
କଲମପୁର- ୧୦/୨(ଗଣେଶରାମ ବାଗ) କଳାହାଣ୍ଡି ଜିଲ୍ଲା କଲମପୁର ଓଡିଶା ଜୀବିକା ମିଶନ ଶକ୍ତି ସଂଘର ଅନୁବନ୍ଧିତ କଲମପୁର ବ୍ଲକସ୍ତରୀୟ ଇସି ସଂଘ (ବିଏଲଏଫ) ପଞ୍ଚାୟତ ସ୍ତରୀୟ ଇସି ସଂଘ (ଜିପିଏଲଏଫ)ର ମିଳିତ ଆନୁକୁଲ୍ୟରେ ସୋମବାର ଦିନ ବିକ୍ଷୋଭ ପ୍ରଦର୍ଶନ ଓ ଦାବିପତ୍ର ପ୍ରଦାନ କରା ଯାଇଛି । ସଂଘର ସଭାନେତ୍ରୀ ଲିଳାବତୀ ରାଉତ, ଉପ ସଭାନେତ୍ରୀ ସୁମତୀ ଛତ୍ରିଆ, ସଂପାଦିକା ରଞ୍ଜିତା ନାଏକଙ୍କ ନେତୃତ୍ୱରେ ଶତାଧିକ ସଦସ୍ୟା ସାମିଲ ହୋଇଥିଲେ । କଲମପୁର ଶ୍ରୀ ଜଗନ୍ନାଥ ମନ୍ଦିର ଠାରୁ ଏକ ଶୋଭାଯାତ୍ରା ବାହାରି ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ବିଡିଓ ବିଜୟ କୁମାର ମାଣ୍ଡାଙ୍ଗୀଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଥିଲେ। ବିଡିଓ ଶ୍ରୀ ମାଣ୍ଡାଙ୍ଗୀ ଦାବିପତ୍ର ଗ୍ରହଣ କରି ମୁଁ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବି ବୋଲି କହିଥିଲେ । ଇସି ସଂଘର ଦାବି ଅନୁସାରେ ସରକାର ସେମାନଙ୍କୁ ଅବ୍ୟାହତି ଦେବାକୁ ଯୋଜନା କରିଛନ୍ତି। ଦୀର୍ଘ ଦିନ ହେଲା ସେମାନେ କମ୍ ପାରିଶ୍ରମିକରେ କାମ କରି ଆସୁଥିବା ବେଳେ ବର୍ଷେ ହେବ ଗସ୍ତ ଖର୍ଚ୍ଚ ପ୍ରଦାନ କରି ନାହାନ୍ତି। ଅନ୍ୟପକ୍ଷରେ ସ୍କୁଟି ଋଣ ଏପର୍ଯ୍ୟନ୍ତ ପରିଶୋଧ ହୋଇପାରିନାହିଁ। ଏହାକୁ ପ୍ରତ୍ୟାଖ୍ୟାନ କରାଯାଉ ବୋଲି ସେମାନେ ଦାବି ପତ୍ରରେ ଉଲ୍ଲେଖ କରିଛନ୍ତି । ପ୍ରକାଶ ଯେ ଏମାନଙ୍କ ପାଇଁ ସରକାର ତିନି ବର୍ଷର କାର୍ଯ୍ୟକାଳ ଅବଧି ଧାର୍ଯ୍ୟ କରିଥିବା ବେଳେ ତିନି ବର୍ଷ ପରେ ପୁଣି ଥରେ ଚୟନ କରିବାର ନୀୟମ ରହିଛି। ଏଭଳି କାରଣରୁ ବିଗତ ଦିନରେ ଏଠାରେ ଗଠିତ ବ୍ଲକସ୍ତରୀୟ ସଂଘ ଭଗ୍ନ କରାଯାଇଥିଲା । ଫଳରେ ପୂର୍ବତନ ସଭାନେତ୍ରୀ ଦୀପ୍ତିମୟୀ ଆଚାରୀ ବିଦା ହୋଇଥିବା ବେଳେ ଲିଳାବତୀ ରାଉତ ସଭାନେତ୍ରୀ ହୋଇଥିଲେ । ଏବେ ଲିଳାବତୀ ରାଉତ ଓ କମିଟି କର୍ମକର୍ତ୍ତା ମାନେ ତାଙ୍କ କାର୍ଯ୍ୟକାଳ ଅବଧି ଶେଷ ହେବା ପରେ ବି ଏହି ପଦବୀରେ ରହିବାକୁ ଆନ୍ଦୋଳନ ପନ୍ଥା ଆପଣାଇଛନ୍ତି ବୋଲି ସାଧାରଣରେ ଅଭିଯୋଗ ହେଉଛି।