
ଭବାନୀପାଟଣା ତା. ୨୧ /୧୦ ଆଜି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ସଭା ଗୃହରେ କଳାହାଣ୍ଡି ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିରରେ ଜିଲ୍ଲାପାଳ ସଚିନ ପାଓ୍ବାର ପ୍ରକାଶ ଓ ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜି ଯୋଗଦେଇ ଲୋକଙ୍କର ଆପତ୍ତି ଅଭିଯୋଗର ଶୁଣାଣୀ କରିଥିଲେ । ଏଥିରେ ବ୍ଲକର ବିଭିନ୍ନ ଅଞ୍ଚଳରୁ ଆସିଥିବା ଲୋକମାନେ ମୋଟ ୧୨୨ ଟି ଅଭିଯୋଗ ପତ୍ର ଦାଖଲ କରିଥିଲେ । ସେଥିମଧ୍ୟରୁ ବ୍ୟକ୍ତିଗତ ସମସ୍ୟା ୬୮ ଗୋଟି ରହିଥିବା ବେଳେ ଗ୍ରାମ୍ୟ ତଥା ସାମୂହିକ ୫୩ ଟି ଅଭିଯୋଗ ରହିଥିଲା । ଶିବିରରେ ୧୦ ଗୋଟି ସମସ୍ୟାର ତୁରନ୍ତ ସମାଧାନ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଜଣଙ୍କୁ ଆର୍ଥିକ ସହାୟତା ମଞ୍ଜୁର କରାଯାଇଥିଲା । ସମସ୍ତଙ୍କର ଆପତ୍ତି ଅଭିଯୋଗର ଶୁଣାଣୀ କରି ଜିଲ୍ଲାପାଳ ଶ୍ରୀ ପ୍ରକାଶ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ସହିତ ତୁରନ୍ତ ସମସ୍ୟାର ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି ଯୁଗ୍ମ ଶୁଣାଣୀରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଦୟାମୟ ପାଢ଼ୀ, ଉପଜିଲ୍ଲାପାଳ ଭବାନୀପାଟଣା ପ୍ରଭାତ କୁମାର ପରିଡା, ସି.ଡି.ଏମ.ଓ ସୁଚେତା ପାଣି ଙ୍କ ସମେତ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ, ବ୍ଲକ ଅଧ୍ୟକ୍ଷ, ବି.ଡି.ଓ., ତହସିଲଦାର ଓ ବ୍ଲକସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ ।