କେସିଙ୍ଗା- କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କଶୃପଡା ପଞ୍ଚାୟତର ପୂର୍ବତନ ସରପଞ୍ଚ ମାଳତୀ ଭୋଇଙ୍କ ଗ୍ରା.ପ. କେଶ୍ ନଂ ୦୪/୨୦୨୩ ଅନୁସାରେ ଜିଲ୍ଲାପାଳ ବିନେକେଲା ୭ ନଂ ଓ୍ବାର୍ଡର ସଭ୍ୟା ଶ୍ରୀମତୀ ତପିସା ଓରଫ୍ ନୀରୁ ଛତ୍ରିଆଙ୍କୁ ଅଯୋଗ୍ୟ ଘୋଷିତ କରିଛନ୍ତି। ସୂଚନାରୁ ପ୍ରକାଶ ଯେ ଗତ ତା. ୧୦.୧୧.୨୦୨୩ ରିଖରେ କଶୃପଡା ପଞ୍ଚାୟତର ପୂର୍ବତନ ସରପଞ୍ଚ ମାଳତୀ ଭୋଇ ବିନେକେଲା ଗ୍ରାମର ୭ ନଂ ଓ୍ବାର୍ଡର ସଭ୍ୟା ଶ୍ରୀମତୀ ତପିସା ଓରଫ୍ ନୀରୁ ଛତ୍ରିଆଙ୍କ ୨ ରୁ ଅଧିକ ସନ୍ତାନ ଥିବା ନେଇ କଳାହାଣ୍ଡି ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ଜିଲ୍ଲାପାଳ ପାଓ୍ବାର ସଚିନ ପ୍ରକାଶ ଏହାର ତଦନ୍ତ ଦାୟିତ୍ୱ ପୃର୍ବତନ ବିଡ଼ିଓ ପଦ୍ମନାଭ ପୁରୋହିତଙ୍କୁ ଦେଇଥିଲେ। ପୂର୍ବତନ ବିଡ଼ିଓ ଶ୍ରୀ ପୁରୋହିତ କେସିଙ୍ଗା ଆଇସିଡିଏସ ଅଧିକାରୀଣୀ ତଥା ସିଡିପିଓ ଏବଂ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କୁ ଶ୍ରୀମତୀ ତପିସା ଓରଫ୍ ନୀରୁ ଛତ୍ରିଆଙ୍କ କେତୋଟି ସନ୍ତାନ ଥିବା ନେଇ ତଥ୍ୟ ମାଗିଥିଲେ। ସିଏଚସିର ତଥ୍ୟ ଅନୁସାରେ ତା. ୧୬.୭.୨୦୧୬, ୧୭.୩.୨୦୧୮ ଓ ୧୮.୯.୨୦୨୦ ସୁଦ୍ଧା ୩ ଜନ୍ମ ଗ୍ରହଣ କରିଥିବା ନେଇ ରିପୋର୍ଟ ପ୍ରଦାନ କରିଥିଲେ। ଏଥିସହିତ ଶ୍ରୀମତୀ ଛତ୍ରିଆ କୋର୍ଟରେ ମଧ୍ୟ ତାଙ୍କର ୩ ଟି ସନ୍ତାନ ଥିବା ନେଇ ସ୍ବୀକାର କରିଥିଲେ। ତେଣୁ ଜିଲ୍ଲାପାଳ ଓଜିପି ଆକ୍ଟ ୧୯୬୪ ର ୟୁ/ଏସ୍ ୨୫(୧)( ଭି) ଅନୁଯାୟୀ କଶୃପଡା ପଞ୍ଚାୟତର ୭ ନଂ ଓ୍ବାର୍ଡର ସଭ୍ୟା ଶ୍ରୀମତୀ ଛତ୍ରିଆଙ୍କୁ ଅଯୋଗ୍ୟ ଘୋଷିତ କରିଛନ୍ତି। ଏଥିସହିତ ଏହାର ନକରି ଜିଲ୍ଲା ପଞ୍ଚାୟତ ଅଫିସର ଓ ବିଡ଼ିଓ କେସିଙ୍ଗା, ପୂର୍ବତନ ସରପଞ୍ଚ ଓ ୭ ନଂ ଓ୍ବାର୍ଡର ସଭ୍ୟାଙ୍କ ନିକଟକୁ ପ୍ରେରଣ କରିଛନ୍ତି ।