
କର୍ଲାମୁଣ୍ଡା-୮/୧୧ ପିଡବ୍ଲଡି ବିଭାଗ ପକ୍ଷରୁ କର୍ଲାମୁଣ୍ଡା – ରିଷିଡା ରାସ୍ତା କାମ ପୁନଃରୁଦ୍ଧାର କାମ ଗତ କିଛିମାସ ହେଲା ଆରମ୍ଭ ହୋଇଛି। ବର୍ତ୍ତମାନ କର୍ଲାମୁଣ୍ଡା ଠାରୁ ଗଜବାହାଲ ରାସ୍ତା କାମ ଚାଲିଛି। ଏହି ରାସ୍ତା ଉପରେ ପ୍ରଥମେ ଛୋଟ ଗେଟି ବିଛାଇବା ପରେ ତା ଉପରେ କ୍ରସର ଗୁଣ୍ଡ ପକାଯାଇଛି। କିନ୍ତୁ ଏହି ରାସ୍ତା ଉପରେ ନିୟମିତ ଜଳ ସିଞ୍ଚନ କରାଯାଉନଥିବାରୁ ଯାନବାହାନ ଯାତାୟାତ ସମୟରେ ଧୂଳି ଉଡି କୁତ୍ରିମ କୁହୁଡି ଭଳି ଭ୍ରମ ସୃଷ୍ଟି କରୁଛି। ଫଳରେ ଯାନବାହାନଗୁଡିକ ଅନେକ ସମୟରେ ଦୁର୍ଘଟଣାର ସମ୍ମୁଖିନ ହେଉଛନ୍ତି। ଏପରିକି ପାଦଚଲା ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନ୍ୟପକ୍ଷେ ଯାନବାହାନ ଯାତାୟାତ ସମୟରେ ରାସ୍ତାରୁ ଗେଟିଗୁଡିକ ଉଠି ପାଦଚଲା ଯାତ୍ରୀଙ୍କ ଉପରେ ଛିଟିକି ପଡୁଛି। ଅପରପକ୍ଷରେ ରାସ୍ତା ପାର୍ଶ୍ବରେ ଥିବା ଘରଗୁଡିକ ଉପରେ କ୍ରସର ଧୂଳି ଜମି ଯାଉଛି। ଏହି ରାସ୍ତା ଉପରେ କର୍ଲାମୁଣ୍ଡା, ରିଷିଡା, ତେରେସିଂହା ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ମାନେ ଯାତାୟାତ ପାଇଁ ନିର୍ଭର କରୁଥିବା ବେଳେ ଦୂରଦୂରାନ୍ତ ସ୍ଥାନକୁ ବହୁ ବସ୍ ଗମନାଗମନ କରିଥାଏ। ତେଣୁ ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ପିଚୁ କାମ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।