
ଭବାନୀପାଟଣା- ୨୫/୧୨ କଳାହାଣ୍ଡି ଜିଲ୍ଲାରେ ଗତ ୨ ଦିନ ଧରି ମଧ୍ୟମ ଧରଣର ଲଗାଣ ବର୍ଷା ହେଉଛି। ବର୍ତ୍ତମାନ ଧାନ ଅମଳ ସମୟ ହୋଇଥିଲା ବେଳେ କେତେକ ଚାଷୀ ଧାନ କାଟି ପାରିନଥିବାରୁ କ୍ଷେତରେ ପଡ଼ିରହିଛି। ଆଉ କେତେଜଣଙ୍କ ଚାଷୀଙ୍କ ଧାନ ଖଳାରେ ଗଦା ହୋଇରହିଛି ତ ଆଉ କେତେକ ଚାଷୀ ଧାନ ଅମଳ କରି ବିକ୍ରୟ ପାଇଁ ଆଣି ମଣ୍ଡିରେ ରଖିଛନ୍ତି। ଏଣେ ଖଳା ଓ କ୍ଷେତରେ ଥିବା ଧାନ ଗଜା ହେବାକୁ ବସିଲାଣି। ଜିଲ୍ଲାରେ ୨୨୩ ଟି ଧାନ ମଣ୍ଡି ମଧ୍ୟରୁ ପ୍ରାୟ ଅର୍ଦ୍ଧାଧିକ ଖୋଲା ଆକାଶ ତଳେ ଚାଲୁଥିବା ବେଳେ ବିଭାଗ ପକ୍ଷରୁ ତାରପୋଲିନ୍ ଯୋଗାଇ ଦିଆଯାଇଛି। ତଥାପି ଖୋଲା ମଣ୍ଡିରେ ଧାନ ଭିଜୁଥିଲା ବେଳେ ସେପଟେ ଖଳା ଓ କ୍ଷେତରେ ଧାନ ଭିଜୁଥିବାରୁ ଚାଷୀ ବ୍ୟସ୍ତବିବ୍ରତ ହୋଇ ପଡ଼ୁଛି। କାରଣ ଚାଷୀ ତା’ର କଷ୍ଟ ଉପାର୍ଜିତ ଧାନର ଏଭଳି ଦୟନୀୟ ଅବସ୍ଥାକୁ ଦେଖି ଆଖିରୁ ଲୁହ ଝରୁଛି। ଅନ୍ୟପକ୍ଷରେ ଧଳା ସୁନା ଓ ପନିପରିବା ଚାଷ ମଧ୍ୟ ୨ ଦିନ ଧରି ଲଗାଣ ବର୍ଷାରେ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। ଏଣୁ ରାଜ୍ୟ ସରକାର ତୁରନ୍ତ କ୍ଷତିର ଆକଳନ କରି ଚାଷୀମାନଙ୍କୁ ସହାୟତା ରାଶି ଯୋଗାଇ ଦେବା ପାଇଁ ଦାବି ହୋଇଛି।
