
କଲମପୁର- ୩/୨(ଗଣେଶରାମ ବାଗ) କଳାହାଣ୍ଡି ଜିଲ୍ଲା କଲମପୁର ଥାନା ଖୋଲିବାର ତିନି ବର୍ଷ ମଧ୍ୟରେ ତିନି ଜଣ ଥାନାଧିକାରୀ ବଦଳି ହୋଇ ଚାଲିଗଲେଣି । ତେବେ ଏଠାରେ କାର୍ଯ୍ୟରତ ଚତୁର୍ଥ ଥାନାଧିକାରୀ ପ୍ରଦୁପ୍ତ କୁମାର କାନୁନଗୋଙ୍କୁ ବଦଳି କରି ଦିଆଯାଇଥିବାରୁ ସେହି ପଦବୀ ଏବେ ଖାଲି ପଡିଛି । ଏହି ଥାନା ଅର୍ନ୍ତଗତ ବଡକୁଟୃ ଫାଣ୍ଡି ଅଧିକାରୀ ଶିବଶଙ୍କର ମହାନ୍ତି ଥାନାଧିକାରୀ ଭାବେ ଅତିରିକ୍ତ ଦାୟିତ୍ବ ନିର୍ବାହ କରୁଛନ୍ତି । ଯେତେବେଳେ କଲମପୁର ଅଞ୍ଚଳବାସୀ ଏହି ଥାନା ପାଇଁ ଆନ୍ଦୋଳନ କରିଥିଲେ ସେହି ଦିନଠାରୁ ସେମାନଙ୍କ ଭରସା ବିଶ୍ଵାସ ଥିଲା ଯେ ପୋଲିସ ଆମକୁ ସୁରକ୍ଷା ଦେବ। ଆମକୁ ଅନ୍ୟ ଥାନା ଉପରେ ନିର୍ଭର କରିବାକୁ ପଡିବ ନାହିଁ । କିନ୍ତୁ ଦେଖିବାକୁ ମିଳିଛି ଯଥା ପୂର୍ବଂ ତଥା ପରଂ ପରିସ୍ଥିତି। ଅନ୍ୟପକ୍ଷେ ଅଞ୍ଚଳରେ ବିଭିନ୍ନ ମାମଲା ବୃଦ୍ଧି ପାଇବାରେ ଲାଗିଛି। ଏଣୁ ମୁରବୀ ବିହୀନ ଥାନା ଉପରେ ଲୋକଙ୍କ ଭରସା ବିଶ୍ଵାସ ତୁଟିବାରେ ଲାଗିଛି । ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ଉଚ୍ଚ କର୍ତ୍ତୃପକ୍ଷ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଜନସାଧାରଣରେ ଦାବୀ ହେଉଛି।