ଗ୍ରାମାଞ୍ଚଳ କ୍ରିକେଟ ଟୁର୍ଣ୍ଣାମେଣ୍ଟ , ରୁପ୍ରା ଚମ୍ପିଆନ୍

ନର୍ଲା-୧୫/୧୨ (ପ୍ରଦୀପ କୁମାର ଗଉଡ) : ନର୍ଲା ବ୍ଲକ୍ ଗିଗିନା ଗ୍ରାମ ପଞ୍ଚାୟତ ଅଧିନ ଚୌକିପଦର ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ ଥିବା ଖେଳ ପଡିଆ ଠାରେ ରାମଚଣ୍ଡୀ ମେଡିକାଲ ଷ୍ଟୋର୍ ଆୟୋଜନରେ ଓ ୟଙ୍ଗଷ୍ଟାର୍ କ୍ରିକେଟ୍ କ୍ଲବ୍, ଗିଗିନା ମିଳିତ ଆନୁକୁଲ୍ୟରେ ଗତ ୧୧ ତାରିଖରୁ ଆରମ୍ଭ ହୋଇଥିବା ୫ମ କ୍ରିକେଟ୍ ପ୍ରତିଯୋଗିତା ଆଜି ରବିବାର ଫାଇନାଲ୍ ଖେଳ ଅନୁଷ୍ଠିତ ହେବା ସହ ଉଦଯାପିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ବିଭିନ୍ନ ଅଞ୍ଚଳର ମୋଟ ୧୬ଟି କ୍ରିକେଟ୍ ଟିମ୍ ଅଂଶଗ୍ରହଣ କରିଥିଲେ। ଆଜି ରବିବାର ଅନୁଷ୍ଠିତ ହୋଇଥିବା ପ୍ରଥମ ସେମିଫାଇନାଲ ମ୍ୟାଚ୍ ଆରସିସି ରୁପ୍ରା ଓ ଭାନପୁର୍ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ରୁପ୍ରା ବିଜୟୀ ହୋଇ ପ୍ରଥମ ଦଳ ଭାବେ ଫାଇନାଲ୍ କୁ ଉନ୍ନୀତ ହୋଇଥିଲା। ସେହିପରି ଦ୍ବିତୀୟ ସେମିଫାଇନାଲ ଆୟୋଜକ ଗିଗିନା ଓ କନକପୁର୍ ମଧ୍ୟରେ ଅନୁଷ୍ଠିତ ମ୍ଯାଚରେ ଗିଗିନା ବିଜୟୀ ହୋଇ ଦ୍ୱିତୀୟ ଦଳ ଭାବେ ଫାଇନାଲ୍ ରେ ପ୍ରବେଶ କରିଥିଲା। ତୃତୀୟ ତଥା ଫାଇନାଲ୍ ମ୍ୟାଚ୍ ରୁପ୍ରା ଓ ଗିଗିନା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ରୁପ୍ରା ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୮ ଓଭରରେ ୩ ୱିକେଟ୍ ବିନିମୟରେ ୧୨୨ ରନ୍ କରି ମଜଭୁତ ସ୍ଥିତିରେ ରହିଥିଲା। ରୁପ୍ରା ଦଳର ଆକାଶ ଦୀପ୍ ୧୪ ବଲ୍ ରେ ଅର୍ଦ୍ଧ ଶତକ କରିଥିବା ବେଳେ ସେ ମୋଟ୍ ୧୭ ବଲ୍ ର ସାମନା କରି ବ୍ୟକ୍ତିଗତ ଭାବରେ ୬୧ରନ୍ କରିଥିଲେ । ସେହିପରି ୧୨୩ ରନ୍ ର ପିଛାକରି ଗିଗିନା ଦଳ ପ୍ରାରମ୍ଭରୁ ଦୁର୍ବଳ ଖେଳ ପ୍ରଦର୍ଶନ କରି ମାତ୍ର ୬୩ ରନ୍ କରିପାରି ପରାଜିତ ହୋଇଥିଲା। ଉକ୍ତ ଖେଳରେ ଅମ୍ପାୟାର୍ ରାହୁଲ କୁମାର ଓ ଚରଣ ମହାନନ୍ଦ ରହିଥିବା ବେଳେ ସ୍କୋରର୍ ଭାବରେ ସମୀର ଓ ଟୁକେଶ ଦାୟିତ୍ୱ ତୁଲାଇଥିଲେ। ଖେଳର ଧାରା ବିବରଣୀ ମୋହନ ଶଙ୍କର ପଧାନ ଓ ଧବଳେଶ୍ଵର ଦୀପ ପ୍ରଦାନ କରିଥିଲେ। ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ଆକାଶ ଦୀପ୍ ଓ ମ୍ୟାନ୍ ଅଫ୍ ଦି ସିରିଜ୍ ପୁରସ୍କାର ପ୍ରଣବ ନାଏକ ପାଇଥିଲେ। ଫାଇନାଲ୍ ମ୍ୟାଚ୍ ରେ ମୁଖ୍ୟ ଅତିଥି ଭାବରେ ନର୍ଲା ପଞ୍ଚାୟତ ସମିତି ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ସମ୍ମାନିତ ଅତିଥି ଭାବେ ସମାଜସେବୀ ହୃଷିକେଶ ଗଡତିଆ, ଗିଗିନା ପଞ୍ଚାୟତ ନାଏବ ସରପଞ୍ଚ ଦିଲ୍ଲିପ ହରପାଲ୍, ରୁପ୍ରା ପେକ୍ସ୍ ସଭାପତି ସରୋଜ କୁମାର ରାଉତ, ପଦ୍ମଲୋଚନ ନାଏକ ପ୍ରମୁଖ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହିତ ବିଜେତା ଓ ଉପବିଜେତା ଦଳକୁ ଟ୍ରଫି ଓ ନଗଦ ଅର୍ଥରାଶି ପ୍ରଦାନ କରିଥିଲେ। ଆୟୋଜକ କମିଟିର ସଭାପତି ସୁନୀଲ ବିଶି, ସମ୍ପାଦକ ମନୋଜ ହାତୀ, ବରିଷ୍ଠ ସଦସ୍ୟ କୁମୁଦ ବାରିକ ଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *