ରାଜ୍ୟ ଇସ୍ପାତ ଓ ଖଣି ମନ୍ତ୍ରୀ ଙ୍କ ତାଗିଦ୍ ପରେ ବି ଚାଲିଛି ଚୋରା ବାଲି ଚାଲାଣ ଓ କସର୍

କେସିଙ୍ଗା – କଳାହାଣ୍ଡି ଓ ବଲାଙ୍ଗିର ଜିଲ୍ଲା ମଧ୍ୟ ସ୍ଥଳୀ ତଥା ତେଲନଦୀର ମହଦା ବାଲିଘାଟରୁ ପ୍ରତ୍ୟେହ ଜେସିବି ମେସିନ ଓ ହାଇଓ୍ବା ଯୋଗେ ବାଲି ଚୋରା ଚାଲାଣ ହେଉଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର କେବଳ ଦେଖଣାହାରୀ ସାଜିଛନ୍ତି । ଗତ ୭/୮ ଦିନ ତଳେ ରାଜ୍ୟ ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା କଳାହାଣ୍ଡି ଜିଲ୍ଲା ଗସ୍ତରେ ଆସି ପ୍ରଶାସନିକ ଅଧିକାରୀ ଜିଲ୍ଲାପାଳ ଓ ଖଣି ବିଭାଗ ଅଧିକାରୀଙ୍କୁ ନେଇ ଲଘୁ ଖଣିଜ ଦ୍ରବ୍ୟ ଉପରେ ଏକ ରିଭ୍ୟୁ କରିଥିଲେ। ରିଭ୍ୟୁ ସମୟରେ ମନ୍ତ୍ରୀ ଶ୍ରୀ ଜେନା କହିଥିଲେ ଯେ ଜିଲ୍ଲା ଖଣି ବିଭାଗର ଉପନିର୍ଦେଶକ ଓ ଖଣି ଅଧିକାରୀଙ୍କ ନାମରେ ବହୁତ ଅଭିଯୋଗ ହେଉଛି। ସ୍ବଚ୍ଛତାରେ ଚାଲିବ କାମ, କାହା ଅନୁକମ୍ପା ରେ ନୁହେଁ। ତେଣୁ ଆପଣମାନେ କାମ କରିବାର ଯଦି ଇଚ୍ଛା ଅଛି ତାହେଲେ ଠିକ୍ ଭାବରେ କାମ କର, ନଚେତ କାମ ଛାଡ଼ିଦିଅ। ବାଲି ଲିଜଧାରୀମାନେ କେତେ ପରିମାଣରେ ଏବଂ କେତେ ସୀମା ଭିତରୁ ବାଲି ଉଠାଣ କରିବେ ତାହାର ଏକ ସୂଚନା ଫଳକ ଲଗାଇବା ସହ ଟ୍ରାଞ୍ଜିଟ୍ ନଥିବା ଗାଡିଗୁଡିକୁ ଧରପଗଡ କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ଖଣି ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ମନ୍ତ୍ରୀ ଶ୍ରୀ ଜେନା କହିଥିଲେ ଯେ ହାଇକୋର୍ଟଙ୍କ ଆଦେଶ ଅନୁସାରେ ସକାଳ ୭ ଠାରୁ ରାତ୍ର ୯ ଟା ଯାଏ ବାଲି ଉଠାଣ ହୋଇପାରିବ ନାହିଁ। କିନ୍ତୁ ବାଲି ମାଫିଆ ମାନେ ହାଇକୋର୍ଟଙ୍କ ଆଦେଶକୁ ବେଖାତିରି କରି ଖୁଲମଖୁଲା ଦିନରାତି ହାଇଓ୍ବା ଯୋଗେ କେସିଙ୍ଗା ସହର ମଧ୍ୟରେ ବାଲି ଚାଲାଣ କରୁଥିବା ବେଳେ ଜିଲ୍ଲା ଓ ସ୍ଥାନୀୟ ପ୍ରଶାସନ ଅଧିକାରୀମାନେ ଧୂତରାଷ୍ଟ୍ର ସାଜିଛନ୍ତି। ଏଥିସହିତ ଓଭର ଲୋଡିଂ ଗାଡିଗୁଡିକୁ ଧରିବା ଲାଗି ସୁନିଶ୍ଚିତ କରିବା ପାଇଁ ଜିଲ୍ଲା ପରିବହନ ଅଧିକାରୀଙ୍କୁ ମଧ୍ୟ କହିଥିଲେ। ଅନ୍ୟପକ୍ଷେ ବାଲି ମାଫିଆମାନେ କିଛିଦିନ ତଳେ ଖଣି ଉପନିର୍ଦେଶକଙ୍କ ଉପରେ ଆକ୍ରମଣ କରିଥିବାରୁ ପ୍ରଶାସନିକ ଅଧିକାରୀମାନେ ‘ଜୀବନ ଥିଲେ ଜୀବିକା ଅଛି’ ନୀତିରେ ଏମାନଙ୍କୁ ଧରପଗଡ କରିବା ପାଇଁ ଭୟ କରୁଛନ୍ତି। ଅପରପକ୍ଷରେ ଖଣି ଉପନିର୍ଦେଶକ ତାଙ୍କ ଉପରେ ଆକ୍ରମଣ ହୋଇଥିବା ବିଷୟରେ ପୋଲିସ ନିକଟରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ କେବଳ ମାମଲା ରୁଜ୍ଜୁ କରି ଆଜି ପର୍ଯ୍ୟନ୍ତ କୈାଣସି କାର୍ଯ୍ୟାନୁଷ୍ଠାନ ନେଇ ନାହାନ୍ତି। ତେବେ ମନ୍ତ୍ରୀଙ୍କ ତାଗିଦ୍ କେବଳ ଲୋକ ଦେଖାଣିଆ ଥିଲା ନା ଆନ୍ତରିକତା ଥିଲା ବୋଲି ସାଧାରଣରେ ଆଲୋଚନା ହେଉଛି।

Leave a Reply

Your email address will not be published. Required fields are marked *