କେସିଙ୍ଗା -୧୯/୪ ପୂର୍ବ ସରକାରଙ୍କ ଶାସନ କାଳରେ ଛାତ୍ରଛାତ୍ରୀ ମାନେ କିପରି ପାଠପଢାରେ ଆଗ୍ରହୀ ହେବେ ଓ ଉନ୍ନତମାନର ଶିକ୍ଷାଦାନ ନିମନ୍ତେ ହାଇସ୍କୁଲ ଗୁଡିକୁ ୫ଟି ଯୋଜନାରେ ରୂପାନ୍ତରିତ କରିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ମଞ୍ଜୁର କରିଥିଲେ। କିନ୍ତୁ ସୂଚନା ଅଧିକାର ଆଇନ ତଥ୍ୟ ଅନୁସାରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକରେ ୨୦୨୨ ରୁ ୨୦୨୫ ଆର୍ଥିକ ବର୍ଷରେ ରୂପାନ୍ତରିତ ହୋଇଥିବା ସ୍କୁଲ ମାନଙ୍କରେ ବ୍ୟାପକ ଅର୍ଥ ମିଥ୍ୟା ବିଲ୍ କରି ଲକ୍ଷ ଲକ୍ଷ ଟଙ୍କା ହରିଲୁଟ କରିଥିବା ସନ୍ଦେହ ସୣଷ୍ଟି କରିଛି। ଉଦାହରଣ ସ୍ବରୂପ ବାଲସି ଗ୍ରାମର ଜବାହର ଉଚ୍ଚ ବିଦ୍ୟାପୀଠ ( ଏ ), କାଣ୍ଡେଲ ରୋଡ୍ ୫ଟି ରୂପାନ୍ତରିତକରଣ କାର୍ଯ୍ୟରେ ମଜୁରୀ ବାବଦ ୧୫ଲକ୍ଷ ୮୧ ହଜାର ୫୬୦ ଟଙ୍କା ଖର୍ଚ୍ଚ ହୋଇଥିଲା ବେଳେ ଏଥିରେ ଶ୍ରମିକ ଭାବେ କାମ କରିଥିବା ଗରିବ ଲୋକଙ୍କୁ ଦୀର୍ଘ ୯ ମାସ ପରେ ପ୍ରାପ୍ୟ ପ୍ରଦାନ କରାଯାଇଥିବା ରସିଦରୁ ପ୍ରକାଶ। ସେ ପୁଣି ଜନୈକ ଲୋକ ମାଧ୍ୟମରେ ଦିଆଯାଇଛି। ସେହିପରି ପ୍ରଧାନଶିକ୍ଷକ କହିବାନୁଯାୟୀ ୨ଟି ସ୍ମାର୍ଟ କ୍ଲାସ ଓ ଅନ୍ୟ ଶ୍ରେଣୀ କୋଠରୀଗୁଡିକ ମରାମତି କାର୍ଯ୍ୟ ହୋଇଛି। କିନ୍ତୁ ଆରଟିଆଇ ତଥ୍ୟ ଅନୁସାରେ ସିମେଣ୍ଟ ୯୮୬ ବସ୍ତା ଓ ଟିଏମଟି ବାର୍ ( ରଡ୍ ) ୬୦୭୬ କେଜି ବ୍ୟବହାର ହୋଇଥିବା ପ୍ରକାଶ। ଏହି କାର୍ଯ୍ୟରେ ବ୍ୟବହୃତ ସିମେଣ୍ଟ ଓ ରଡ୍ ବାବଦ ଅର୍ଥ ଶ୍ରମିକ ମାନଙ୍କୁ ପ୍ରାପ୍ୟ ପ୍ରଦାନ ଦିନ ହିଁ ସେହି ଲୋକ ମାଧ୍ୟମରେ ଦିଆଯାଇଛି। ଏଥରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ ମିଥ୍ୟା ବିଲ୍ କରାଯାଇ ଲକ୍ଷ ଲକ୍ଷ ଟଙ୍କା ହରିଲୁଟ କରାଯାଇଛି। ଏ ବିଷୟରେ ଉକ୍ତ ସ୍କୁଲର ପ୍ରଧାନଶିକ୍ଷକ ବୁଦ୍ଧଦେବ ପୋଢଙ୍କୁ ପଚାରିବାରୁ ସେ ତତ୍କାଳୀନ ପୂର୍ବତନ ବିଡିଓ, ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀଙ୍କ କହିବାନୁସାରେ ସାମଗ୍ରୀ ଓ ଲେବର୍ ପେମେଣ୍ଟ କରାଯାଇଛି। ତେଣୁ ମୁଁ କ’ଣ କରିବି ବୋଲି କହିଥିଲେ। ତେଣୁ ରାଜ୍ୟ ସରକାର କେସିଙ୍ଗା ବ୍ଲକର ସମସ୍ତ ସ୍କୁଲରେ ହୋଇଥିବା ୫ଟି ରୂପାନ୍ତରି ତକରଣ କାର୍ଯ୍ୟର ସ୍ପେଶାଲ ଅଡିଟ କରିବା ପାଇଁ ଦାବି ହେଉଛି।