
କେସିଙ୍ଗା- ୨୬/୧୧ ଦୀର୍ଘଦିନ ହେଲା ସ୍ଥାନୀୟ ଜଗନ୍ନାଥ ମନ୍ଦିର ଅପରପାର୍ଶ୍ବରେ ଥିବା ଓମ୍ ନଗରପଡା ରାସ୍ତା ଶୋଚନୀୟ ହୋଇପଡି ରହିଛି। ଏହି ରାସ୍ତା ଦେଇ ଟିଟିଲାଗଡ଼, ଲୁତୁରୁବନ୍ଧ, ମହଦା ଆଦି ଅଞ୍ଚଳକୁ ପ୍ରତ୍ୟେକ ଶହ ଶହ ଲୋକ ଯାତାୟତ ପାଇଁ ନିର୍ଭର କରୁଥିବା ବେଳେ ଯାନବାହାନ ମଧ୍ୟ ଚଳାଚଳ କରୁଛି। ହେଲେ ସ୍ଥାନୀୟ ଏନ୍ଏସି କର୍ତ୍ତୃପକ୍ଷ ଏଥିପ୍ରତି ଧ୍ୟାନ ଦେଉନାହାଁନ୍ତି। କାରଣ ଏହି ରାସ୍ତା ମରାମତିରେ କମ୍ ଲାଭ ମିଳିବ। କେବଳ ଧର୍ମକୁ ଆଖିଠାର ମାରି ଯେତେବେଳେ ଏହି ରାସ୍ତା ବିଷୟରେ ପଚାରିଲେ, ଆମେ ଏଥିପାଇଁ ପିଡବ୍ଲଡି ବିଭାଗକୁ ଚିଠି କରିଛୁ । ଏଠାରେ ଉଲ୍ଲେଖଯୋଗ୍ୟ ଏ ପର୍ଯ୍ୟନ୍ତ ଏହି ରାସ୍ତା କାମ ପିଡବ୍ଲଡି ନେଇନାହିଁ କି କୌଣସି ଉତ୍ତର ଦେଉନାହିଁ। କିନ୍ତୁ ଏପଟେ ଏନ୍ଏସି କର୍ତ୍ତୃପକ୍ଷ ହାତ ବାନ୍ଧି ଚୁପ୍ ହୋଇରହିଛି। ସେହିପରି ପାଖାପାଖି ଏକ ବର୍ଷ ହେଲା ସ୍ଥାନୀୟ ଏନ୍ଏସି ଅନ୍ତର୍ଗତ ୬ ନଂ ଓ୍ବାର୍ଡର ଗୌନ୍ତିଆପଡା ପ୍ରାଥମିକ ବିଦ୍ୟାଳୟ ନିକଟରେ ଥିବା ଏକ କୂଅର ରାସ୍ତା ପଟ ପାଚେରୀ ଭାଙ୍ଗି ପଡ଼ିରହିଛି। ଏହି କୂଅରେ ପଡ଼ାର ମହିଳାମାନେ ସ୍ନାନ କରିଥାନ୍ତି । ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିଲେ ମଧ୍ୟ ମହିଳା ମାନଙ୍କ ଇଜ୍ଜତ ପ୍ରତି ଏନ୍ଏସି କର୍ତ୍ତୃପକ୍ଷ ଧ୍ୟାନ ନଦେବା ପରିତାପର ବିଷୟ। କେସିଙ୍ଗା ସହରରେ ଟ୍ରାଫିକ୍ ସମସ୍ୟା ଦୂରୀକରଣ ପାଇଁ ଜିଲ୍ଲାପାଳ ପରୀକ୍ଷାମୂଳକ ଭାବେ ସ୍ଥାନୀୟ ଜଗନ୍ନାଥ ପଡା ଛକରେ ସିଗ୍ନାଲ ଲଗାଇବା ପାଇଁ ନିର୍ଦ୍ଦେଶ ଦେଲା ପରେ ଏନ୍ଏସି କର୍ତ୍ତୃପକ୍ଷ ୧୬ ଲକ୍ଷରୁ ଉର୍ଦ୍ଧ୍ଵ ବ୍ୟୟରେ ୫ଟି ସିଗ୍ନାଲ ଲାଇଟ୍ ଲଗାଇଛନ୍ତି। କିନ୍ତୁ ସିଗ୍ନାଲ ଲାଇଟ୍ ଲଗାଇବାର ପାଖାପାଖି ୭ ଦିନ ବିତିଯାଇଥିଲେ ମଧ୍ୟ କାର୍ଯ୍ୟକ୍ଷମ ହୋଇ ପାରିନାହିଁ। ତେବେ ଟ୍ରାଫିକ୍ ସମସ୍ୟାର ସମାଧାନ ପାଇଁ ସିଗ୍ନାଲ ଲାଇଟ୍ ଲଗାଇବା ଆବଶ୍ୟକ ରହିଛି। ଏହି ଖବରର ଶିରୋନାମା ଲେଖିବାର ତାତ୍ପର୍ଯ୍ୟ ହେଲା ଓମ୍ ନଗରପଡା ରାସ୍ତା ଦୀର୍ଘଦିନ ହେଲା ଶୋଚନୀୟ ହୋଇ ପଢିଥିବା ଓ ଗୌନ୍ତିଆପଡା ସ୍କୁଲ ପାଖ କୂଅର ରାସ୍ତା ପଟ ପାଚେରୀ କାହିଁକି ଆଜିଯାଏ ଏନ୍ଏସି କର୍ତ୍ତୃପକ୍ଷ ମରାମତି କରୁନାହାନ୍ତି ? ଏନ୍ଏସିରେ ଅର୍ଥର ଅଭାବ ରହିଛି ନା କର୍ତ୍ତୃପକ୍ଷଙ୍କ ଆନ୍ତରିକତା ଅଭାବ ରହିଛି ତାହା ସାଧାରଣରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଏଥିପ୍ରତି ଜିଲ୍ଲାପାଳ ଦୃଷ୍ଟି ଦେବେ କି ?