କେସିଙ୍ଗା- ୧୪/୧ ଏକ ସୂଚନା ଅଧିକାର ଆଇନର ତଥ୍ୟ ଅନୁସାରେ ବର୍ତ୍ତମାନ କେସିଙ୍ଗା ବ୍ଲକର ଭାରପ୍ରାପ୍ତ ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ଭାବେ କାର୍ଯ୍ୟରତ ଲମ୍ବୁ ଶିଖା ପୂର୍ବରୁ ଚାଞ୍ଚେର ଓ ଉତ୍କେଳା ପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀ ଥିଲେ। ଦୁଇ ସରପଞ୍ଚଙ୍କ ସହ ସଲାସୁତରା କରି ବେଆଇନ ଭାବେ ଲକ୍ଷ ଲକ୍ଷ ଟଙ୍କା ହେରଫେର କରିଥିଲା ବେଳେ କୈାଣସି ସତ୍ୟ ପ୍ରାମାଣିକ କାଗଜ ପତ୍ର ନଥିବାରୁ ଆଜିଯାଏ ଚାର୍ଜ ଦେଇପାରି ନଥିବା ଜଣାପଡିଛି। ସୂଚନାରୁ ପ୍ରକାଶ ଯେ କେସିଙ୍ଗା ବ୍ଲକ ଅନ୍ତର୍ଗତ ଚାଞ୍ଚେର ଓ ଉତ୍କେଳା ପଞ୍ଚାୟତର ଶ୍ରୀ ଶିଖା ପିଇଓ ଭାବେ ଦାୟିତ୍ଵରେ ଥିବାବେଳେ ବ୍ଲକର ସ୍ଥାୟୀ ଜିପିଡିଓଙ୍କର ବଦଳି ଯୋଗୁଁ ତାଙ୍କୁ ଭାରପ୍ରାପ୍ତ ଜିପିଡିଓ ଭାବେ ଅବସ୍ଥାପିତ କରାଯାଇଥିଲା। ଉତ୍କେଳା ପଞ୍ଚାୟତର ପିଇଓ ଶ୍ରୀ ଶିଖାଙ୍କ ସ୍ଥାନରେ ପ୍ରଥମେ କୃତ୍ତାଞ୍ଜଳୀ ମାଝୀଙ୍କୁ ପିଆଇଓ ଭାବରେ ନିଯୁକ୍ତି ଦିଆଯାଇଥିଲା ବେଳେ ସେ ମାତ୍ର ମାସେ କାର୍ଯ୍ୟ କରିବା ପରେ ତାଙ୍କର ବଦଳି ହେବା ଯୋଗୁଁ ତାଙ୍କ ସ୍ଥାନରେ ରୁଦ୍ରାକ୍ଷ ସ୍ବାଇଁଙ୍କୁ ପିଆଇଓ ଭାବେ ନିଯୁକ୍ତି ମିଳିଥିଲା। ତେବେ ୧୪୧ ଅଫ୍ ଓଜିପି ୧୯୧୪ ଆକ୍ଟ ନିୟମ ଅନୁସାରେ ସଂପୃକ୍ତ ଜଣେ ବିଭାଗୀୟ ଅଫିସର କିମ୍ବା କର୍ମଚାରୀ ବଦଳି ହେବାର ୭ ଦିନ ଭିତରେ ସମ୍ପୂର୍ଣ ଦାୟିତ୍ବ ହସ୍ତାନ୍ତର କରିବା କଥା। କିନ୍ତୁ ଶ୍ରୀ ଶିଖା ଲକ୍ଷ ଲକ୍ଷ ଟଙ୍କା ହେରଫେର କରିଥିବା ଯୋଗୁଁ ଆଜିଯାଏ ସମ୍ପୂର୍ଣ୍ଣ ଦାୟିତ୍ବ ହସ୍ତାନ୍ତର କରି ପାରିନାହାଁନ୍ତି। ଏଣୁ ପୂର୍ବତନ ପିଇଓ ଶ୍ରୀ ସ୍ବାଇଁ ଓଜିପି ରୁଲ୍ ୨୦୧୪ ଆକ୍ଟ ଅନୁସାରେ ଉତ୍କେଳା ପଞ୍ଚାୟତର ତା.୧.୪.୨୦୨୨ ରୁ ୨୪.୯.୨୦୨୪ ପର୍ଯ୍ୟନ୍ତ ସ୍ପେଶାଲ ଅଡିଟ୍ କରିବାକୁ ପୂର୍ବତନ ବିଡ଼ିଓଙ୍କୁ ନିବେଦନ କରିଥିଲେ। ମିଳିଥିବା ତଥ୍ୟ ଅନୁସାରେ ୧୪ ଓ ୧୫ତମ ସିଏଫସି ଫଣ୍ଡର ପାସ୍ ବୁକ୍ ଓ କ୍ୟାସ୍ ବୁକ୍ ମଧ୍ୟରେ ବହୁତ ପ୍ରଭେଦ ଥିବା ତଦନ୍ତ ଅଧିକାରୀ ଦେଖିଥିଲେ। ଯାହାକି ତା. ୨୪. ୯. ୨୦୨୪ ରିଖ ପର୍ଯ୍ୟନ୍ତ କ୍ୟାସ୍ ବୁକ୍ ରେ ୩୬,୭୭,୬୭୧ ଟଙ୍କା ଥିଲାବେଳେ ପାସ୍ ବୁକ୍ ରେ ୪୧, ୧୯୬, ୫୪ ଟଙ୍କା ରହିଛି। ସେହିପରି ପାସ୍ ବୁକ୍ ଅନୁସାରେ ବିଭିନ୍ନ ତାରିଖ ଓ ଚେକ୍ ବୁକ୍ ନମ୍ବରରେ ୫୫,୧୭୧,୦୦ ଟଙ୍କା ଉଠାଣ ହୋଇଛି। ଦ୍ବିତୀୟରେ ୪ର୍ଥ ଓ ୫ମ ଏସଏଫସି ଫଣ୍ଡର କ୍ୟାସ୍ ବୁକ୍ ରେ ୪,୧୪,୪୫୨ ଟଙ୍କା ଦର୍ଶାଯାଇଥିଲା ବେଳେ ପାସ୍ ବୁକ୍ ରେ ମାତ୍ର ୧୪, ୮୧୭ ଟଙ୍କା ରହିଛି। ସେହିପରି ବିଭିନ୍ନ ତାରିଖ ଓ ଚେକ୍ ବୁକ୍ ନମ୍ବରରେ ୧୪,୮୮୭,୩୭ ଟଙ୍କା ଉଠାଣ ହୋଇଥିବା ତଦନ୍ତକାରୀ ଅଫିସର ଜାଣିବାକୁ ପାଇଥିଲେ। ତେବେ ଏହି ଫଣ୍ଡର କାରବାର ପବ୍ଲିକ ଫଣ୍ଡ ମ୍ୟାନେଜମେଣ୍ଟ ସିଷ୍ଟମ ପୋର୍ଟାଲରେ ଅନଲାଇନ୍ ପେମେଣ୍ଟ ହେବାକୁ ଥିଲାବେଳେ ପିଇଓ ଶ୍ରୀ ଶିଖା ଓ ସରପଞ୍ଚ ନରେନ୍ଦ୍ର ମାଝି କେବଳ ଚେକ୍ ମାଧ୍ୟମରେ ଉଠାଣ କରି ପାସ୍ ବୁକ୍ ରେ କମ୍ ଥିଲାବେଳେ କ୍ୟାସ୍ ବୁକ୍ ରେ ୭୦,୦୫, ୮୩୭ ଟଙ୍କା ଥିବା ବ୍ଲକ ଫାଇନାନ୍ସ ଅଫିସର ତଦନ୍ତରୁ ଜାଣିପାରିଥିଲେ। ଏହି ତଦନ୍ତ ରିପୋର୍ଟ ତଦନ୍ତକାରୀ ଅଧିକାରୀ ପୂର୍ବତନ ବିଡ଼ିଓଙ୍କୁ ଦେଲାପରେ ବ୍ଲକ କାର୍ଯ୍ୟାଳୟ ଚିଠି ନଂ ୬୩୭୯/ ତା.୧୫.୧୦. ୨୦୨୪ ରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଥିଲେ। ହେଲେ ପରିତାପର ବିଷୟ ଦୀର୍ଘ ୨ ମାସ ହୋଇଯାଇଥିଲେ ହେଁ କୈାଣସି ପଦକ୍ଷେପ ନିଆଯାଇନଥିବା ରୁ ଦୁର୍ନୀତି କରିଥିବା ଅଧିକାରୀଙ୍କୁ ସୁହାଉଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଏଥିପ୍ରତି ରାଜ୍ୟ ସରକାର ଦୃଷ୍ଟି ଦେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।