କୋକସରା- ୯/୧୧ କୋକସରା ବ୍ଲକର ୨୨ ପଞ୍ଚାୟତକୁ ମରୁଡି ଘୋଷଣା ଦାବିରେ ଗତକାଲି କୃଷକ ସଚେତନ ମଞ୍ଚ ପକ୍ଷରୁ କୋକସରା ତହସିଲ କାର୍ଯ୍ୟାଳୟକୁ ଘେରାଉ କରିଥିଲେ। କୃଷକ ସଚେତନ ମଞ୍ଚର ସଭାପତି ଶିବ ପ୍ରସାଦ ପ୍ରଧାନୀଙ୍କ ନେତୃତ୍ୱରେ ଅଞ୍ଚଳର ଶତାଧିକ ଚାଷୀ ସ୍ଥାନୀୟ ଜଗନ୍ନାଥ ମନ୍ଦିରରୁ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ପରେ ତହସିଲ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଏହାପରେ ଏକ ସଭା କରି ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ କରି ତହସିଲଦାରଙ୍କୁ ଏକ ଦାବିପତ୍ର ଦେଇଥିଲେ। ଏହି ଦାବିପତ୍ରରେ ବ୍ଲକର ୨୨ ଟି ପଞ୍ଚାୟତକୁ ମରୁଡି ଘୋଷଣା କରିବା, ଜଳକର ଓ ଖଜଣା ଛାଡ଼ କରିବା, ସମସ୍ତ କୃଷିଋଣ ଛାଡ କରିବା, ପ୍ରତି କୃଷକଙ୍କୁ ବିନା ସୁଧରେ ୫ ଲକ୍ଷ ଋଣ ଯୋଗାଇଦେବା, ସମସ୍ତ ଚାଷୀଙ୍କୁ ଶସ୍ୟ ବୀମା ପ୍ରଦାନ, ଅକାମୀ ହୋଇପଡ଼ିଥିବା କ୍ଷୁଦ୍ର ଜଳସେଚନ ପ୍ରକଳ୍ପଗୁଡିକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା, ମେଗାଲିଫ୍ଟ ପଏଣ୍ଟ ଗୁଡ଼ିକୁ ପୁନଃ ଉପଯୁକ୍ତ ସ୍ଥାନରେ ସ୍ଥାପିତ କରି ମେଗାଲିଫ୍ଟ କେନାଲ ସହିତ ସଂଯୋଗ କରିବା ଆଦି ଦାବି ଉଲ୍ଲେଖ ରହିଛି। ଏହି ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତହସିଲଦାର କିଶୋର ପାଢ଼ୀଙ୍କୁ ପ୍ରଦାନ କରାଯାଇଥିଲା।