
କେସିଙ୍ଗା ତା ୧୪.୧୦ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକର ବାଲସି ସ୍ଥିତ ଜବାହାର ଉଚ୍ଚ ବିଦ୍ୟାପୀଠ ବାଲସି (କ) ର ପୂର୍ବତନ ପ୍ରଧାନ ଶିକ୍ଷକ ବଂଶୀଧର ରାଉତଙ୍କୁ ସ୍କୁଲ ପରିଚାଳନା କମିଟୀ ଯୋଗଦାନ କରାଇ ନଦେବାରୁ ନିରାଶ ହୋଇ ଫେରି ଯାଇଛନ୍ତି। ସ୍କୁଲ ପରିଚାଳନା କମିଟୀ ସଭାପତି ଗୋପାଳ ସାହୁଙ୍କ ନେତୃତ୍ବରେ ଆଜି ସୋମବାର ଏକ ଗଣଧାରଣା ଦିଆଯାଇଛି। ଉକ୍ତ ବିଦ୍ୟାପୀଠର ପୂର୍ବତନ ପ୍ରଧାନ ଶିକ୍ଷକ ବଂଶୀଧର ରାଉତଙ୍କୁ ଏହି ବ୍ଲକର କନ୍ତେଶିର ଗ୍ରାମର କପିଳେଶ୍ୱର ହାଇସ୍କୁଲରୁ ଜବାହର ଉଚ୍ଚ ବିଦ୍ୟାପୀଠ, ବାଲସି କୁ ଆଣିବା ପାଇଁ ଜିଲ୍ଲାପାଳ, କଳାହାଣ୍ଡିଙ୍କ ଚିଠି ସଂଖ୍ୟା ୬୩୮୯/ ୭.୧୦.୨୪ ଆଦେଶ ଦେଇଥିଲେ। ଆଜି ସୋମବାର ପ୍ରଧାନ ଶିକ୍ଷକ ଶ୍ରୀ ରାଉତ ଉକ୍ତ ପଦ୍ୟାପୀଠକୁ ଯୋଗଦାନ କରିବାକୁ ଆସିଥିଲେ। ତେବେ ସ୍କୁଲ ପରିଚାଳନା କମିଟୀ ସଭାପତିଙ୍କ ନେତୃତ୍ୱରେ ଗ୍ରାମବାସୀ ସ୍କୁଲ ଗେଟରେ ତାଲା ମାରି ବିଦ୍ୟାଳୟ ସମ୍ମୁଖରେ ଗଣଧାରଣାରେ ଅନିର୍ଦ୍ଦିଷ୍ଟ କାଳ ଯାଏ ବସିଥିବାରୁ ସେ ନିରାଶ ହୋଇ ଫେରିଯାଇଛନ୍ତି। ଉଲ୍ଲେଖଯୋଗ୍ୟ ଗତ ତିନିବର୍ଷ ତଳେ ଜିଲ୍ଲା ଶିକ୍ଷା ଅଧିକାରୀ, କଳାହାଣ୍ଡି ତାଙ୍କୁ କନ୍ତେଶିର ହାଇସ୍କୁଲକୁ ବଦଳି କରିଥିଲେ । କିନ୍ତୁ ଜିଲ୍ଲାପାଳଙ୍କ ଆଦେଶକୁ ସ୍କୁଲ ପରିଚାଳନା କମିଟୀ ନ ମାନି ପୂର୍ବତନ ପ୍ରଧାନ ଶିକ୍ଷକଙ୍କୁ ଫେରାଇ ଦେଇ ଅନିର୍ଦ୍ଦିଷ୍ଟ କାଳ ପାଇଁ ଗେଟରେ ତାଲା ପକାଇ ଗଣଧାରଣା ଦେଇଛନ୍ତି।
ଏ ବିଷୟରେ ସ୍କୁଲ ପରିଚାଳନା କମିଟି ସଭାପତି ଗୋପାଳ ସାହୁଙ୍କୁ ପଚାରିବାରୁ ପୂର୍ବତନ ପ୍ରଧାନ ଶିକ୍ଷକ ଦୁର୍ନୀତି କରୁଥିଲେ ବୋଲି ପ୍ରକାଶ କରିଥିଲେ। ତେବେ ଏ ସମ୍ପର୍କରେ ପୂର୍ବତନ ପ୍ରଧାନ ଶିକ୍ଷକ ବଂଶୀଧର ରାଉତଙ୍କୁ ପଚାରିବାରୁ ମୁଁ କୌଣସି ଦୁର୍ନୀତି କରିନାହିଁ। ମୋତେ କନ୍ତେଶିର ହାଇସ୍କୁଲ କୁ ଡେପୁଟେସନରେ ପଠାଯାଇଥିଲା। ତାକୁ ବାତିଲ କରି ପୁଣି ମୋତେ ଏହି ସ୍କୁଲରେ ଯୋଗଦାନ କରିବା ପାଇଁ ଜିଲ୍ଲାପାଳ ଆଦେଶ ଦେଇଛନ୍ତି। ଶିକ୍ଷା କମିଟି ସଭାପତି ତାକୁ ଗ୍ରହଣ ନ କରି ତାଲା ପକାଇ ସ୍କୁଲକୁ ବନ୍ଦ ରଖିଛନ୍ତି। ଏନେଇ ଇନ୍ ଚାର୍ଜ ପ୍ରଧାନ ଶିକ୍ଷକ ଉମେଶ ଚନ୍ଦ୍ର ସାହୁଙ୍କୁ ପଚାରିବାରୁ ମୋତେ ଶିକ୍ଷା କମିଟୀ ତାଲା ଖୋଲିବା ପାଇଁ ମନା କରି ଲିଖିତ ଭାବେ ଦେଇଛନ୍ତି ବୋଲି ପ୍ରକାଶ କରିଥିଲେ।