ଜିଲ୍ଲାପାଳଙ୍କ ଗୁପ୍ତ ବୈଠକ କୁ ନେଇ ସନ୍ଦେହ ଘନୀଭୂତ

ଏହି ବୈଠକ ଅଞ୍ଚଳର କପାଚାଷୀଙ୍କ ସ୍ବାର୍ଥ ପାଇଁ ନା ଆଉ କାହା ସ୍ବାର୍ଥ ପାଇଁ ?

କେସିଙ୍ଗା-୭/୨ ଆଜି କଳାହାଣ୍ଡି ଜିଲ୍ଲାପାଳ ପାଓ୍ବାର ସଚିନ ପ୍ରକାଶ ସ୍ଥାନୀୟ କୋଣାର୍କ ସୂତାକଳ ପରିଦର୍ଶନରେ ଆସି ମାତ୍ର ୧୦ ମିନିଟ୍ ଭିତରେ ବିଭିନ୍ନ ସ୍ଥାନ ବୁଲି ଦେଖିବା ପରେ କିଛି ପ୍ରଶାସନ ଅଧିକାରୀଙ୍କୁ ନେଇ କବାଟକୀଳା ଗୁପ୍ତ ବୈଠକ କରିଥିବାରୁ ଲୋକଙ୍କ ମନରେ ସନ୍ଦେହ ଘନୀଭୂତ ହୋଇଛି। ସୂଚନାଯୋଗ୍ୟ ୧୯୮୪ ମସିହାରେ ୧୫ କୋଟି ଟଙ୍କା ବ୍ୟୟରେ କୋଣାର୍କ ସୂତାକଳ ନାମରେ କେବଳ କିଛି କୋଠାଘର ଓ ଗୋଦାମ ଗୃହ ନିର୍ମାଣ କରାଯାଇଥିଲା। କିନ୍ତୁ ଏହି ସୂତାକଳ କାର୍ଯ୍ୟକ୍ଷମ ହୋଇ ନପାରିବାରୁ ଏହାର ଦକ୍ଷିଣ ଦିଗରେ ୧୯୯୩ ମସିହାରେ ଏକ ଜିନିଂ ମିଲ୍ ନିର୍ମାଣ କରାଯାଇ ‘ଏକ ଗୋଲିମେ ଦୋ ଶିକାର’ ଭଳି ପ୍ରଥମେ କପାରୁ ମଞ୍ଜି ବାହାର କରି ତାକୁ ବଣ୍ଡଲ କରାଯାଇ ବିଭିନ୍ନ ରାଜ୍ୟରେ ବିକ୍ରୟ କରାଯାଉଥିଲା। ଦ୍ବିତୀୟରେ କପା ମଞ୍ଜିରୁ ତୈଳ ବାହାର କରିବା ପାଇଁ ମଞ୍ଜିକୁ ମଧ୍ୟ ଅନ୍ୟ ରାଜ୍ୟରେ ବିକ୍ରୟ କରି ବେଶ ଲାଭବାନ ହେଉଥିଲେ। ମାତ୍ର ଏଠାକାର କିଛି କର୍ମଚାରୀ ରାଜନୀତି କରି ପାଖାପାଖି ଦୁଇବର୍ଷ ହେଲା ଜିନିଂ ବିଲ୍ ବନ୍ଦ କରିବାରେ ସଫଳ ହୋଇଛନ୍ତି। ଫଳରେ ପ୍ରାଇଭେଟ୍ ଜିନିଂ ମିଲ୍ ଗୁଡ଼ିକ ବେଶ୍ ଲାଭବାନ ହେବାରେ ଲାଗିଛନ୍ତି। ଅନ୍ୟପଟେ ଜିନିଂ ମିଲ୍ ବନ୍ଦ ଯୋଗୁଁ ଏଠାକାର କର୍ମଚାରୀ ଓ ଶ୍ରମିକମାନେ ଦୀର୍ଘ ୨୬ ମାସ ହେଲା ଦରମା ପାଇବାରୁ ବଞ୍ଚିତ ରହିଛନ୍ତି। ଏଣୁ ସେମାନଙ୍କ ସହିତ ତାଙ୍କ ପରିବାର ଲୋକଙ୍କ ଜୀବନ ଦୂର୍ବିସହ୍ୟ ହୋଇ ପଡ଼ିଛି। ଏଠାରେ କଟନ୍ କର୍ପୋରେସନ ଅଫ୍ ଇଣ୍ଡିଆ ମଣ୍ଡି ମାଧ୍ୟମରେ କପା ସଂଗ୍ରହ କରି କୋଣାର୍କ ଜିନିଂ ମିଲ୍ କୁ ଯୋଗାଇ ଥାଏ। ହେଲେ କ’ଣ ହେଲା ଯେ ସିସିଆଇ ଆଉ କପା କିଣୁନାହିଁ କି କୋଣାର୍କ ଜିନିଂ ମିଲ୍ କୁ ଯୋଗାଣ କରୁନଥିବାରୁ ଉକ୍ତ ଜିନିଂ ମିଲ୍ ବନ୍ଦ ହୋଇପଡ଼ିଛି। ଅନେକ ସମୟରେ ବିଭିନ୍ନ ରାଜନୈତିକ ନେତୃବୃନ୍ଦ ଓ ପ୍ରଶାସନିକ ଅଧିକାରୀ ମାନେ ଏଠାକୁ ଆସି ଏମିତି କରିଦେବୁ, ସେମିତି କରିଦେବୁ ବୋଲି କହି ଛୁ ମାରୁଥିଲା ବେଳେ ଏମାନଙ୍କୁ ବିଭିନ୍ନ ମିଥ୍ୟା ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଥାନ୍ତି। ଏ ବିଷୟରେ କିଛି ଗଣମାଧ୍ୟମ ପ୍ରତିନିଧି ଜିଲ୍ଲାପାଳ ପାଓ୍ବାର ସଚିନ ପ୍ରକାଶଙ୍କୁ ଅବଗତ କରାଇବା ପାଇଁ ଉଦ୍ୟମ କରିଥିଲେ ହେଁ ତାକୁ ଏଡାଇ ଯାଇଥିଲେ। ଏହାପରେ ସ୍ଥାନୀୟ ତହସିଲଦାର ତାଙ୍କୁ ଡାକିଲା ପରେ ତହସିଲ କାର୍ଯ୍ୟାଳୟକୁ ପଳେଇ ଯାଇଥିଲେ। ଅପର ପକ୍ଷରେ ଏକ ଅସମର୍ଥିତ ସୂତ୍ରରୁ ପ୍ରକାଶ ଯେ ରାଜ୍ୟରେ ଅବ୍ୟବହୃତ ହୋଇପଡ଼ିଥିବା ସରକାରୀ ଯାଗାକୁ ଏବେ ଇଡିକୋକୁ ହସ୍ତାନ୍ତର କରିବା ପାଇଁ ମସୁଧା ଚାଲିଛି। ଯଦି କୋଣାର୍କ ସୂତାକଳର ଅବ୍ୟବହୃତ ଯାଗାକୁ ଇଡକୋ କୁ ହସ୍ତାନ୍ତର ହୋଇଯାଏ ତେବେ ଆଗାମୀ ଦିନରେ କୋଣାର୍କ ସ୍ପିନିଂ ମିଲ୍ ତା’ର ଅସ୍ତିତ୍ବ ହରାଇ ବସିବ।

Leave a Reply

Your email address will not be published. Required fields are marked *