କଲମପୁର ବ୍ଲକରେ ଆଦିବାସୀଙ୍କ ଟୋକି ପର୍ବ ଉଦଯାପିତ

କଲମପୁର , ୧୨/୧(ଗଣେଶରାମ ବାଗ) କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ ପୋଟେସ ଏବଂ ବ୍ରାହ୍ମଣ କେନ୍ଦୁଗୁଡ଼ା ଠାରେ ମହାଆଡମ୍ବରରେ ରବିବାର ଦିନ ଟୋକି ପର୍ବ ଉଦଯାପିତ ହୋଇଯାଇଛି l ଏହି ଟୋକି ପର୍ବ ଆଦିବାସୀଙ୍କ ଗଣପର୍ବ ତଥା କୃଷିଭିତ୍ତିକ ପର୍ବ। ଏହି ପର୍ବ ପାଳନ କଲେ ମାଟି ମାଁ ସନ୍ତୁଷ୍ଟ ହୁଅନ୍ତି ଆଉ ଚାଷ ଭଲ ହୁଏ ବୋଲି ବିଶ୍ବାସ ରହିଛି।ତେଣୁ ଭକ୍ତି ମନୋଭାବ ସହ ଏହି ପର୍ବ ନିଷ୍ଠାର ସହ ପାଳନ କରାଯାଇଥାଏ । ପୁରାତନ କାଳରେ ଏହି ପର୍ବରେ ଏକ କୁଆଁରୀ ଝିଅକୁ ବଳି ଦିଆଯାଉଥିଲା । ଏବେ ସେସବୁ ବଦଳାଇ କୁଆଁରୀ ଝିଅ ବଦଳରେ ଗଡରା (ମେଣ୍ଢା) ବଳିଦିଆ ଯାଉଛି । ଆଦିବାସୀ ଗାଁ ମାନଙ୍କରେ ଏହି ପର୍ବ ପ୍ରତିବର୍ଷ ପୌଷ ମାସର ରବିବାର ଦିନ ଅନୁଷ୍ଠିତ ହୁଏ । ଏହି ପର୍ବ ଦେଖିବା ପାଇଁ ଅଞ୍ଚଳର ଶତାଧିକ ଲୋକ ଟୋକିମରା ପର୍ବ ଦେଖିବା ପାଇଁ ଆସିଥାନ୍ତି। ଟୋକିପର୍ବ ପାଳନ କରୁଥିବା ଗ୍ରାମମାନଙ୍କ ରେ ନିର୍ଦ୍ଧାରିତ ସମୟ ଯୋଗ ଲଗ୍ନ ଅନୁସାରେ କାର୍ଯ୍ୟ କରିଥାନ୍ତି। ଟୋକିମରା ପର୍ବ ପାଳନରେ କାର୍ଯ୍ୟ ନିର୍ବାହ କରୁଥିବା ମୁନ୍ଦ୍ରା ଧରିଆ, ଯୋଗ କରିଆ, ଦିଶାରୀ, ଗୁର୍ମେନ ପ୍ରମୁଖ ଗଡରା (ମେଣ୍ଢା) କୁ ମାଟି ଦେବତା ଗୁଡିରେ ପୂଜାବିଧି ସାରିବା ପରେ ଗାଁ ଗନ୍ତିଆକୁ ଘରୁ ବାହାର କରି ଧରଣୀ ଖୁଣ୍ଟ ନିକଟକୁ ବହୁ ଜନ ସମାବେଶରେ ଆଣିଥାନ୍ତି l ଗଡରା ଆଣିବା ସମୟରେ ବାଟରେ ଜୋର କରିବା ପାଇଁ ଅନେକ ଗ୍ରାମର ଯାନୀମାନେ ପ୍ରସାଦ ନେବା ପାଇଁ ପ୍ରୟାସ କରିଥାନ୍ତି l ଶାନ୍ତିଶୃଙ୍ଖଳା ବଳୟ ଭିତରକୁ ପ୍ରବେଶ କରିବା ସହଜ ହୋଇନ ଥାଏ । ଅଧିକାଂଶ ଗ୍ରାମର ଯାନୀମାନେ ନିଜ ଗ୍ରାମ୍ୟ ଦେବତାଙ୍କ ଅସ୍ତ୍ରଶସ୍ତ୍ର ଧରି ଟୋକି ପର୍ବ ପାଳନ କରୁଥିବା ଧରଣୀ ଦେବଙ୍କ ପୀଠରେ ଉପସ୍ଥିତ ହୋଇଥାନ୍ତି l ପରମ୍ପରା ଅନୁସାରେ ଗଡରା (ମେଣ୍ଢା)ମାଂସକୁ ନେଇଁ ନିଜ ଦେବୀଙ୍କ ପୀଠରେ ପୋତିଲେ ଶୁଭ ଫଳ ସହ ଚାଷ କାର୍ଯ୍ୟ ଭଲ ହେବାର ବିଶ୍ୱାସ ରହିଆସିଛି l ଏହି ପର୍ବରେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ପୋଲିସ ବାହିନୀ ଉପସ୍ଥିତ ହୋଇ ଶୃଙ୍ଖଳା ରକ୍ଷା କରିଥାନ୍ତି l ଟୋକି ପର୍ବ ଆର ଦିନ ତଥା ଦ୍ଵିତୀୟ ଦିନ ଧାଙ୍ଗରିଦୁଳା ହୋଇଥାଏ l ଏହି ଅବସରରେ ନାଚଗୀତ ମଉଜ କରିଥାନ୍ତି l ଏହି କ୍ରମରେ ପୋଟେସ ଏବଂ ବ୍ରାହ୍ମଣ କେନ୍ଦୁଗୁଡ଼ା ଟୋକି ପର୍ବରେ ଟୋକି ପର୍ବ କମିଟୀ କାର୍ଯ୍ୟରେ ନିଜ ନିଜ ଦାୟିତ୍ୱ ତୁଲାଇଥିବା ବେଳେ ଗ୍ରାମର ଯୁବଗୋଷ୍ଠୀ ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ଶାନ୍ତି ଶୃଙ୍ଖଳା ସହ ଟୋକି ପର୍ବ ପାଳିତ ହୋଇଯାଇଛି।

Leave a Reply

Your email address will not be published. Required fields are marked *