ଜନ ପ୍ରତିନିଧି ଓ ପ୍ରଶାସନର ବୈମାତୃକ ମନୋଭାବ ଯୋଗୁଁ ମାଣ୍ଡିଆବିରୀବାସୀ ମୌଳିକ ସୁବିଧାରୁ ବଞ୍ଚିତ

ଭବାନୀପାଟଣା ତା: ୫/୧୦ କଳାହାଣ୍ଡି ଜିଲ୍ଲା ସଦର ବ୍ଳକ ଅନ୍ତର୍ଗତ ଯୁଗସାଏପାଟଣା ଗ୍ରାମ ପଞ୍ଚାୟତର ମାଣ୍ଡିଆବିରୀ ଗ୍ରାମବାସୀ ସ୍ବାଧୀନତାର ୭୮ ବର୍ଷ ପରେ ବି ମୌଳିକ ସୁବିଧାରୁ ବଞ୍ଚିତ ହୋଇ କାଳାତିପାତ କରୁଥିବା ଦେଖିବାକୁ ମିଳିଛି । ଯୁଗସାଏପାଟଣା ଗ୍ରାମ ପଞ୍ଚାୟତରୁ ମାଣ୍ଡିଆବିରୀ ଗ୍ରାମ ପର୍ଯ୍ୟନ୍ତ ସବୁଦିନିଆ ପକ୍କା ରାସ୍ତା ଖଣ୍ଡିଏ ନ ଥିବାରୁ ସେଠାର ଲୋକେ ଶିକ୍ଷା, ସ୍ଵାସ୍ଥ୍ୟ ଓ ଯୋଗାଯୋଗ ଭଳି ଗୁରୁତ୍ତ୍ୱପୂର୍ଣ୍ଣ ନ୍ୟାର୍ଯ୍ୟ ଅଧିକାରରୁ ବଞ୍ଚିତ ହେଉଛନ୍ତି ବୋଲି ଗ୍ରାମବାସୀ ଗୁରୁତର ଅଭିଯୋଗ କରିଛନ୍ତି ।‌ ଜିଲ୍ଲା ମୂଖ୍ୟାଳୟରୁ ମାତ୍ର ୨୫/୩୦ କିମି ଦୂରତା ବିଶିଷ୍ଟ ଏହି ପଞ୍ଚାୟତ ଅନେକ ସମୟରେ ବିଭିନ୍ନ ସମସ୍ୟାକୁ ନେଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥାଏ ।‌ ଜନପ୍ରତିନିଧି ମାନେ ନିର୍ବାଚନ ବେଳେ ମିଠା ମିଠା ପ୍ରତିଶୃତି ଦେଇ ଭୋଟ ପାଇସାରିଲା ପରେ ଧରାଛୁଆଁ ଦିଅନ୍ତି ନାହିଁ। ଏପରିକି ବ୍ଳକ ପ୍ରଶାସନର ଅଧିକାରୀମାନେ ମଧ୍ୟ କାଁଭାଁ ପଞ୍ଚାୟତ ପରିଦର୍ଶନରେ ଆସି ଏହି ଗାଆଁକୁ ଆସନ୍ତି ନାହିଁ। ଲୋକେ ବର୍ଷା ଦିନେ ଏକପ୍ରକାର ଯୁଗସାଏପାଟଣା ରୁ ବିଚ୍ଛିନ୍ନ ହୋଇ ଦିନ କାଟିଥାନ୍ତି। ଶିକ୍ଷା, ସ୍ଵାସ୍ଥ୍ୟ ଭଳି ବିଜୁଳି ଆଲୁଅ ମଧ୍ୟ ତାଙ୍କ ପାଇଁ ଦିବାସ୍ଵପ୍ନ ପାଲଟିଛି। ଗର୍ଭବତୀ ମହିଳାଙ୍କ ପାଇଁ ଅତି ସାଂଘାତିକ ଅବସ୍ଥାରେ ଗାଁ କୁ ଆମ୍ବୁଲାନ୍ସ ମଧ୍ୟ ଆସିବା କଷ୍ଟକର ହୋଇପଡେ। ଫଳରେ ଖଟିଆରେ ବୋହି ରୋଗୀଙ୍କୁ ମୁଖ୍ୟରାସ୍ତା ଯାଏଁ ଆଣିବାକୁ ପଡ଼ିଥାଏ। ବେଳେବେଳେ ଗୁରୁତର ରୋଗୀ ମୁଖ୍ୟରାସ୍ତାକୁ ପହଞ୍ଚିବା ପୂର୍ବରୁ ହିଁ ପ୍ରାଣବାୟୁ ଉଡ଼ିଯାଏ ବୋଲି ଗ୍ରାମବାସୀମାନେ କ୍ଷୋଭ ପ୍ରକାଶ କରି କହିଛନ୍ତି ।‌ ପୂର୍ବତନ ବିଜେଡ଼ି ସରକାର ଦୀର୍ଘ ୨୫ ବର୍ଷ କ୍ରମାଗତ ଶାସନ କଲାପରେ ମଧ୍ୟ ପ୍ରଶାସନ ଓ ଜନପ୍ରତିନିଧି ମାନେ କିପରି ଏଭଳି ଅବ୍ୟବସ୍ଥାକୁ ଦେଖି ପାରିଲେ ନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ବର୍ତ୍ତମାନ ଡବଲ୍ ଇଞ୍ଜିନ୍ ସରକାରଙ୍କ ଅମଳରେ ବିକାଶ ଦ୍ଵିଗୁଣିତ ହେବ ବୋଲି ସରକାର ଡିଣ୍ଡିମ ପିଟୁଥିବା ବେଳେ ସରକାରଙ୍କ ଏହି ବାହାସ୍ଫୋଟ କେବେ ସତରେ ପରିଣତ ହେବ ଓ ମାଣ୍ଡିଆବିରୀ ଗ୍ରାମବାସୀଙ୍କ ଦୁଃଖ ଦୂର ହେବ ତାହା ଦେଖିବାକୁ ବାକି ରହିଲା ବୋଲି ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *