ରାସ୍ତା କାମ ହେବାର ୬ ମାସ ନ ପୂରୁଣୁ ରାସ୍ତାବସ୍ଥା ବେହାଲ

ଭବାନୀପାଟଣା ତା: ୩/୧୦ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ଓ୍ବାର୍ଡ ନଂ ୪ ର ବିକାଶ କଲେଜ ଠାରୁ ଲିପି ସେଠ ଘର ପର୍ଯ୍ୟନ୍ତ ହୋଇଥିବା ରାସ୍ତା କାମ ଛ ମାସ ନ ପୂରୁଣୁ ରାସ୍ତାବସ୍ଥା ଶୋଚନୀୟ ହୋଇପଡ଼ିଥିବା ସେଠାକାର ବସ୍ତିବାସିନ୍ଦା ଲୋକେ ଅଭିଯୋଗ କରିଛନ୍ତି । ବସ୍ତି ବାସିନ୍ଦାଙ୍କ ଅଭିଯୋଗ ଅନୁଯାୟୀ ଗତ ଛ ମାସ ହେଲା ସେଠାକାର ସ୍ଥାନୀୟ ଠିକାଦାର ଓ୍ବାର୍ଡ ନଂ ୪ ରେ ବିକାଶ କଲେଜ ଠାରୁ ଲିପି ସେଠ ଘର ପର୍ଯ୍ୟନ୍ତ ରାସ୍ତା କାମ କରିଥିଲେ । ୨୦୨୩-୨୪ ଆର୍ଥିକ ବର୍ଷରେ ପାଖାପାଖି ୧୪ ଲକ୍ଷ ବ୍ୟୟ ଅଟକଳରେ ଏହି ରାସ୍ତା କାମ ହୋଇଥିଲା । ସେଠାରେ ରହୁଥିବା ବସ୍ତିବାସିନ୍ଦା ଓ ଗ୍ରାଉଣ୍ଡ ଜିରୋରେ ରାସ୍ତା ତିଆରି ସମୟରେ ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ ନିମ୍ନମାନର ରାସ୍ତା କାମକୁ ନେଇ ଅଞ୍ଚଳର ଜନସାଧାରଣ ଅସନ୍ତୋଷ ପ୍ରକାଶ କରିଥିଲେ । ଏହି କାର୍ଯ୍ୟରେ ବ୍ୟବହୃତ ମେଟରିଆଲକୁ ଚେକ୍ କରି ବିଭାଗୀୟ ଅଧିକାରୀ ବିଲ୍ ପାସ୍ କରିଥିଲେ କି ଆଖି ବନ୍ଦକରି ବିଲ୍ ପାସ୍ କରିଥିଲେ ତାହା ଚର୍ଚ୍ଚାର ବିଷୟ ପାଲଟିଛି । ସରକାର ଦେଉଥିବା ଜନସାଧାରଣଙ୍କ ଅର୍ଥ କୁ ଯଦି ଏପରି ଲୁଣ୍ଠନ କରାଯାଏ । ସରକାରଙ୍କ ଉନ୍ନତି ମୁଳକ କାର୍ଯ୍ୟ ବାଧାପ୍ରାପ୍ତ ହେବା ସୁନିଶ୍ଚିତ । ଏହି ରାସ୍ତା କାମରେ ହୋଇଥିବା ଦୂର୍ନୀତିକୁ ଭିଜିଲାନ୍ସ ତଦନ୍ତ କଲେ ସମସ୍ତ ତଥ୍ୟ ସାମ୍ନାକୁ ଆସିବ ବୋଲି ଜନସାଧାରଣରେ ଦାବି ହେଉଛି ।

Leave a Reply

Your email address will not be published. Required fields are marked *