କେସିଙ୍ଗା- ୨୦/୧୦ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ କଶୃପଡା ପଞ୍ଚାୟତରେ ୨୦୨୩-୨୪ ଆର୍ଥିକ ବର୍ଷ ମନେରଗା ଯୋଜନାରେ ବିନେରକେଲା ଗ୍ରାମର କେତେକ ଲୋକ କାମ କରି ପ୍ରାପ୍ୟ ପାଇନଥିବା ଅଭିଯୋଗ ହୋଇଛି। ଅଭିଯୋଗରୁ ପ୍ରକାଶ ଯେ ମନରେଗା ଯୋଜନାରେ କାମ କରିଥିବା ଲୋକେ ପ୍ରାପ୍ୟ ନପାଇବାରୁ ସେମାନେ ଗତ ଅଗଷ୍ଟ ମାସ ୧୨ ତାରିଖରେ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଆବେଦନ କରିଥିଲେ ମଧ୍ୟ ଆଜିଯାଏ ପ୍ରାପ୍ୟ ପାଇବାରୁ ବଞ୍ଚିତ ରହିଛନ୍ତି। ସୂଚନାନୁସାରେ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠ ପତ୍ର ସଂଖ୍ୟା ୧୨୦୮୨୪୦୫୮/ ତା. ୧୨.୮.୨୦୨୪ ରିଖରେ କଶୃପଡା ପଞ୍ଚାୟତର ବିନେରକେଲା ଗ୍ରାମର ଲକ୍ଷ ପରାଭୁଏ ତାଙ୍କ ଆବେଦନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ସେ ୨୦୨୩-୨୪ ଆର୍ଥିକ ବର୍ଷରେ ମନରେଗା ଯୋଜନାରେ ତାଙ୍କର ଜମି ମରାମତି ପାଇଁ ପଞ୍ଚାୟତ କାର୍ଯ୍ୟାଳୟରୁ ଆଦେଶ ପାଇଲା ପରେ କାମ କରିଥିଲେ ହେଁ ଶ୍ରମିକଙ୍କ ପାଉଣା ପାଇନଥିବାରୁ ସରପଞ୍ଚ ମାଳତୀ ଭୋଇଙ୍କୁ ପ୍ରାପ୍ୟ ପାଇଁ ନିବେଦନ କରିଥିଲେ। କିନ୍ତୁ ଶ୍ରୀମତୀ ଭୋଇ ତାଙ୍କୁ ଲାଞ୍ଚ ମାଗିଥିଲେ ଏବଂ ଲାଞ୍ଚ ଟଙ୍କା ନଦେବା ପର୍ଯ୍ୟନ୍ତ ତୁମର ପେମେଣ୍ଟ ହୋଇପାରିବନାହିଁ ବୋଲି କହିଥିଲେ। ସେହିପରି ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠ ପତ୍ର ସଂଖ୍ୟା ୧୨୦୮୨୪୦୬୨/ ତା ୧୨.୮.୨୪ ଅନୁସାରେ ବିନେରକେଲା ଗ୍ରାମର ଇଶୁ ଜାଲ ମଧ୍ୟ ୨୦୨୩-୨୪ ବର୍ଷରେ ମନରେଗା ଯୋଜନାରେ ତାଙ୍କ ଜମି ମରାମତି କାମ କରି ୨୦ ହଜାର ଟଙ୍କା ପାଇଥିଲେ ହେଁ ସେଥିମଧ୍ୟରୁ ସରପଞ୍ଚ ନିଜର ଲାଞ୍ଚ ବାବଦ ୫ ହଜାର ଓ ଜେଇଙ୍କ ବାବଦ ୨ ହଜାର ଟଙ୍କା କାଟି ରଖି ୧୩ ହଜାର ଟଙ୍କା ଦେଇଥିଲେ। ଅବଶିଷ୍ଟ ୩୦ ହଜାର ଟଙ୍କା ଦେବା ଲାଗି ପୁଣି ଆଉ ୫ ହଜାର ଟଙ୍କା ଦେଲେ ପେମେଣ୍ଟ ଦିଆଯିବ ବୋଲି ସରପଞ୍ଚ କହୁଥିବା ଶ୍ରୀ ଜାଲ ପ୍ରକାଶ କରିଛନ୍ତି । ସେହିଭଳି ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠ ପତ୍ର ସଂଖ୍ୟା ୧୨୦୮୨୪୦୪୯/୧୨.୮.୨୪ ଅନୁସାରେ ଉକ୍ତ ଗ୍ରାମର ବଳ ପରାଭୁଏ ସେହି ବର୍ଷ ମନରେଗା ଯୋଜନାରେ ତାଙ୍କ ଜମି ମରାମତି କାମ କରିଥିଲେ ହେଁ ଆଜିଯାଏଁ ଟଙ୍କା ପାଇନଥିବା ଅଭିଯୋଗ କରିଛନ୍ତି। ପ୍ରାପ୍ୟ ମାଗିବା ପାଇଁ ପଞ୍ଚାୟତକୁ ଗଲେ ସରପଞ୍ଚ ଶ୍ରୀମତୀ ଭୋଇ ପାଞ୍ଚ ହଜାର ଟଙ୍କା ମାଗୁଛନ୍ତି। ସେହିପରି ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠ ପତ୍ର ସଂଖ୍ୟା୧୨୦୮୨୪୦୫୩/୧୨.୮.୨୪ ଅନୁସାରେ ଉକ୍ତ ଗ୍ରାମର ଖଲି ପରାଭୁଏ ସେହି ବର୍ଷ ମନରେଗା ଯୋଜନାରେ ଜମି ମରାମତି କାମ କରିଥିଲେ ହେଁ ପ୍ରାପ୍ୟ ପାଇନଥିବାରୁ ସରପଞ୍ଚଙ୍କୁ କହିଲେ ସେ ୫ ହଜାର ଟଙ୍କା ମାଗିଛନ୍ତି, ନଦେଲେ ଟଙ୍କା ମିଳିବ ନାହିଁ ବୋଲି କହୁଛନ୍ତି। ପୁନଶ୍ଚ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠ ପତ୍ର ସଂଖ୍ୟା ୧୨୦୮୨୪୦୫୧/୧୨.୮.୨୪ ଅନୁସାରେ ଉକ୍ତ ଗ୍ରାମର ନାଥ ପରାଭୁଏ ସେହି ବର୍ଷ ମନରେଗା ଯୋଜନାରେ ତାଙ୍କ ଜମି ମରାମତି କରିଥିବା ବେଳେ ମାତ୍ର ୩୦ ହଜାର ଟଙ୍କା ପାଇଛନ୍ତି। କିନ୍ତୁ ଅବଶିଷ୍ଟ ୨୦ ହଜାର ଟଙ୍କା ପାଇଁ ପଞ୍ଚାୟତକୁ ସେ ଗଲେ ସରପଞ୍ଚ ଶ୍ରୀମତୀ ଭୋଇ ଲାଞ୍ଚ ଟଙ୍କା ମାଗୁଛନ୍ତି ବୋଲି ସେଅଭିଯୋଗ କରିଛନ୍ତି। ତେଣୁ ଜିଲ୍ଲାପାଳ ତଥା ଭିଜିଲାନ୍ସ ବିଭାଗ ତୁରନ୍ତ ଏହାର ବିଧିବଦ୍ଧ ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ବିଭିନ୍ନ ମହଲରୁ ଦାବି କରିଛନ୍ତି।
.