ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଓ କଳା ଉତ୍ସବ ୨୦୨୪ ଅନୁଷ୍ଠିତ

ନର୍ଲା, ୨୧।୧୦(ପ୍ରଦୀପ କୁମାର ଗଉଡ): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଓ କଳା ଉତ୍ସବ-୨୦୨୪ ଆୟୋଜିତ ହୋଇଯାଇଛି। ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ତପିମଣି ଜାନୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ, ସମ୍ମାନୀତ ଅତିଥି ଏବିଇଓ ଗୋବର୍ଦ୍ଧନ ମାଝୀ, ଏବିଇଓ ସୂର୍ଯ୍ୟଦେବ ବାଗ, ଅବସରପ୍ରାପ୍ତ ଏବିଇଓ ଦ୍ରୋଣ ରଣା ପ୍ରମୁଖ ଯୋଗ ଦେଇଥିଲେ। ଏଥିରେ ବ୍ଲକ ଅନ୍ତର୍ଗତ ୧୭ କ୍ଲଷ୍ଟରର ଛାତ୍ରଛାତ୍ରୀ ‘ସୁରଭି’ ଅନ୍ତର୍ଗତ କଣ୍ଠ ସଙ୍ଗୀତ, ପ୍ରବନ୍ଧ, ବକ୍ତୃତା, ବିତର୍କ, ପିଏମ୍ ପୋଷଣ ଚିତ୍ରକଳା ଓ ଶିଳ୍ପକଳା, ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମ, କୁଇଜ୍, ଓଡ଼ିଆ ହସ୍ତାକ୍ଷର ଓ ଶୃତଲିଖନ, ଚିତ୍ରାଙ୍କନ ପ୍ରଭୃତି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ।କୃତୀ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା। ସେହିପରି କଳା ଉତ୍ସବ ଅନ୍ତର୍ଗତ ଏକକ ଓ ଦଳଗତ କଣ୍ଠ ସଂଗୀତ, ଯନ୍ତ୍ର ସଂଗୀତ, ନୃତ୍ୟ, ଅଭିନୟ, ଚାରୁକଳା, ପାରମ୍ପରିକ ଗଳ୍ପ କଥନ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କୃତୀ ଛାତ୍ରଛାତ୍ରୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଶ୍ରେଷ୍ଠ ବିବେଚିତ ଛାତ୍ରଛାତ୍ରୀ ଆଗାମୀ ଦିନରେ ଆୟୋଜିତ ହେବାକୁ ଥିବା ଜିଲ୍ଲାସ୍ତରୀୟ ଉତ୍ସବରେ ଯୋଗଦେବେ ବୋଲି ଜଣାପଡିଛି। ଏଥିରେ ଶିକ୍ଷକ ଅନିଲ ସାହୁ ମଞ୍ଚ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ଆୟୋଜନରେ ସମସ୍ତ ସିଆରସିସି ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *