
କେସିଙ୍ଗା ତା ୨.୧ (ତୁମେଶ୍ୱର ସାହୁ) କେସିଙ୍ଗା ବ୍ଲକ ଅନ୍ତର୍ଗତ ତୁଣ୍ଡଳା ଗ୍ରାମର ଜଣେ ଚାଷୀ ଧାନ ର କଟନୀ ଛଟନୀକୁ ବିରୋଧ କରି ତୁଣ୍ଡଲା ପେକ୍ସ ଆଗରେ ଦୁଇ ଦିନ ହେଲା ଆମରଣ ଅନଶନ କରିଛନ୍ତି । ସୂଚନାରୁ ପ୍ରକାଶ ତୁଣ୍ଡଲା ଗ୍ରାମର ଧନଞ୍ଜୟ ସାହୁ ଜଣେ ବଡ ଚାଷୀ। ଧନଞ୍ଜୟଙ୍କ ଅଭିଯୋଗକ୍ରମେ ଚଳିତ ବର୍ଷ ଚାଷୀ ଧାନକୁ ଭଲ ଭାବେ ଶୁଖାଇ ସଫାସୁତୁରା କରିଥିଲେ ମଧ୍ୟ କଟ୍ନୀ ଚଟନୀର ଶିକାର ହେଉଛି। ତୁଣ୍ଡଲା ପେକ୍ସରେ କୁଇଣ୍ଟାଲ ପ୍ରତି ୬ କେଜି ଧାନ କଟାଯାଉଥିବା ବେଳେ ଚାଷୀଙ୍କୁ ବସ୍ତା ଯୋଗାଇ ଦିଆଯାଉ ନାହିଁ। ବସ୍ତା ପ୍ରତି ୨୫ ଟଙ୍କା ନିଆଯାଉଥିବା ଅଭିଯୋଗ କରି ଧନଞ୍ଜୟ ପେକ୍ସ ସମ୍ମୁଖରେ ମହାତ୍ମା ଗାନ୍ଧୀଙ୍କ ଫଟୋଚିତ୍ର ରଖି ଆମରଣ ଅନଶନରେ ବସିଛନ୍ତି। କଟ୍ନୀ ଛଟନୀ ବନ୍ଦ ସହ ଚାଷୀଙ୍କୁ ବସ୍ତା ଯୋଗାଇଦିଆ ନ ଯିବା ପର୍ଯ୍ୟନ୍ତ ଅନଶନ ଜାରି ରହିବ ବୋଲି ସେ ବୁଧବାର ଓ ଗୁରୁବାର ଦୁଇ ଦିନ ହେଲା ବସିଛନ୍ତି। ତାଙ୍କର ଏଭଳି ପଦକ୍ଷେପକୁ ଅଞ୍ଚଳର ଚାଷୀମାନେ ସମର୍ଥନ କରୁଥିବା ଦେଖିବାକୁ ମିଳୁଛି। ଯେତେବେଳେ ସରକାର କ୍ଵିଣ୍ଟାଲ ପିଛା ୩୧୦୦ ଟଙ୍କା ଓ ବିନା କଟନୀ ଛଟନୀ ରେ ଧାନ ଉଠା ହେବ ବୋଲି ଘୋଷଣା କରିଥିଲେ ଓ ଚାଷୀ କୂଳରେ ଖୁସିର ଲହର ଖେଳି ଯାଇଥିଲା। ଧାନର ମୂଲ୍ୟ ବୃଦ୍ଧି ଓ ବିନା କଟନୀ ଛଟନୀ କୁ ଆଖି ଆଗରେ ରଖି ଚାଷୀ ଧାନକୁ ଭଲ ଭାବେ ଶୁଖାଇ ସଫା କରି ମଣ୍ଡିକୁ ଆଣିଥିଲେ। ଏହା ସତ୍ତ୍ବେ କଟନୀ ଛଟନୀ ହେଉଥିବାରୁ ଚାଷୀ କୂଳ ହତାଶ ହୋଇପଡିଛି।
ତୁଣ୍ଡଲା ପଞ୍ଚାୟତର ସମବାୟ କେନ୍ଦ୍ର ସମ୍ମୁଖରେ ଧାନ ଉଠାଣ ପ୍ରକ୍ରିୟାକୁ ବିରୋଧ କରି ବନ୍ଧପଡା (କଟାପଦା) ଗ୍ରାମର ସଞ୍ଜୟ ସାହୁ ଅଞ୍ଚଳର ସମସ୍ତ ଚାଷୀଙ୍କ ସମର୍ଥନରେ ଗତକାଲି ସକାଳ ୭ ଘଣ୍ଟା ସମୟରୁ ଆମରଣ ଅନଶନରେ ବସିଛନ୍ତି। ଏହା ଜାଣିଲା ପରେ କେସିଙ୍ଗା ବି ଡି ଓ ପଦ୍ମନାଭ ପୁରୋହିତ ଓ ତହସିଲଦାର ପ୍ରଶାନ୍ତି ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ଶ୍ରୀ ସାହୁଙ୍କୁ ବୁଝାସୁଝା କରି ଆନ୍ଦୋଳନରୁ ଓହରି ଯିବାକୁ ଅନୁରୋଧ କରିଥିଲେ। କିନ୍ତୁ ଏହା ସମାଧାନ ନ ହେବା ଯାଏ ପ୍ରାଣ ଚାଲିଗଲେ ମଧ୍ୟ ଉଠିବୁ ନାହିଁ ବୋଲି ଶ୍ରୀ ସାହୁ ରୋକ୍ ଠୋକ୍ ମନା କରିଥିଲେ। ପରେ କେସିଙ୍ଗା ଆଇଆଇସି ପ୍ରଦ୍ୟୁମ୍ନ ମହାପାତ୍ର ସ୍ଥିତି ଅନୁଧ୍ୟାନ ପାଇଁ ଯାଇ ଘଟଣାସ୍ଥଳରେ ପହଞ୍ଚିଥିଲେ। ଦ୍ୱିତୀୟ ଦିନରେ ସମର୍ଥନ ପାଇଁ ଯୁବ ନେତା ତଥା ସମାଜ ସେବୀ ସୁରେଶ ରାଓ, ସୁରେଶ ଚୌଧୁରୀ (ଜିଲ୍ଲାପରିଷଦ ସଭ୍ୟ କର୍ଲାମୁଣ୍ଡା ବ୍ଲକ)ଚାଷୀ ତରଣୀ ସେନ ସିଂ ପହଞ୍ଚି ତାଙ୍କୁ ସମର୍ଥନ ଦେଇଛନ୍ତି। ଏହାକୁ ସମର୍ଥନ କରି ପୂର୍ବତନ ସରପଞ୍ଚ ଭଗବାନ ସାହୁ, ଜୟନ୍ତ ସାହୁ, ଲୋକେଶ ସାହୁଙ୍କ ଶତାଧିକ ଲୋକେ ଉପସ୍ଥିତ ଥିଲେ।