
କେସିଙ୍ଗା- ୨୯/୧ ଆମ ଦେଶର ୭୬ତମ ସାଧାରଣତନ୍ତ୍ର ଦିବସ ପ୍ୟାରେଡ଼ ସାଂସ୍କୃତିକ କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲାର ସ୍ଥାନୀୟ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନର ପ୍ରାୟ ୬୦ ଜଣ ବାଳିକା ଅଂଶ ଗ୍ରହଣ ସହ ବିଭିନ୍ନ ନୃତ୍ୟ ପରିବେଷଣ କରି ଉଚ୍ଚ ପ୍ରଶଂସିତ ହେବା ସହିତ ଗିନିଜ ବୁକ୍ ଅଫ୍ ରେକର୍ଡ ପ୍ରତିଯୋଗିତାରେ ସାମିଲ ହୋଇଛନ୍ତି। ଦିଲ୍ଲୀ ସ୍ଥିତ ଇଣ୍ଡିଆ ଗେଟ ଠାରେ ଗଣତନ୍ତ୍ର ଦିବସ ପାଳନ ଅବସରରେ ଆୟୋଜିତ ଦେଶର ସବୁଠୁ ବଡ଼ ସଂସ୍କୃତି ସମ୍ମିଶ୍ରଣ ନୃତ୍ୟରେ ପ୍ରାୟ ୫ ହଜାର କଳାକାର ମଧ୍ୟରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନର ୬୦ କଳାକାର ଡାଲଖାଇ ନୃତ୍ୟ ପରିବେଷଣ କରି ଜାତୀୟ ତଥା ଆନ୍ତର୍ଜାତୀୟ ଅତିଥି ମାନଙ୍କ ଦ୍ବାରା ଉଚ୍ଚ ପ୍ରଶଂସିତ ହେବା ସହ ଗିନିଜ ବୁକ୍ ଅଫ୍ ରେକର୍ଡ ରେ ଅନ୍ତର୍ଭୂକ୍ତ ହୋଇଛନ୍ତି। ଏଥିରେ ଭାଗ ନେଇଥିବା କଳାହାଣ୍ଡି ଜିଲ୍ଲାର କଳାକାରମାନେ ଆଜି କେସିଙ୍ଗା ରେଳ ଷ୍ଟେସନରେ ପହଞ୍ଚିବା ପରେ ବିଭିନ୍ନ ଅନୁଷ୍ଠାନ ଓ ବୁଦ୍ଧିଜୀବୀମାନେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜଣାଇବା ସହ ସ୍ୱାଗତ କରିଥିଲେ। ତାଙ୍କୁ ବାଜା ବଜାଇ ଓ ପୁଷ୍ପଗୁଚ୍ଛ ଏବଂ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିବା ସହିତ ସ୍ୱାଗତ କରାଯାଇଥିଲା। ତାଙ୍କୁ ସ୍ୱାଗତ କରିବା ପାଇଁ ଏନ ଏ ସି ଅଧ୍ୟକ୍ଷ ନୃପରାଜ ଯାଦବ, ପୂର୍ବତନ ନଗରପାଳ ରାମ କୁମାର ଜୈନ, ସମାଜସେବୀ ପ୍ରମୋଦ ଦାଶ, କେସିଙ୍ଗା ନଗର ବିଜେଡି ସଭାପତି ରମେଶ ପଟ୍ଟନାୟକ, ନଳୀନ ପଟ୍ଟନାୟକ, ପ୍ରସନ୍ନ ମହାନ୍ତି, ବି ଏସ ଏ ସଭାପତି ସୁଶାନ୍ତ ମହାପାତ୍ର, ସମ୍ପାଦକ ଅକ୍ଷୟ କୁମାର ଦାସ, କୋଷାଧ୍ୟକ ବିକ୍ରମ ବାରିକ , ଅଜୟ ଜେନା , ସୁରେଶ ମହାନନ୍ଦ, ସଂଗ୍ରାମ ବାରିକ, କୁଞ୍ଜ ସାହୁ, ଘନ ଗହୀର ଏବଂ ଅନୁଷ୍ଠାନର ବହୁ ସଭ୍ୟ/ସଭ୍ୟା ସ୍ୱାଗତ କରିଥିଲେ। ଇଣ୍ଡିଆ ଗେଟ ପେରେଡ଼ରେ ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା ପ୍ରାୟ ୫୬ ଟି ଦଳର କଳାକାର ମାନଙ୍କ ଦ୍ବାରା ପ୍ରାୟ ୪୫ ପ୍ରକାର ନୃତ୍ୟ ପରିବେଷଣ କରାଯାଇଥିଲା। ଦେଶରେ ହେଉଥିବା ଏହି ଏତେବଡ଼ ଫିଉଜନ ନୃତ୍ୟ ସମାବେଶରେ ବିଭିନ୍ନ ନୃତ୍ୟ ମଧ୍ୟରେ ପଶ୍ଚିମ ଓଡ଼ିଶାର ଡାଲଖାଇ ନୃତ୍ୟ ବି ସ୍ଥାନ ପାଇଥିଲା। ଏତେ ବଡ଼ ଫିଉଜନ ନୃତ୍ୟକୁ ଗିନିଜ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ଦେବା ପାଇଁ ଦିଲ୍ଲୀରେ ଅନୁଷ୍ଠାନର କଳାକାରଙ୍କ ଦ୍ବାରା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାରେ ଏମାନେ ରେକର୍ଡ କରି ସାର୍ଟିଫିକେଟ ହାସଲ କରିବାରେ ସକ୍ଷମ ହୋଇଥିଲେ। ଦେଶରେ ଏତେ ବଡ଼ ବିଭିନ୍ନ ନୃତ୍ୟର ମିଶ୍ରଣରେ ଭାରତୀୟ ସଂସ୍କୃତି ସମ୍ପୂର୍ଣ୍ଣ ଝଲସି ଉଠିଥିଲା। ସୂଚନା ଯୋଗ୍ୟ ଏହି କଳାକାର ମାନେ ଗତ ୧ ମାସ ହେଲା ଦିଲ୍ଲୀରେ ରହି ନୃତ୍ୟ ଅଭ୍ୟାସ କରୁଥିଲେ ବୋଲି ଅନୁଷ୍ଠାନ ପକ୍ଷରୁ ପ୍ରକାଶ।