ମ. ରାମପୁର ୨୮/୧୦ ମଦନପୁର ରାମପୁର ବ୍ଲକରେ ପଞ୍ଚାୟତ ସଂପ୍ରସାରଣ ଅଧିକାରୀ ଦୀର୍ଘଦିନ ହେଲା ଏହି ବ୍ଲକରେ କାର୍ଯ୍ୟ କରିଆସୁଥିବାରୁ ପଞ୍ଚାୟତଗୁଡିକର ବିକାଶରେ ବାଧକ ସାଜିଛନ୍ତି ବୋଲି ସରପଞ୍ଚମାନେ ଅଭିଯୋଗ କରିଛନ୍ତି। ସୂଚନାରୁ ପ୍ରକାଶ ଯେ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ କୁଳମଣି ସିଂ ରାୟ ନିଜ କାର୍ଯ୍ୟରେ ଅବହେଳା ତଥା ମନମୁଖୀ କାର୍ଯ୍ୟ ଯୋଗୁଁ ପଞ୍ଚାୟତ ଗୁଡିକରେ ବିକାଶରେ ବାଧା ସୃଷ୍ଟି ହୋଇଛି। ସେହିପରି ଦେଢ଼ଶୁଳି ପଞ୍ଚାୟତ ନିର୍ବାହୀ ଅଧିକାରୀ କାର୍ଯ୍ୟରେ ଅବହେଳା କରୁଥିଲେ ମଧ୍ୟ ଶ୍ରୀ ରାୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି। ଫଳରେ ବିଭିନ୍ନ ଯୋଜନାର ହିତାଧିକାରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଶ୍ରୀ ରାୟ ଦୀର୍ଘ ୭ ବର୍ଷ ହେଲା ଏଠାରେ କାର୍ଯ୍ୟ କରି ଆସୁଥିବା ବେଳେ ତାଙ୍କର କାହିଁକି ବଦଳି ହେଉନାହିଁ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।