କଲମପୁର ବ୍ଲକରେ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

କଲମପୁର, ୧୮/୧୨(ଗଣେଶରାମ ବାଗ) କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ କ୍ଷିତିସୁତା ମେହେରଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଶିବିରରେ କଲମପୁର ବିଡ଼ିଓ ବିଜୟ କୁମାର ମାଣ୍ଡାଙ୍ଗି, ବ୍ଲକ ଅଧ୍ୟକ୍ଷ୍ୟା ମୋତି ବିହାରୀ , ଉପାଧ୍ୟକ୍ଷ ଚିନ୍ତାମଣି ବେହେରା , ସିଡ଼ିପିଓ ନିର୍ବାସିନୀ ଦେଇ , ଜିଲ୍ଲା ଭିନ୍ନକ୍ଷମ ବିଭାଗ ସଂପାଦକ ଡୋଲାମଣି ପ୍ରଧାନ ପ୍ରମୁଖ ମଞ୍ଚାସୀନ ଥିଲେ । ଶିବିରରେ କଲମପୁର ବ୍ଲକର ୧୧ଟି ପଞ୍ଚାୟତରୁ ଆସିଥିବା ୩୫୩ ଜଣ ଭିନ୍ନକ୍ଷମ ପଞ୍ଜିକରଣ କରିଥିଲେ । ସେଥି ମଧ୍ୟରୁ ୨୧୮ଜଣଙ୍କୁ ଭିନ୍ନକ୍ଷମ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା।
୬୭ଜଣଙ୍କୁ ବସ ପାସ୍ ମିଳିଥିବା ବେଳେ ଆଉ ୫୩ଜଣଙ୍କୁ ଟ୍ରେନ ପାସ୍ ଦିଆଯାଇଥିଲା । ଭତ୍ତା ପାଇଁ ୩ଜଣ , ଘର ପାଇବା ପାଇଁ ୪୯ଜଣ ଆବେଦନ କରିଥିଲେ । ୨ଜଣଙ୍କୁ ଟ୍ରାଇ ସାଇକେଲ ପ୍ରଦାନ କରାଯାଇଥିବା ବେଳେ ୩ଜଣଙ୍କୁ ହୁଇଲ ଚେୟାର ପ୍ରଦାନ କରାଯାଇଥିଲା । ଡିଆରଆଇ ଋଣ ଆବେଦନ ୧୨, ଏମଆର୍ କିଟ୍ ପାଇଁ ୧ , କୃତ୍ରିମ ଅଙ୍ଗ ନିମନ୍ତେ ୧ , ଶ୍ରବଣ ଯନ୍ତ୍ର ପାଇଁ ୧ , ଜୁନାଗଡ ନେତ୍ରାଳୟ ତରଫରୁ ୩ ଜଣଙ୍କୁ ଚଷମା ପ୍ରଦାନ କରାଯାଇଥିଲା । କଲମପୁର ଶିବିରରେ ଅନେକ ବିଭାଗରୁ ଡାକ୍ତର ପଞ୍ଜିକରଣ କରି ଭିନ୍ନକ୍ଷମ ମାନଙ୍କୁ ସେବା ଦେଇଥିଲେ । ଅର୍ଥୋପେଡିକ୍ ବିଭାଗରୁ ଡାକ୍ତର ଅଭିନାଶ ନେଗୀ, ମୂକ, ବଧିର ବିଭାଗରୁ ପ୍ରଦ୍ୟୁମ୍ନ କିଶୋର ପଣ୍ଡା , ଚକ୍ଷୁ ବିଭାଗରୁ ବିକାଶ ରଞ୍ଜନ ନାୟକ , ଶ୍ରବଣ ବିଭାଗରୁ ଆରଧନା ବେହେରୁକ୍ ପ୍ରମୁଖ ଶିବିରରେ ଯୋଗଦେଇ ସେବା
ପ୍ରଦାନ କରିଥିଲେ । ଶିବିରରେ ବ୍ଲକର ବିଭାଗୀୟ ଅଧିକାରୀ ବୈକୁଣ୍ଠ ବାଗ ସମେତ ସମସ୍ତ କର୍ମଚାରୀଙ୍କ ସହ ସମସ୍ତ ପଞ୍ଚାୟତର ପିଇଓ , ଜିଆରଏସ ନିଜର ଦାୟିତ୍ୱ ସମ୍ପାଦନ କରି ସହଯୋଗ କରିଥିଲେ । ସେହିପରି କଲମପୁର ପଞ୍ଚାୟତ ପରିସରରେ ସାମାଜିକ ସମୀକ୍ଷା ଶିବିର ଅନୁଷ୍ଠିତ ହୋଇଥିଲା , ଏଥିରେ କଲମପୁର ସରପଞ୍ଚ ସୂର୍ଯ୍ୟକାନ୍ତୀ ପଣ୍ଡା ଅଧ୍ୟକ୍ଷତା କରିଥିବା ବେଳେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଦୁଃଶାସନ ନାୟକ ପରିଚାଳନା କରିଥିଲେ । ସଂପୃକ୍ତ
କାର୍ଯ୍ୟକ୍ରମରେ ନିୟୋଜିତ କର୍ମଚାରୀମାନେ ଯୋଗ ଦେଇଥିବା ବେଳେ ସହସ୍ରାଧିକ ଜନସମାଗମ ହୋଇଥିଲା ।

Leave a Reply

Your email address will not be published. Required fields are marked *