
ଭବାନୀପାଟଣା- ୨୧/୧୧ ଚଳିତବର୍ଷ ଇନ୍ଦ୍ରାବତୀ ଜଳ ପ୍ରକଳ୍ପରେ ଆବଶ୍ୟକ ଜଳପତ୍ତନ କମ୍ ଥିବାରୁ ବିଭାଗୀୟ କର୍ତ୍ତୃପକ୍ଷ ଚଳିତ ରବିଚାଷ ପାଇଁ ଜଳସେଚନ ବନ୍ଦ ରହିବ ବୋଲି ଏକ ବିଜ୍ଞପ୍ତିରେ ପ୍ରକାଶ କରିଥିଲେ। ଫଳରେ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷର ଦାନା ବାନ୍ଧିଥିଲା। ତେଣୁ ଏହାର ପ୍ରତିବାଦରେ ଧର୍ମଗଡ ଆଞ୍ଚଳିକ କୃଷକ ସଂଗଠନ ପକ୍ଷରୁ ଚାରିଛକ ଠାରେ ରାସ୍ତାରୋକ ଆନ୍ଦୋଳନ କରାଯାଇଥିଲା। ଏହି ଆନ୍ଦୋଳନରେ ଅଞ୍ଚଳର ଶହ ଶହ ଚାଷୀମାନେ ଯୋଗ ଦେଇ ପ୍ରତିବାଦ ଜଣାଇଥିଲେ। ଫଳରେ ବିଭିନ୍ନ ପଟରୁ ଶହ ଶହ ଯାନବାହନ ଅଟକି ରହିଥିଲା। ଏଣୁ ଦୂରଦୂରାନ୍ତ ସ୍ଥାନକୁ ବସରେ ଯାଉଥିବା ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ। କିଛି ସମୟ ପରେ ଧର୍ମଗଡ ଉପ ଜିଲ୍ଲାପାଳ ଧିମାନ ଚକମା ଘଟଣାସ୍ଥଳକୁ ଆସି ଚାଷୀମାନଙ୍କୁ ବୁଝାଇଲା ପରେ ସେମାନେ ରାସ୍ତାରୋକ ଆନ୍ଦୋଳନରୁ ଓହରିଥିଲେ। ଏନେଇ ଉପ ଜିଲ୍ଲାପାଳ ଶ୍ରୀ ଚକମାଙ୍କୁ ପଚାରିବାରୁ ସେ କହିଥିଲେ ଯେ ଯେହେତୁ ଚଳିତବର୍ଷ ଇନ୍ଦ୍ରାବତୀ ଜଳ ପ୍ରକଳ୍ପରେ ଜଳ କମ୍ ଅଛି ବୋଲି ପ୍ରକଳ୍ପ କର୍ତ୍ତୃପକ୍ଷ ଜଳସେଚନ ବନ୍ଦ ରଖିବା ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି, ତଥାପି ଏହା ଉପରେ ଜଳସେଚନ ପାଇଁ ନିର୍ଭର କରୁଥିବା ଚାଷୀମାନଙ୍କୁ ନେଇ ଇନ୍ଦ୍ରାବତୀ କର୍ତ୍ତୃପକ୍ଷଙ୍କ ସହିତ ଏକ ବୈଠକରେ ଆଲୋଚନା କରି ସମାଧାନ କରାଯିବ ।