କେସିଙ୍ଗା ପ୍ରତି କେନ୍ଦ୍ର ରେଳମନ୍ତ୍ରୀଙ୍କ ପକ୍ଷପାତିତା, କେନ୍ଦ୍ର ସରକାରଙ୍କ ବିରୋଧ ରେ ଜନ ଅସନ୍ତୋଷ ବୃଦ୍ଧି

କେସିଙ୍ଗା- ୨୫/୧ କଳାହାଣ୍ଡି ଜିଲ୍ଲା କେସିଙ୍ଗାରେ ଏକ ସର୍ବ ପୂରାତନ ରେଳ ଷ୍ଟେସନ ରହିଛି। ଏହି ଷ୍ଟେସନ ଦେଇ ଜିଲ୍ଲା ତଥା ଅନ୍ୟାନ୍ୟ ଜିଲ୍ଲାର ଯାତ୍ରୀମାନେ ଦୂରଦୂରାନ୍ତ ସ୍ଥାନକୁ ଯାତାୟାତ ପାଇଁ ନିର୍ଭରଶୀଳ ଥିଲାବେଳେ ସମ୍ବଲପୁର ରେଳ ଡିଭିଜନର ଦ୍ବିତୀୟ ଅଧିକ ରାଜସ୍ୱ ସଂଗ୍ରହକାରୀ ଷ୍ଟେସନ ଭାବେ ପରିଚିତ। କିନ୍ତୁ ପରିତାପର ବିଷୟ ମହାମାରୀ କୋଭିଡ୍ ସମୟରୁ କେସିଙ୍ଗା ରୁ ରାଜ୍ୟର ରାଜଧାନୀ ଭୁବନେଶ୍ଵର ଯାତାୟତ ପାଇଁ ରାୟଗଡା – ସମ୍ବଲପୁର ଠାରେ ହାତିଆ ଏକ୍ସପ୍ରେସରେ ସଂଯୋଗ ହୋଇ ଭୁବନେଶ୍ୱର ଗମନାଗମନ କରୁଥିବା ଟ୍ରେନକୁ ଆଜିଯାଏ ବନ୍ଦ ରଖାଯାଇଛି। ଏଣୁ ଅଞ୍ଚଳର ଯାତ୍ରୀମାନେ ସିଧାସଳଖ ରେଳ ଯୋଗେ ଭୁବନେଶ୍ୱର ଯାତାୟତ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବର୍ତ୍ତମାନର କେନ୍ଦ୍ର ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ୨୦୧୯ ସାଧାରଣ ନିର୍ବାଚନ ପ୍ରଚାର ପାଇଁ କେସିଙ୍ଗା ଆସିଥିଲା ବେଳେ ଦଳମତ ନିର୍ବିଶେଷରେ ସହରର ସାଧାରଣ ନାଗରିକ ଠାରୁ ଆରମ୍ଭ କରି ବୁଦ୍ଧିଜୀବୀମାନେ କେସିଙ୍ଗା – ଭୁବନେଶ୍ୱର ଯାତାୟତ ପାଇଁ ଏକ ସିଧାସଳଖ ଟ୍ରେନ କିମ୍ବା ଇଣ୍ଟରସିଟ୍ ଏକ୍ସପ୍ରେସ କେସିଙ୍ଗା ନଚେତ୍ ଜୁନାଗଡ଼ ପର୍ଯ୍ୟନ୍ତ ସ଼ଂପ୍ରସାରଣ କରିବା ଲାଗି ଦାବିପତ୍ର ମାନ ଦେଇଥିଲେ। ଅନ୍ୟପକ୍ଷେ ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ମଧ୍ୟ ଆଜି ପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହୋଇପାରି ନଥିବାରୁ କେନ୍ଦ୍ର ସରକାରଙ୍କ ବିରୋଧରେ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଆଗାମୀ ସାଧାରଣ ନିର୍ବାଚନରେ ଏହାର ପ୍ରତିଶୋଧ ନେବାକୁ ମଧ୍ୟ ସ୍ଥିର କରିସାରିଥିବା ଖବର ଶୁଣିବାକୁ ମିଳୁଛି।

Leave a Reply

Your email address will not be published. Required fields are marked *