କେସିଙ୍ଗା- ୨/୧୨ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅଧିନସ୍ଥ ଫଟକାମାଲ ସରପଞ୍ଚ ପ୍ରବୋଧ କୁମାର ରଣା ଅନାସ୍ଥା ପ୍ରସ୍ତାବ ଭୋଟିଂରେ ପରାସ୍ତ ହୋଇଥିବା ଏକ ବେସରକାରୀ ସୂତ୍ରରୁ ଜଣାପଡିଛି। ଫଟକାମାଲ ପଞ୍ଚାୟତର ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଗୃହୀତ ପାଇଁ ଆଜି ପ୍ରିଜାଇଡିଂ ଅଫିସର ଭାବେ ଦାୟିତ୍ଵରେ ଥିବା କେସିଙ୍ଗା ତହସିଲଦାର ପ୍ରଶାନ୍ତି ପ୍ରଧାନ ଦିନ ୧୧ ଟା ବେଳେ ଉକ୍ତ ପଞ୍ଚାୟତ କାର୍ଯ୍ୟାଳୟରେ ପହଁଞ୍ଚିବା ପରେ ସେଠାରେ ଉପସ୍ଥିତ ଥିବା ଓ୍ବାର୍ଡ ମେମ୍ବର ମାନଙ୍କୁ ନେଇ ଏକ ବୈଠକରେ ଆଲୋଚନା କରିବା ପରେ ଭୋଟିଂ ହୋଇଥିଲା। ଏହି ଭୋଟିଂ ଦିନ ୧୨.୩୦ ମି. ଆରମ୍ଭ ହୋଇଥିଲା ବେଳେ ସମସ୍ତ ଓ୍ବାର୍ଡ ମେମ୍ବରମାନେ ଭୋଟ ଦେଇଥିଲେ। ଯେତେବେଳେ ପ୍ରିଜାଇଡିଂ ଅଫିସର ଶ୍ରୀମତୀ ପ୍ରଧାନ ଭୋଟ ବାକ୍ସ ଖୋଲିଥିଲେ ସେ ଜାଣିବାକୁ ପାଇଥିଲେ ଯେ ଭୋଟ ବାକ୍ସ ଭିତରେ କିଛି ତରଳ ପଦାର୍ଥ ପକାଯାଇଛି । ଏହାପରେ ଡ୍ରାଏ ମେସିନ ସହାୟତାରେ ଉକ୍ତ ବାକ୍ସ କୁ ଶୁଖାଯାଇଥିଲା। ଏହାପରେ ସମସ୍ତ ଓ୍ବାର୍ଡ ମେମ୍ବର ମାନଙ୍କର ସହମତି କ୍ରମେ ଉକ୍ତ ଭୋଟ ବାକ୍ସକୁ ଉପ ଜିଲ୍ଲାପାଳଙ୍କ ନିକଟକୁ ଫଳାଫଳ ଘୋଷଣା ପାଇଁ ପଠାଯାଇଥିଲା। ତେବେ ଅନାସ୍ଥା ପ୍ରସ୍ତାବ ସପକ୍ଷରେ ୧୦ ଟି ଭୋଟ ପଡ଼ିଥିବା ବେଳେ ବିପକ୍ଷରେ ଗୋଟିଏ ଭୋଟ ପଡ଼ିଥିବା ପ୍ରିଜାଇଡିଂ ଅଫିସର ତଥା ତହସିଲଦାର ଶ୍ରୀମତୀ ପ୍ରଧାନଙ୍କ ଠାରୁ ପ୍ରକାଶ।