କେସିଙ୍ଗା- କେସିଙ୍ଗା ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ଏବେ ଭିନ୍ନ ମୋଡ଼ ନେଇଛି। ଅଧ୍ୟକ୍ଷଙ୍କ ବିରୋଧରେ ପ୍ରଥମେ ଗତ ୧ ତାରିଖ ଦିନ ଭୋଟିଂ ହେବାକୁ ଥିବାବେଳେ ପ୍ରିଜାଇଡିଂ ଅଫିସର ଅତିରିକ୍ତ ଉପ ଜିଲ୍ଲାପାଳ ଜୟଦେବ ଦାସ କୈାଣସି କାରଣରୁ ଅନୁପସ୍ଥିତ ରହିବାରୁ ସେଦିନ ଭୋଟିଂ ସ୍ଥଗିତ ରହିଥିଲା। ତେବେ ଅନାସ୍ଥା ପ୍ରସ୍ତାବ ସପକ୍ଷବାଦୀ ଅଜ୍ଞାତବାସରେ ଥିବାବେଳେ ସେଦିନ ଭୋଟିଂରେ ଭାଗ ନେବାକୁ ନର୍ଲା ବିଧାୟିକାଙ୍କୁ ମିଶାଇ ୩୬ ଜଣ ଆସିଥିଲେ। କିନ୍ତୁ ଅନାସ୍ଥା ପ୍ରସ୍ତାବ ସପକ୍ଷବାଦୀଙ୍କ ୩୭ ଜଣ ସଭ୍ୟ/ସଭ୍ୟାଙ୍କ ଆବଶ୍ୟକ ଥିବାବେଳେ ସେଦିନ ୩୬ ଜଣ ଉପସ୍ଥିତ ରହିବା ସହ ପରେ ତାଙ୍କ ସହିତ କଳାହାଣ୍ଡି ସାଂସଦ ଯୋଗ ଦେଇଥାନ୍ତେ ବୋଲି ସପକ୍ଷବାଦୀ ଶିବିର ପକ୍ଷରୁ ପ୍ରକାଶ। ଏହା ମଧ୍ୟରେ ସପକ୍ଷବାଦୀଙ୍କ ଶିବିରରୁ କଶୃପଡା ସରପଞ୍ଚ ଅନାସ୍ଥା ପ୍ରସ୍ତାବ ଭୋଟିଂ ଦ୍ବାରା ପଦଚ୍ୟୁତ ହୋଇଛନ୍ତି। ତେବେ ଆଉ ଜଣେ ଉତ୍କେଳା ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଭୋଟିଂ ହୋଇ ମଧ୍ୟ ମାନ୍ୟବର ହାଇକୋର୍ଟ ଆଦେଶନାମା ଅନୁସାରେ ଆଜି ଭୋଟ ଫଳାଫଳ ସ୍ଥଗିତ ରହିଛି। ତେଣୁ ଉତ୍କେଳା ସରପଞ୍ଚ ଆସନ୍ତା ୧୮ ତାରିଖରେ ଅଧ୍ୟକ୍ଷଙ୍କ ବିରୋଧରେ ହେବାକୁ ଥିବା ଅନାସ୍ଥା ପ୍ରସ୍ତାବରେ ଭୋଟିଂରେ ଭାଗ ନେଇପାରିବେ ବୋଲି ଓଡିଶା ପଞ୍ଚାୟତିରାଜ ଆଇନ ଅନୁସାରେ ପ୍ରକାଶ। ଉତ୍କେଳା ଗ୍ରାମ ପଞ୍ଚାୟତରେ ୧୩ ଟି ଓ୍ବାର୍ଡ ଥିବାବେଳେ ସରପଞ୍ଚ ନରେନ୍ଦ୍ର ମାଝୀଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ସପକ୍ଷବାଦୀ ୧୨ ଜଣ ଓ୍ବାର୍ଡ ମେମ୍ବର ଭୋଟିଂ ଲାଗି ପଞ୍ଚାୟତ କାର୍ଯ୍ୟାଳୟରେ ଉପସ୍ଥିତ ଥିବାବେଳେ ସରପଞ୍ଚ ଓ ଆଉ ଜଣେ ଓ୍ବାର୍ଡ ମେମ୍ବର ଅନୁପସ୍ଥିତ ରହିଥିଲେ। ତେଣୁ ଏକ ଅସମର୍ଥିତ ସୂତ୍ର ଅନୁସାରେ ଫଳାଫଳ ଘୋଷଣା ହେଲେ ବର୍ତ୍ତମାନର ସରପଞ୍ଚ ଶ୍ରୀ ମାଝୀ ପଦଚ୍ୟୁତ ହୋଇପାରନ୍ତି ବୋଲି ଆଲୋଚନା ହେଉଛି।