
କଲମପୁର , ୧୧/୧୨(ଗଣେଶରାମ ବାଗ) କଳାହାଣ୍ଡି ଜିଲ୍ଲାରେ କାଁଭାଁ କେତୋଟି ମଣ୍ଡି ଚାଲିଥିବା ବେଳେ କଲମପୁର ବ୍ଲକ ଇଚ୍ଛାପୁର ଧାନ ମଣ୍ଡିରେ ଚାଷୀଙ୍କ ଧାନ ମହଜୁଦ ଥିଲେ ମଧ୍ୟ ଏଫ୍ଏକ୍ୟୁ ଧାନ ହୋଇନଥିବା କାରଣରୁ ଅଚଳାବସ୍ଥା ଜାରିରହିଛି। ମଣ୍ଡିରେ ଧାନ ସଂଗ୍ରହ ପାଇଁ ପ୍ରଶାସନ ପକ୍ଷରୁ ସବୁ ପ୍ରକାର ବ୍ୟବସ୍ଥାକୁ ପ୍ରାୟତଃ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚାଇଛନ୍ତି। କିନ୍ତୁ ଚାଷୀ ତା’ର କଷ୍ଟ ଉପାର୍ଜିତ ଫସଲକୁ ଅଦ୍ୟାବଧି ବିକ୍ରି କରି ନ ପାରି ହଇରାଣ ହରକତ ହେଉଛନ୍ତି। ସୂଚନାନୁସାରେ କଲମପୁର ବ୍ଲକ ଅନ୍ତର୍ଗତ ଇଚ୍ଛାପୁର ଧାନ ମଣ୍ଡି ପଞ୍ଜୀକୃତ ଚାଷୀଙ୍କ ଟୋକନ୍ ଅନୁଯାୟୀ ଧାନ ପକେଇବା ପାଇଁ କ୍ରୟ ସଂସ୍ଥା ମା ଲଙ୍କେଶ୍ବରୀ ସ୍ଵୟଂ ସହାୟିକା ଗୋଷ୍ଠୀ ତରଫରୁ ନୋଟିସ ଜାରି କରାଯାଇଥିଲା। ସେହି ଧାନ ସବୁ ଆରଏମସି ତରଫରୁ ଆନାଲିସିସ୍ କରାଯାଇଥିଲା। ଚାଷୀ ଅକ୍ଲାନ୍ତ ପରିଶ୍ରମ କରି ଧାନକୁ ଶୁଖା ଓ ସଫା କରିଥିଲେ ମଧ୍ଯ ଆର୍ ଏମ୍ ସି କର୍ତ୍ତୃପକ୍ଷ ଏଫ୍ ଏକ୍ୟୁ ମାନର ହୋଇ ନ ଥିବା ରିପୋର୍ଟ ପ୍ରଦାନ କରିଥିଲେ। କେବଳ ଅପରିପକ୍ଵ ମାତ୍ର ୨ରୁ ୩ %ଅଧିକ ରହିଛି। ଯାହାକି ଚାଷୀ ନିଜ ହାତରେ ତାକୁ ସୁଧାରି ପାରିବ ନାହିଁ। ଏନେଇ ମଙ୍ଗଳବାର ଇଚ୍ଛାପୁର ମଣ୍ଡିରେ ସ୍ଵୟଂ ସହାୟିକା ଗୋଷ୍ଠୀସ୍ତରୀୟ ପ୍ରକ୍ୟୁର୍ମେଣ୍ଟ କମିଟୀର ଚାଷୀ ପ୍ରତିନିଧି ସୁବ୍ରତ ବେହେରା, ଭୋଦେବ ପୁଝାରୀ, ପଞ୍ଚାୟତ କାର୍ଯ୍ଯ ନିର୍ବାହୀ ଅଧିକାରୀ ଜୀତେନ୍ଦ୍ର କୁମାର, ବିଜେପି କୃଷକ ମୋର୍ଚ୍ଚା ସଦସ୍ୟ ହିତେଶ ପାତ୍ର, ସିମାଞ୍ଚଳ ପାତ୍ର, ଚାଷୀ ଜ୍ଞାନବନ୍ତ ବେହେରା, ବିଶ୍ଵନାଥ ବଗର୍ତ୍ତିଙ୍କ ସମେତ ବହୁ ସଂଖ୍ୟାରେ ଚାଷୀମାନେ ଅଚଳାବସ୍ଥାକୁ ନେଇ ଏକ ବୈଠକ କରିଥିଲେ। ଏହାର ସମାଧାନ ପାଇଁ ସ୍ଥାନୀୟ ମିଲ୍ ମାଲିକ ମୁକେଶ ରାଜ ପୁରୋହିତଙ୍କୁ ଡ଼ାକି ସମାଧାନର ପନ୍ଥା ପାଇଁ ଆଲୋଚନା କରିଥିଲେ। କିନ୍ତୁ ସମ୍ପୃକ୍ତ ମିଲ୍ ମାଲିକ ତାଙ୍କର ୟୁନିଅନଙ୍କ ପାଖରେ ଆଲୋଚନା କଲା ପରେ ଧାନ ଲିଫ୍ଟିଙ୍ଗ ବ୍ୟବସ୍ଥା କରିବା ନେଇ ମତ ପ୍ରକାଶ କରିଥିଲେ। ସେଥିପାଇଁ ମଣ୍ଡିରେ ଧାନ କିଣାବିକା ହୋଇପାରିନାହିଁ। ଯାହା ଫଳରେ ଚାଷୀ ମହଲରେ ଅସନ୍ତୋଷ ଦେଖାଦେଇଛି । ରାଜ୍ୟ ସରକାରଙ୍କ ମଣ୍ଡି ସ୍ବଚ୍ଛତା ତଥା ଚାଷୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କେତେ ଦୂର ସମ୍ଭବ ତାହା ଦେଖିବାକୁ ବାକି ରହିଲା।