
ନର୍ଲା (ପ୍ରଦୀପ କୁମାର ଗଉଡ)ଶ୍ରୀନଗର ସ୍ଥିତ କୋଇନିଖାନ ୧୬୧ ବାଟାଲିୟନରେ କାର୍ଯ୍ୟରତ ଥିଲେ ସିଆରପିଏଫ ଯବାନ ଭାସ୍କର ଜଡା। ଏହି ୩୦ ବର୍ଷୀୟ ଯୁବକଙ୍କ ମୃତ ଦେହ ମଙ୍ଗଳବାର ଦିନ ନିଜ ଗାଆଁ ନର୍ଲା ଅର୍ଥାତ୍ ଭିଟାମାଟିକୁ ଫେରିଛି। ସୂଚନା ଯୋଗ୍ୟ ଗତ ୧୨ ତାରିଖ ଦିନ ଅପରାହ୍ନ ତିନିଟା ସମୟରେ ନର୍ଲା ସହରର ଶମ୍ଭୁ ଜଡାଙ୍କ ବଡ ପୁଅ ଭାସ୍କର ଜଡା ସିଆରପିଏଫ ଯବାନ ଭାବେ ଶ୍ରୀନଗର ୧୬୧ ବାଟାଲିୟନରେ କାର୍ଯ୍ୟରତ ଥିବା ବେଳେ କୌଣସି କାରଣ ବଶତଃ ନିଜ ସର୍ଭିସ୍ ରାଇଫଲ ଗୁଳିରେ ମୃତ୍ୟୁ ବରଣ କରୁଥିବା ଖବର ପ୍ରସାରଣ ହେବାପରେ କଳାହାଣ୍ଡି ଜିଲ୍ଲା ତଥା ନର୍ଲା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା । ମୃତ ଯବାନଙ୍କ ଶରୀର ସିଆରପିଏଫ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ହସ୍ତକ୍ଷେପ ପରେ ଶ୍ରୀନଗର ଠାରୁ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ଏବଂ ଭୁବନେଶ୍ୱର ଠାରୁ ସ୍ୱତନ୍ତ୍ର ଗାଡ଼ି ଯୋଗେ ଗାଆଁ ମାଟିକୁ ଯବାନଙ୍କ ମୃତ ଶରୀର କୁ ସଲାମୀ ଦେଇ ପରିବାରଙ୍କୁ ହସ୍ତାନ୍ତର କରିଛନ୍ତି। ମୃତ ଯବାନଙ୍କ ଶରୀରକୁ ନର୍ଲା ସହର ପରିକ୍ରମା କରାଯାଇଥିଲା। ଶେଷରେ ଯବାନଙ୍କ ଅନ୍ତିମ ସଂସ୍କାର ସ୍ଥାନୀୟ ସାନ୍ଦୁଲ ନଦୀରେ ହଜାର ହଜାର ଲୋକଙ୍କ ଉପସ୍ଥିତିରେ ସମ୍ପର୍ଣ୍ଣ କରାଯାଇଛି।