
କେସିଙ୍ଗା- ୧୫/୧ : ୨୦୧୯-୨୦ ଆର୍ଥିକ ବର୍ଷରେ କଳାହାଣ୍ଡି ଜିଲ୍ଲା ଫଟକାମାଲ ଗ୍ରାମ ପଞ୍ଚାୟତର ଫଟକାମାଲ ଗ୍ରାମରେ ୨ ଟି ଶସ୍ୟଖଳା ନିର୍ମାଣ ପାଇଁ ସରକାର ପ୍ରତି ଖଳା ପିଛା ୭ ଲକ୍ଷ ୩୨ ହଜାର ଟଙ୍କା ମଞ୍ଜୁର କରିଥିଲେ। ହେଲେ ତତ୍କାଳୀନ ଜିଲ୍ଲାପାଳଙ୍କ ଫୋନରେ ନିର୍ଦ୍ଦେଶ କ୍ରମେ ଗତ ୨୦୨୧ ମସିହା ଫେବୃଆରୀ ୪ ତାରିଖରେ ସ୍ଥାନୀୟ ତହସିଲଦାର, ଅତିରିକ୍ତ କୃଷି ଅଧିକାରୀ, ବିଡ଼ିଓ ଏବଂ ଏଆରସିଏସ, ଭବାନୀପାଟଣାଙ୍କୁ ନେଇ ଗଠିତ ବ୍ଲକ କମିଟୀ ଫଟକାମାଲ ପଞ୍ଚାୟତରୁ ଗୋଟିଏ ଖଳା ସ୍ଥାନାନ୍ତରିତ କରି ଲଇତରା ପଞ୍ଚାୟତର ଦେଣ୍ଡୋଗୁଡା ଗ୍ରାମରେ ଏକ ଶସ୍ୟଖଳା ନିର୍ମାଣ ପାଇଁ ସୁପାରିଶ କରିବା ସହିତ ଚିଠି ନଂ ୨୧୭/ତା.୪.୨.୨୧ ରେ ଜିଲ୍ଲାପାଳ ଓ ଜିଲ୍ଲା ପରିଷଦ ପିଡିଙ୍କ ଅବଗତି ନିମନ୍ତେ ପଠାଇଥିଲେ। ତେବେ ତତ୍କାଳୀନ ଲଇତରା ରାଜସ୍ୱ ନୀରିକ୍ଷକ ତା. ୨୮.୫.୨୦୨୧ ରିଖରେ ପ୍ରଥମେ ଖାତା ନଂ ୨୨୪ ଓ ପ୍ଲଟ୍ ନଂ ୯୪୩ ରେ ଶସ୍ୟଖଳା ନିର୍ମାଣ ପାଇଁ ଏକ ସ୍କେଚ ମ୍ୟାପ୍ ଦେଇଥିଲେ। ଏହାକୁ ତତ୍କାଳୀନ ବିଡ଼ିଓ ପ୍ରଫୁଲ୍ଲ କୁମାର ଓଦୁ ତା.୩୧.୧୨. ୨୦୨୧ ରିଖରେ ଅନୁମୋଦନ କରିଥିଲେ। ପୁନଶ୍ଚ ତା.୨୬.୯. ୨୦୨୨ ରିଖରେ ତତ୍କାଳୀନ ରାଜସ୍ବ ନୀରିକ୍ଷକ ଖାତା ନଂ ୨୨୩ ଓ ପ୍ଲଟ୍ ନଂ ୧୪୮୨ ରେ ସେହି ଶସ୍ୟଖଳା ନିର୍ମାଣ ପାଇଁ ଆଉ ଅନ୍ୟ ଏକ ସ୍କେଚ ମ୍ୟାପ୍ ଦେଇଥିଲେ। ଯାହାକି ପ୍ଲଟ୍ ନଂ ୯୪୩ ର କିସମ ପଥର ଚଟାଣ ଥିଲାବେଳେ ଦ୍ବିତୀୟ ପ୍ଲଟ୍ ନଂ ର କିସମ ବସ୍ତି ଯୋଗ୍ୟ ବୋଲି ରାଜସ୍ୱ ନୀରିକ୍ଷକ ଉଲ୍ଲେଖ କରିଛନ୍ତି। ଏହି ଦୁଇଟି ପ୍ଲଟ୍ କୁ ନେଇ ୨ ଗୋଷ୍ଠୀ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା ବେଳେ ବର୍ତ୍ତମାନ ଶସ୍ୟଖଳା କାମ ବନ୍ଦ ଥିବା କନିଷ୍ଠ ଯନ୍ତ୍ରୀ ତ୍ରୈଲୋକ୍ୟ ବେହେରା କହିଛନ୍ତି।
