କେସିଙ୍ଗା ଜନସ୍ବାସ୍ଥ୍ୟ ବିଭାଗରେ କୋଟି କୋଟି ଟଙ୍କା ଦୁର୍ନୀତି ଅଭିଯୋଗର ଭିଜିଲାନ୍ସ ତଦନ୍ତ ଦାବି

କେସିଙ୍ଗା – 7/10 ସରକାର ହର ଘର ଜଳ ଯୋଗାଣ ଯୋଜନା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ପାଇପ୍ ଲାଇନ ଯୋଗେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରିଛନ୍ତି। କିନ୍ତୁ ଅସାଧୁ ଠିକାଦାର ଓ ଦୁର୍ନୀତିଖୋର ବିଭାଗୀୟ ଅଧିକାରୀ ଓ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଯୋଜନା ବାଟବଣା ହେବା ସହ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇ ମଧ୍ୟ ଲୋକେ ପାଣି ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ଚିତ୍ର ଦେଖିବାକୁ ମିଳୁଛି! ଏହିପରି ଅଭିଯୋଗ ଆସିଛି କଳାହାଣ୍ଡି ଜିଲ୍ଲା କେସିଙ୍ଗା ଏନ ଏ ସି ରେ, ୧୨ଗୋଟି ୱାର୍ଡକୁ ବିଶୁଦ୍ଧ ଜଳ ଯୋଗାଣ ପାଇଁ ତତ୍କାଳୀନ ବିଜେଡି ସରକାର ଏକ ମାଷ୍ଟରପ୍ଲାନ ତିଆରି କରି ପୁରୁଣା ପାଇପ୍ ଗୁଡିକୁ ବାହାର କରି ସହରର ପ୍ରତ୍ୟେକ ୱାର୍ଡରେ ନୂତନ ପାଇପ ଲାଇନ ସଂଯୋଗ କରାଯାଇଥିଲା। କେବଳ ବଗାଡ଼ ଓ ବୋରିଙ୍ଗପଦରକୁ ଛାଡି ଦେଇଥିଲେ। ତେବେ ପାଇପ ଲାଇନରେ ତ୍ରୁଟିଥିବା ଦର୍ଶାଇ ପୁଣି ପାଇପ ପୋତାଗଲା ଏପରିକି ମାଟି ଭିତରେ ୬ ରୁ ଅଧିକ ପାଇପ ପୋତା ଯାଇଥିବା ନେଇ ସାଧାରଣରେ ଆଲୋଚନା ହେଉଥିବା ଶୁଣିବାକୁ ମିଳୁଛି। ହେଲେ ପୁଣି ନୂତନ ପାଇପ ସଂଯୋଗ କାହା ସ୍ୱାର୍ଥରେ ପୋଡାଗଲା ବୋଲି ପ୍ରଶ୍ନ ଉଠିଛି। ବର୍ତ୍ତମାନ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ଜାନକୀ ନାଏକ ପୁରୁଣା ପାଇପ ଲାଇନ ବିଷୟରେ କିଛି ବୁଝି ପାରୁନାହାନ୍ତି ଏପରିକି କେଉଁ ପାଇପ ଲାଇନ ଯୋଗେ ଜଳ ଯୋଗାଣ ହେଉଛି ସେ କହି ପାରିନାହାନ୍ତି। ତେଣୁ ପୁଣି ଅନେକ ୱାର୍ଡରେ ନୂତନ ଭାବେ ପାଇପ ଲାଇନ ସଂଯୋଗ କରାଯିବା ଫଳରେ କେସିଙ୍ଗା ସହର ରାସ୍ତା ଘାଟ ଶୋଚନୀୟ ହୋଇପଡିଛି। କେସିଙ୍ଗା ଏନ ଏ ସି ଓ ଜନ ସ୍ୱାସ୍ଥ୍ୟ ବିଭାଗ ମଧ୍ୟରେ ସମନ୍ବୟର ଅଭାବ କାରଣରୁ ଲକ୍ଷ ଲକ୍ଷ ଟଙ୍କାରେ ନିର୍ମାଣ ହୋଇଥିବା ରାସ୍ତା ଶୋଚନୀୟ ହେବା ସହ ଖାଲଖମାରେ ପରିଣତ ହୋଇଛି। ଅନ୍ୟପକ୍ଷରେ ଜନ ସ୍ୱାସ୍ଥ୍ୟ ବିଭାଗ ଜାତୀୟ ରାଜପଥ ବିଭାଗର ବିନା ଅନୁମତିରେ ରାଜରାସ୍ତା ଏଣେତେଣେ ଖୋଳି ଦେବା ଏବଂ ଠିକାଦାରଙ୍କ ସହ ସଲାସୁତୁରା କରି ନିମ୍ନମାନର କାମକୁ ନେଇ କିଛି ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଉପରିସ୍ଥ ଅଧିକାରୀଙ୍କ ହସ୍ତକ୍ଷେପ ପରେ କାମରେ କିଛି ମାତ୍ରାରେ ସୁଧାର ଆସିଥିଲା।ହେଲେ ପାଇପ ଲାଇନ ଖୋଳି କି ପକେଇ ରଖିବା ଦ୍ୱାରା ଅନେକ ସମୟରେ ଦୁର୍ଘଟଣା ଘଟୁଥିବା ନେଇ ଲୋକେ ଅଭିଯୋଗ କଲେ, କେତେବେଳେ କାମ ବନ୍ଦ କରିଦେବା ଧମକ ଦେଉଥିବା ବେଳେ କେତେବେଳେ ଠିକାଦାର ଆମ କଥା ଶୁଣୁନାହାନ୍ତି ବୋଲି କନିଷ୍ଠ ଯନ୍ତ୍ରୀ ଶ୍ରୀମତୀ ନାଏକ ପ୍ରକାଶ କରିଛନ୍ତି। ଏଠାରେ ପ୍ରଶ୍ନ ଉଠୁଛି ଠିକାଦାର କୋଟି କୋଟି ଟଙ୍କା ନେଉଛନ୍ତି ଓ ଜେ ଇ ନିଜେ ବିଲ୍ କରୁଛନ୍ତି ହେଲେ ତାଙ୍କ ନିର୍ଦେଶ ଠିକାଦାର ମାନୁନାହାନ୍ତି ଏହା କନିଷ୍ଠ ଯନ୍ତ୍ରୀଙ୍କ ଡ୍ରାମା ନା ଉପରିସ୍ଥ ଅଧିକାରୀଙ୍କ ପ୍ରେସର ତାହା ତଦନ୍ତ ସାପେକ୍ଷ।ତେବେ କାର୍ଯ୍ୟରତ ବିଭାଗୀୟ ଉଚ୍ଚ ଅଧିକାରୀ ଓ କନିଷ୍ଠ ୟନ୍ତ୍ରୀ ବିନା ମାଷ୍ଟରପ୍ଲାନରେ ପାଇପ ଲାଇନ ସଂଯୋଗ କରୁଛନ୍ତି ବୋଲି ସାଧାରଣରେ ମତ ପ୍ରକାଶ ପାଇଥିବା ବେଳେ ଏହାର ଭିଜିଲାନ୍ସ ତଦନ୍ତ ହେଲେ ପାଇପ ଲାଇନ ପୋତାର ପ୍ରକୃତ ତଥ୍ୟ ଲୋକଙ୍କ ସାମ୍ନାକୁ ଆସିବ ବୋଲି ମତ ପ୍ରକାଶ ପାଇଛି! ତେବେ ଏନେଇ ଶ୍ରୀମତୀ ନାଏକଙ୍କ ପ୍ରତିକ୍ରିୟା ନେବା ପାଇଁ ଜନୈକ ଗଣମାଧ୍ୟମ ପ୍ରତିନିଧି ଚେଷ୍ଟା କରିଥିଲେ ହେଁ ସେ ଫୋନ ନ ଉଠାଇବାରୁ ତାଙ୍କର ପ୍ରତିକ୍ରିୟା ମିଳି ପାରିନଥିଲା।

Leave a Reply

Your email address will not be published. Required fields are marked *