଥ ଓ ୫ମ ଏସଏଫସି ଅନୁଦାନର କ୍ୟାସ୍ ବୁକ୍ ରେ ୪ ଲକ୍ଷ ୧୪ ହଜାର ୪୫୨ ଟଙ୍କା ଦର୍ଶାଯାଇଥିଲା ବେଳେ ପାସ୍ ବୁକ୍ ରେ ମାତ୍ର ରହିଛି ୨୪ ହଜାର ୮୧୭ ଟଙ୍କା। କିନ୍ତୁ ସିଏଫସି ଏବଂ ଏସଏଫସି ଗାଇଡ ଲାଇନ ଅନୁସାରେ ଶ୍ରମିକ ମାନଙ୍କୁ ପିଏଫଏମ୍ଏସ୍ ଅନଲାଇନ ମାଧ୍ୟମରେ ପ୍ରାପ୍ୟ ପ୍ରଦାନ ନକରି ପିଇଓ ଶ୍ରୀ ଶିଖା ଏବଂ ଉତ୍କେଳା ପଞ୍ଚାୟତର ସରପଞ୍ଚ ନରେନ୍ଦ୍ର ମାଝି ବିଭିନ୍ନ ଚେକ୍ ଯୋଗେ ବ୍ୟାଙ୍କରୁ ୭୦ ଲକ୍ଷ ୦୫ ହଜାର ୮୩୭ ଟଙ୍କା ଉଠାଣ କରିଥିବାରୁ ବ୍ୟାଙ୍କର ଜମା ସ୍ଥିତି କମିଯାଇଥିଲା ବୋଲି ପିଇଓ ଶ୍ରୀ ସ୍ବାଇଁଙ୍କ ରିପୋର୍ଟରୁ ପ୍ରକାଶ। ଏଭଳି ଅନିୟମିତତା ଯୋଗୁଁ ରାଜ୍ୟ ପଞ୍ଚାୟତ ବିଭାଗର ରୁଲ୍ ୧୪୧ ଅଫ୍ ଓଜିପି ଆକ୍ଟ ୧୯୬୪ ଉଲ୍ଲଂଘନ କରି ଶ୍ରୀ ଶିଖା ତାଙ୍କ ସ୍ଥାନରେ ନିଯୁକ୍ତି ପାଇଥିବା ପିଇଓଙ୍କୁ ଆଜିଯାଏ ସମ୍ପୂର୍ଣ୍ଣ ଦାୟିତ୍ବ ହସ୍ତାନ୍ତର କରିନଥିବା ତଦନ୍ତକାରୀ ଅଫିସରଙ୍କ ରିପୋର୍ଟରୁ ଜଣାପଡିଛି। ଏହିପରି ଉତ୍କେଳା ପଞ୍ଚାୟତର ପୂର୍ବତନ ପିଇଓ ଲମ୍ବୁ ଶିଖା ପଞ୍ଚାୟତ ପୋଖରୀରେ ମାଛଚାଷ ବାବଦ ଜଗଦମ୍ବା ଏସଏଚଜି ଠାରୁ ୧ ଲକ୍ଷ ୧୬ ହଜାର ୩୦୦ ଟଙ୍କା ନେଇ ଜାତୀୟ ବ୍ୟବସାୟିକ ବ୍ୟାଙ୍କ କିମ୍ବା ପୋଷ୍ଟ ଅଫିସରେ ଜମା ନକରି ନିଜ ପାଖରେ ରଖିବା, ପୂର୍ବ ବିଜେଡି ସରକାରଙ୍କ ଶାସନ କାଳରେ ସାଧାରଣ ନିର୍ବାଚନ ପୂର୍ବରୁ ପିଡିଏସ୍ ବାବଦ ଆସିଥିବା ଅର୍ଥ ମଧ୍ୟରୁ ୪୮ ହଜାର ଟଙ୍କା ନଫେରାଇବା, ୨୦୨୨-୨୩ ଆର୍ଥିକ ବର୍ଷରେ ଉତ୍କେଳା ବସ୍ ଷ୍ଟପ୍ ନିକଟରେ ନିର୍ମାଣ କରିଥିବା ଅମୃତ ଧାରା ପ୍ରକଳ୍ପର ଠିକାଦାରଙ୍କୁ ୨ ଲକ୍ଷ ୮୦ ହଜାର ଟଙ୍କା ନଦେବା ଆଦି ବିଭିନ୍ନ ଦୁର୍ନୀତି କରିଥିବା ପୂର୍ବତନ ପିଇଓ ଲମ୍ବୁ ଶିଖାଙ୍କ ବିରୋଧରେ ସ୍ପଷ୍ଟ ପ୍ରମାଣ ଥିଲେ ମଧ୍ୟ ଜିଲ୍ଲା ପ୍ରଶାସନିକ ଅଧିକାରୀମାନେ କେଉଁ ସ୍ବାର୍ଥରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ପଛଘୁଞ୍ଚା ଦେଉଛନ୍ତି, ଏହାକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି କରିଛି।