ଧାନକୁଟା ଟ୍ରାକ୍ଟରରେ ଦୁର୍ଘଟଣା ଘଟି ଯୁବକଙ୍କ ବେକ କଟି ମୃତ୍ୟୁ

କେସିଙ୍ଗା:-୨୮/୧୨ କେସିଙ୍ଗା ବ୍ଲକ ଅନ୍ତର୍ଗତ କଶୃପଡା ପଞ୍ଚାୟତ ବିନେକେଲା ଗ୍ରାମରେ ଘଟିଛି ଏକ ଦୁଃଖଦ ଘଟଣା । ସୂଚନା ମୁତାବକ ବିନେକେଲା ଗ୍ରାମର ଦୈତାରୀ ପଧାନଙ୍କ ଜୈଷ୍ଠ ପୁତ୍ର ନିରୋଜ ପଧାନ ନିଜ ଧାନ କୁଟା ମିଲ୍ ଟ୍ରାକ୍ଟର ନେଇ ଶନିବାର ସକାଳୁ ଘାଟପଡ଼ା ଗ୍ରାମର ଲୁହୁରାପଡ଼ାକୁ ନେଇ ଧାନ କୁଟିବାକୁ ଯାଇଥିଲେ । ତେବେ ଧାନ କଳରେ କୌଣସି ଅସୁବିଧା ହେବାରୁ ମୁଣ୍ଡ ନୁଆଁଇ ଦେଖିବା ବେଳେ ହଠାତ୍ ତାଙ୍କ ବେକରେ ଗୁଡେଇ ହୋଇ ରହିଥିବା ଗାମୁଛାଟି ସେହି କଳରେ ଫସିଯିବା ଫଳରେ ଯୁବକ ଜଣକଙ୍କ ବେକ କଟିଯାଇ ଘଟଣା ସ୍ଥଳରେ ତାଙ୍କ ଦୁଃଖଦାୟକ ମୃତ୍ୟୁ ହୋଇଯାଇଛି । ସୂଚନା ପାଇ କେସିଙ୍ଗା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି କେସିଙ୍ଗା ସରକାରୀ ଚିକିତ୍ସାଳୟକୁ ପଠାଇ ଶବ ବ୍ୟବଚ୍ଛେଦ କରାଇ ଏକ ଅପମୃତ୍ୟୁ ମାମଲା ଦାୟର କରି ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଛି । ନୀରୋଜ ପଧାନଙ୍କ ପରିବାରରେ ତାଙ୍କ ସ୍ତ୍ରୀ ଏବଂ ଦୁଇ ବର୍ଷର ଶିଶୁ କନ୍ୟା ଥିବାବେଳେ ତାଙ୍କର ଦେହାନ୍ତ ପରେ ଏବେ ପରିବାର କିପରି ଚଳିବେ ବୋଲି ଅଞ୍ଚଳର ଲୋକେ ଚର୍ଚ୍ଚା କରୁଥିବା ବେଳେ ବିନେକେଲା ଗ୍ରାମରେ ଶୋକର ଛାୟା ଖେଳଯାଇଛି ।

Leave a Reply

Your email address will not be published. Required fields are marked *