
କେସିଙ୍ଗା-୯/୧୦ ସରକାର, ତ୍ରିସ୍ତରୀୟ ପଞ୍ଚଯାତ ପ୍ରତିନିଧି ଏବଂ ପ୍ରଶାସନିକ ଅଧିକାରୀ ମାନେ ବଦଳୁଛନ୍ତି, ହେଲେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ପଞ୍ଚାୟତର, ପାଷ୍ଟିକୁଡି ବସ୍ତି କୁଲିଆପଡା ରୁ ନାସିଗାଁକୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା ଦିନକୁ ଦିନ ଶୋଚନୀୟ ହୋଇପଡୁଛି। ରାସ୍ତାର ଶୋଚନୀୟ ଅବସ୍ଥା ଯୋଗୁଁ ବର୍ଷା ଋତୁରେ ଲୋକେ ଯାତାୟାତରେ ଘୋର ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ରୋଗୀମାନଙ୍କୁ ଡାକ୍ତରଖାନା ନେବା ଆଣିବାରେ ଅସୁବିଧା ଭୋଗ କରୁଛନ୍ତି। ପଚ୍ ପଚ୍ କାଦୁଅ ରାସ୍ତାରେ ଯାତାୟତ କରୁଛନ୍ତି ସ୍ଥାନୀୟ ବାସିନ୍ଦା । ବର୍ଷା ଦିନେ କଷ୍ଟେ ମଷ୍ଟେ ବାଇକ୍ ପାର ହେଉଥିବା ବେଳେ କାଦୁଅରେ ଗୋଡ ଭାସିଯାଉଛି। ସରକାର କହୁଛନ୍ତି ଏହା ଲୋକଙ୍କ ସରକାର, କିନ୍ତୁ ଲୋକଙ୍କ ଦ୍ବାରା ନିର୍ବାଚିତ ପ୍ରତିନିଧିମାନେ ଭୋଟ ପାଇ ସାରିଲା ପରେ ‘କାଶିଆ କିଏ ନା କପିଳା କିଏ’ ନୀତିରେ କ୍ଷମତା ଉପଭୋଗ କରିବା ସହିତ ପକେଟ ଗରମ କରିବାରେ ବ୍ୟସ୍ତ ରହୁଛନ୍ତି। ସେହିପରି ଜନତାଙ୍କ ସେବା ପାଇଁ ପ୍ରଶାସନିକ ଅଧିକାରୀ ମାନେ ମୋଟା ଅଙ୍କର ଦରମା ନେଉଥିଲେ ମଧ୍ୟ ଲୋକଙ୍କ କଥା ଶୁଣୁ ନାହାନ୍ତି ଓଲଟା ହେୟଜ୍ଞାନ ମନେ କରୁଛନ୍ତି। ଏବିଷୟରେ ଜଣେ ଗଣମାଧ୍ୟମ ପ୍ରତିନିଧି ସରପଞ୍ଚଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲେ ହେଁ ଉକ୍ତ ସରପଞ୍ଚ ଫୋନ ଉଠାଇନଥିଲେ। ଏଥିପ୍ରତି ରାଜ୍ୟ ସରକାର ଦୣଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।