କେସିଙ୍ଗା-୪/୨ କଳାହାଣ୍ଡି ସାଂସଦ ଶ୍ରୀମତୀ ମାଳବିକା ଦେବୀ ଗତକାଲି କେସିଙ୍ଗା ରୁ ରାଜ୍ୟର ରାଜଧାନୀ ଭୁବନେଶ୍ବରକୁ ସିଧାସଳଖ ଟ୍ରେନ୍ ଚଳାଚଳ ପାଇଁ ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କୁ ଏକ ଚିଠି ଲେଖିଥିବା ଜଣାପଡିଛି। ଚିଠିରେ କେସିଙ୍ଗା କଳାହାଣ୍ଡି ଜିଲ୍ଲାର ମୂଖ୍ୟ ବ୍ୟବସାୟିକ କେନ୍ଦ୍ର ହୋଇଥିବାରୁ ଏଠାରୁ ବିଭିନ୍ନ ସହରକୁ ବ୍ୟବସାୟ ଉପକରଣ ପ୍ରେରଣ କରାଯାଇଥାଏ। କେସିଙ୍ଗା ରୁ ଭୁବନେଶ୍ୱରକୁ ସିଧାସଳଖ ଟ୍ରେନ୍ ନଥିବାରୁ ହୋଲସେଲ ବ୍ୟବସାୟୀମାନେ ଜିଲ୍ଲା ବାହାରକୁ ସେମାନଙ୍କ ବ୍ୟବସାୟିକ ସାମଗ୍ରୀ ପଠାଇବାକୁ ନାନା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ସେମାନେ ନିଜ ବ୍ୟବସାୟ ସମ୍ବନ୍ଧୀୟ କାରବାର ପାଇଁ ଅନ୍ୟ ଜିଲ୍ଲା ତଥା ରାଜ୍ୟକୁ ଗମନାଗମନ ପାଇଁ ହଇରାଣ ହରକତ ହୋଇଥାନ୍ତି। ଏଥିସହିତ ମାରାତ୍ମକ ରୋଗରେ ପୀଡିତ ରୋଗୀମାନେ ମଧ୍ୟ ଭୁବନେଶ୍ବର ଓ କଟକର ସରକାରୀ ଓ ବିଭିନ୍ନ ବେସରକାରୀ ହସ୍ପିଟାଲକୁ ଚିକିତ୍ସା ଲାଗି ଯାତାୟାତରେ ଘୋର ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଅଧିକାଂଶ ବ୍ୟବସାୟୀ ଓ ରୋଗୀ ମାନେ ଅଧିକା ଖର୍ଚ୍ଚାନ୍ତ ହୋଇ ବାଧ୍ୟ ବାଧ୍ୟକତାରେ କାର୍ ଭଡ଼ା କରି ଗନ୍ତବ୍ୟ ସ୍ଥଳକୁ ଯାଇଥାନ୍ତି। ଏନେଇ ଅଞ୍ଚଳର ଲୋକମାନେ ଏହି ଟ୍ରେନ ଚଳାଚଳ ପାଇଁ ଦୀର୍ଘଦିନରୁ ଦାବି କରି ଆସୁଥିଲେ ହେଁ ତାହା ଆଜିଯାଏ କାର୍ଯ୍ୟକ୍ଷମ ହୋଇପାରିନାହିଁ। ତେଣୁ କେସିଙ୍ଗା ରୁ ଭୁବନେଶ୍ୱରକୁ ସିଧାସଳଖ ଟ୍ରେନ୍ ତୁରନ୍ତ ଚଳାଚଳର ବ୍ୟବସ୍ଥା କରିବା ପାଇଁ ସାଂସଦ ଶ୍ରୀମତୀ ଦେବୀ ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବଙ୍କୁ ଏହି ଚିଠିରେ ଉଲ୍ଲେଖ କରିଛନ୍ତି।