ଛୁଟି ପରେ ଖୋଲିଲା ସ୍କୁଲ, କିନ୍ତୁ ବାଲିସ(କ) ସ୍କୁଲ ଗେଟ୍ ସମ୍ମୁଖରେ ଗଣଧାରଣା ଯୋଗୁଁ ରାସ୍ତା ଉପରେ ବସିଲେ ଛାତ୍ରଛାତ୍ରୀ

କେସିଙ୍ଗା ତା ୧୮.୧୦ (ତୁମେଶ୍ୱର ସାହୁଙ୍କ ରିପୋର୍ଟ ) କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ବାଲସି ସ୍ଥିତ
ଜବାହାର ଉଚ୍ଚ ବିଦ୍ୟାପୀଠ ବାଲସି (କ) ର ପୂର୍ବତନ ପ୍ରଧାନ ଶିକ୍ଷକ ବଂଶୀଧର ରାଉତଙ୍କୁ ସ୍କୁଲ ପରିଚାଳନା କମିଟୀ ଯୋଗଦାନ କରାଇଦେବୁ ନାହିଁ ବୋଲି ଜିଦ୍ ଧରି ଦୀର୍ଘ ୫ ଦିନ ହେଲା ସ୍କୁଲ ଗେଟରେ ତାଲା ମାରି ଗଣଧାରଣାରେ ବସିଛନ୍ତି। ଦଶହରା ଛୁଟି ଥିବାରୁ ଆଜି ଶୁକ୍ରବାର ସ୍କୁଲସବୁ ଖୋଲିଛି। କିନ୍ତୁ ଏହି ସ୍କୁଲରେ ଗଣଧାରଣାକୁ କମିଟୀ ଜାରି ରଖିଥିବାରୁ ଆଜି ଛାତ୍ରୀଛାତ୍ରମାନେ ସ୍କୁଲର ମୁଖ୍ୟ ରାସ୍ତାରେ ବସି ରହିଥିବା ଦେଖିବାକୁ ମିଳିଥିଲା। ଜିଲ୍ଲପାଳ ନିର୍ଦ୍ଦେଶ କ୍ରମେ ସ୍ଥାନୀୟ ତହସିଲଦାର ପ୍ରଶାନ୍ତି ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ପ୍ରଥମେ ପିଲାଙ୍କୁ ଛୁଟି କରି ଦେଇଥିଲେ। କମିଟୀ ଧାରଣାରୁ ଓହରି ଯିବା ପାଇଁ ପ୍ରଶାସନ ପକ୍ଷରୁ ବହୁ ଆଲୋଚନା କରାଯାଇଥିଲା। କିନ୍ତୁ କିଛି ସୁଫଳ ମିଳିଲା ନାହିଁ। ଚଳିତ ମାସ ୨୪ ଓ ୨୫ ତାରିଖରେ ଷାଢ୍ମାସିକ ପରୀକ୍ଷା ରହିଛି। କେସିଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀ ଆନନ୍ଦ କୁମାର ବେହେରା, ଆଇଆଇସି ପ୍ରଦ୍ୟୁମ୍ନ କୁମାର ମହାପାତ୍ର ମଧ୍ୟ ସ୍କୁଲ ପରିଚାଳନା କମିଟୀ ସହିତ ଆଲୋଚନା କରିଥିଲେ। କିନ୍ତୁ ପୂର୍ବତନ ପ୍ରଧାନ ଶିକ୍ଷକଙ୍କୁ ସ୍କୁଲରେ ଯୋଗଦାନ କରାଇଦେବୁ ନାହିଁ ବୋଲି ଜିଦ୍ କରିବା ସହିତ ଆମକୁ ଲିଖିତ ପ୍ରତିଶ୍ରୁତି ଦିଅ ଯେ ସେ ଏଠାରେ ଯୋଗଦାନ କରିବେ ନାହିଁ ବୋଲି ତହସିଲଦାର ଓ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ନିକଟରେ ଦାବି କରିଥିଲେ। ତେବେ ଆସନ୍ତାକାଲି ଜିଲ୍ଲାପାଳଙ୍କ ସହିତ ଆଲେଚନା କରି ନିଷ୍ପତ୍ତି ନିଆଯିବ ବୋଲି ବିଇଓ ଶ୍ରୀ ବେହେରା ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *