କିଆପଦର ଛାତ୍ରୀଙ୍କ ଅସନ୍ତୋଷକୁ ନେଇ କାର୍ଯ୍ୟାନୁଷ୍ଠାନ ଦାବି କଲା ଦଳିତ ଆଦିବାସୀ ସଂଘ

ଭବାନୀପାଟଣା, ୦୩/୧୦ -କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ କିଆପଦରସ୍ଥିତ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ଶତାଧିକ ଛାତ୍ରୀ ଦୀର୍ଘ ୧୫ କିମି ରାସ୍ତା ପାଦରେ ଚାଲି ଚାଲି ଜିଲ୍ଲାପାଳଙ୍କୁ ଭେଟିବାକୁ ଆସିବା ଘଟଣା ଆଜକୁ ତିନି ଦିନ ବିତିଯାଇଛି। ହେଲେ ପ୍ରଶାସନ କୈାଣସି ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେଇ ନ ଥିବାରୁ ଆଜି ଦଳିତ ଆଦିବାସୀ ସଂଘ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳଙ୍କ ସହିତ ସାକ୍ଷାତ କରି ଏ ବିଷୟରେ ଅଭିଯୋଗ କରିଛନ୍ତି। ସୂଚନାରୁ ପ୍ରକାଶ ଯେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁନୀତା ଦାସ, ସହକାରୀ ଶିକ୍ଷକ ଅଜିତ ସିଂହଙ୍କ ସହିତ ପିଅନ, ରୋଷେୟାମାନେ ବିଭିନ୍ନ ପ୍ରକାର ନିର୍ଯାତନା ଦେବା ଅଭିଯୋଗରେ ଛାତ୍ରୀମାନେ ଆନ୍ଦୋଳନ ମୁହାଁ ହେବା ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିଲା। ତେବେ ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲାପାଳ ଏଥିରେ ହସ୍ତକ୍ଷେପ କରିଥିଲେ ହେଁ ତଦନ୍ତ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ଯାହାକୁ ନେଇ ଛାତ୍ରୀ, ଅଭିଭାବକ ସମେତ ଜିଲ୍ଲାର ଅନେକ ରାଜନୈତିକ, ସାମାଜିକ ତଥା ବୁଦ୍ଧିଜୀବୀ, ନାଗରିକ ସଂଗଠନ କ୍ଷୋଭ ପ୍ରକାଶ କରିଛନ୍ତି। ଏହି ମର୍ମରେ ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ ଦଳିତ ଆଦିବାସୀ ମହାସଂଘ ତରଫରୁ ଆଜି ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯିବା ସହିତ ସମ୍ପୃକ୍ତ ପ୍ରଧାନ ଶିକ୍ଷୟିତ୍ରୀ ଓ ଅନ୍ୟ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି। ବିଦ୍ୟାଳୟରେ ଆଦିବାସୀ, ଅନୁସୂଚିତ ଜାତିର ଛାତ୍ରୀମାନେ ଆବାସିକ ଭାବେ ରହି ପାଠ ପଢ଼ୁଥିବାବେଳେ ଏଭଳି ଘଟଣା ଯୋଗୁଁ ବିଦ୍ୟାଳୟରେ ଶୈକ୍ଷିକ ବାତାବରଣ ନଷ୍ଟ ହେଉଛି। ବିଦ୍ୟାଳୟ ଭଳି ପବିତ୍ର ପୀଠରେ ଶିକ୍ଷାଦାନ କରୁଥିବା କର୍ମଚାରୀଙ୍କ ଏଭଳି ଅମାନବିକ ଅତ୍ୟାଚାରକୁ ଦୃଢ଼ ନିନ୍ଦା କରାଯାଇଛି। ଉକ୍ତ ବିଦ୍ୟାଳୟରେ ପାଠ ପଢ଼ୁଥିବା ଛାତ୍ରୀଙ୍କ ଭବିଷ୍ୟତକୁ ନେଇ ଅଭିଭାବକମାନେ ଆଶଙ୍କା ପ୍ରକାଶ କରିଛନ୍ତି। ତେଣୁ ଏଭଳି ଅମାନବୀୟ କାଣ୍ଡରେ ସମ୍ପୃକ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ତଥା କର୍ମଚାରୀଙ୍କ ବିରୁଦ୍ଧରେ ତୁରନ୍ତ ଦୃଷ୍ଟାନ୍ତମୂଳକ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମହାସଂଘ ଦାବି କରିଛି। ଦଳିତ ଆଦିବାସୀ ମହାସଂଘର ସଭାପତି ତଥା ବିଶିଷ୍ଟ ଆଦିବାସୀ ନେତା ପରମାନନ୍ଦ ମାଝୀ, ମହାସଚିବ ଦେବୀ ପ୍ରସାଦ ସିନ୍ଦୁର, ସାଧାରଣ ସମ୍ପାଦକ ସୁଶୀଲ କୁମାର ବାଗଙ୍କୁ ନେଇ ଏକ ତିନିଜଣିଆ ପ୍ରତିନିଧି ଦଳ ଆଜି ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନଙ୍କୁ ସାକ୍ଷାତ କରି ଏହି ମର୍ମରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

Leave a Reply

Your email address will not be published. Required fields are marked *