କେସିଙ୍ଗା ଓ୍ବେସ୍କୋ ଡିଭିଜନ୍ ବିତରଣ ବିଭାଗର ପାତର ଅନ୍ତର ନୀତି

ବଡବଡିଆଙ୍କ ଲାଇନ କାଟିବାକୁ ପାଉନି ସାହସ, ଗରିବ ଓ ମଧ୍ୟବିତ୍ତଙ୍କ ଉପରେ ଫଟାଫଟ ଆକ୍ସନ

କେସିଙ୍ଗା- ୫/୧୨ କେସିଙ୍ଗା ସହରରେ ଦୈନିକ ପାଖାପାଖି ୮/୯ ମେଗାୱାଟ୍ ବିଦ୍ୟୁତ ଖର୍ଚ୍ଚ ହେଉଛି। ହେଲେ ବିଭାଗୀୟ ଅଧିକାରୀମାନଙ୍କ ପାତର ଅନ୍ତର ନୀତି ହେଉ ଅବା ଡରୁଆପଣ ନୀତି ହେଉ ସେତିକି ପରିମାଣରେ ରାଜସ୍ବ ଆଦାୟ ହୋଇପାରୁ ନଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଚାଲିଛି। କହିବାର ତାତ୍ପର୍ଯ୍ୟ ହେଲା ଅଧୁନା ବିଜୁଳି ପ୍ରତ୍ୟେକଙ୍କ ପାଇଁ ଦୈନନ୍ଦିନ ଅତ୍ୟନ୍ତ ବ୍ୟବହାର୍ଯ୍ୟ ହୋଇପଡ଼ିଛି। ତେଣୁ ସହରର ପ୍ରତ୍ୟେକ ପରିବାର ଏହାକୁ ନିଜ ଘର ଏବଂ ବ୍ୟବସାୟ ପାଇଁ ବ୍ୟବହାର କରୁଥିଲେ ମଧ୍ୟ ସେତିକି ପରିମାଣର ରାଜସ୍ୱ ନଦେଇ ଫାଙ୍କି ଚାଲିଛନ୍ତି। କିନ୍ତୁ ବିଦ୍ୟୁତ ବିଲ ଆଦାୟ ପାଇଁ ସରକାରୀ କଳ ଠାରୁ ଆରମ୍ଭ କରି ଘରୋଇ ସଂସ୍ଥା ପର୍ଯ୍ୟନ୍ତ ନିୟୋଜିତ ହୋଇଛନ୍ତି । କିନ୍ତୁ କେସିଙ୍ଗାର ବହୁ ବଡ଼ ବଡ଼ିଆଙ୍କ ବିଦ୍ୟୁତ ବିଲ୍ ବାକିଥିଲେ ମଧ୍ୟ ଏମାନେ ସେମାନଙ୍କ ଲାଇନକୁ ହାତ ମାରିବା ପାଇଁ ସାହସ କରିପାରୁନଥବା ଅଭିଯୋଗ ହେଉଛି । ଅନ୍ୟପକ୍ଷରେ ଗରିବ ଓ ମଧ୍ୟବିତ୍ତଙ୍କ ଉପରେ ଫଟାଫଟ ଆକ୍ସନ ହେଉଛି। କାରଣ ଗରିବ ଓ ମଧ୍ୟବିତ୍ତ ସବୁବେଳେ କଷ୍ଟ ସହିଥାନ୍ତି । ଏମାନଙ୍କ ଉପରେ ସମସ୍ତ ସରକାରୀ ଅଧିକାରୀ ମାନେ ହାକିମଗିରୀ କରିଥାନ୍ତି । କାରଣ ଏମାନେ ସବୁ ସହି ଯାଇଥାନ୍ତି । ଆଇନକୁ ସମ୍ନାନ ଦେବା ସହ ଏହି ବର୍ଗ ବେଶି ପାଟି ଖୋଲନ୍ତି ନାହିଁ । ଅପରପକ୍ଷରେ ବିଦ୍ୟୁତ ବିଭାଗ ବିତରଣ ଦାୟିତ୍ୱ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ କମ୍ପାନୀ ନେଇଛନ୍ତି । ହେଲେ ସମସ୍ତେ ଗରିବ ଓ ମଧ୍ୟମ ବର୍ଗଙ୍କ ଉପରେ ଦାଉ ସାଧିଛନ୍ତି ସିନା ବଡ଼ ବଡ଼ିଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଭୟ କରୁଥିବା ଅଭିଯୋଗ ହେଉଛି । କେସିଙ୍ଗା ବିଦ୍ୟୁତ ବିଭାଗର ଅଧିକାରୀ ବିଭିନ୍ନ ସମୟରେ ବଦଳିଛନ୍ତି, ହେଲେ କାର୍ଯ୍ୟକଳାପରେ ପରିବର୍ତ୍ତନ ହେଉନଥିବା ଦେଖିବାକୁ ମିଳୁଛି । ସହରର ବଗାଡ଼ ଠାରୁ ବୋରିଙ୍ଗପଦର , ଦୁର୍ଗାମଣ୍ଡପ ପଡ଼ାରୁ ଟାଉନହଲ୍ ପଡା ସବୁଆଡେ ଅନେକ ପ୍ରଭାବଶାଳୀ ବ୍ୟକ୍ତି ଲକ୍ଷ ଲକ୍ଷ ଟଙ୍କାର ବିଦ୍ୟୁତ ବିଲ୍ ବକେୟା ରଖିଛନ୍ତି । କିନ୍ତୁ ବିଦ୍ୟୁତ ବିଭାଗ ଏହା ଆଦାୟ କରିବାରେ ଏମାନଙ୍କ ଠାରୁ ବିଫଳ ହେଉଛି । କିନ୍ତୁ ଗରିବ ଶ୍ରେଣୀର ଲୋକଙ୍କୁ ନାଲି ଆଖି ଦେଖାଇବାକୁ ପଛାଉନାହିଁ ବିଭାଗ । ପ୍ରଭାବଶାଳୀଙ୍କ ପାଖରେ ଲକ୍ଷ ଲକ୍ଷ ଟଙ୍କା ବିଦ୍ୟୁତ ବକେୟା ଥିବାବେଳେ ଗରିବଙ୍କ କେହି ହଜାର ଟଙ୍କା ବକେୟା ରହିଲେ ବିଦ୍ୟୁତ ସଙ୍ଗେ ସଙ୍ଗେ ବିଛିନ୍ନ କରାଯାଉଥିବା ଅଭିଯୋଗ ହେଉଛି । ବିଭାଗର ଏଭଳି ପାତର ଅନ୍ତର ନୀତିକୁ ଅନେକ ଲୋକ ସମାଲୋଚନା କରୁଛନ୍ତି । ବିଭାଗ ଏଥିରୁ ନିବୃତ ରହି ବକେୟା ରଖିଥିବା ପ୍ରଭାବଶାଳୀ ଙ୍କ ପାଖରୁ ବିଦ୍ୟୁତ ବିଲ୍ ଆଦାୟ କରି ସମାନତାର ବାର୍ତ୍ତା ପ୍ରଦାନ କରୁ ବୋଲି ଦାବି ହେଉଛି । ଏନେଇ ଜନୈକ ଗଣମାଧ୍ୟମ ପ୍ରତିନିଧି କେସିଙ୍ଗା ବିଦ୍ୟୁତ ବିତରଣ ବିଭାଗର ଉପଖଣ୍ଡୀୟ ଅଧିକାରୀ ଦେବୀ ପ୍ରସାଦ ଦୀକ୍ଷିତଙ୍କୁ ପଚାରିବାରୁ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବାର କ୍ଷମତା ମୋର ନାହିଁ ବୋଲି କହିଥିଲେ ।

Leave a Reply

Your email address will not be published. Required fields are marked *