
ନର୍ଲା- ୬/୧୧ ( ପ୍ରଦୀପ ଗଉଡ ) ଗତ କିଛି ବର୍ଷ ହେଲା କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅନ୍ତର୍ଗତ କର୍ମେ ଗାଁ ପଞ୍ଚାୟତର ସୁରପଦର, ଗୁଡ଼ିପଟା, ଖମପଡ଼ା ଓ ନୂଆଁପଡ଼ା ଗାଁରେ କିଡନୀ ରୋଗରେ ୧୫ ଜଣରୁ ଉର୍ଦ୍ଧ୍ବ ଲୋକ ମୃତ୍ୟୁବରଣ କଲେଣି। ବର୍ତ୍ତମାନ ମଧ୍ୟ ୩୦ ରୁ ଉର୍ଦ୍ଧ୍ୱ ଲୋକ କିଡନୀ ରୋଗରେ ଆକ୍ରାନ୍ତ ଥିବା ଅଞ୍ଚଳବାସୀ ପ୍ରକାଶ କରିଛନ୍ତି।
ଏ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ହେବା ପରେ ଗାଁକୁ ଡ଼ାକ୍ତରୀ ଦଳ ଯାଇ ପାଣିର ନମୁନା ସଂଗ୍ରହ ସହିତ ଲୋକଙ୍କୁ ଶୁଦ୍ଧ ପାନୀୟ ଜଳ ପିଇବା ପାଇଁ ପରାମର୍ଶ ଦେଇଥିଲେ। ଏଥିପାଇଁ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ତରଫରୁ ମଙ୍ଗଳବାର ଏକ ସ୍ବାସ୍ଥ୍ୟ ଶିବିରର ଆୟୋଜନ କରି ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯାଇଥିଲା। ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡକ୍ଟର ରାକେଶ ସାହୁଙ୍କ ନେତୃତ୍ୱରେ ଆୟୋଜିତ ଏହି ଶିବିରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟର ବିଶେଷଜ୍ଞ ଡାକ୍ତର ଦୀନବନ୍ଧୁ ସାହୁ ଯୋଗ ଦେଇ ରୋଗୀମାନଙ୍କ କିଡନୀ ରୋଗ, ରକ୍ତଚାପ ଓ ମଧୁମେହ ରୋଗ ପାଇଁ ରକ୍ତ ପରୀକ୍ଷା କରିବା ସହିତ ମାଗଣାରେ ବିଭିନ୍ନ ଔଷଧ ବିତରଣ କରିଥିଲେ । ଉକ୍ତ ସ୍ବାସ୍ଥ୍ୟ ଶିବିରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏପିଲୋଜିଷ୍ଟ ନିହାର ରଞ୍ଜନ ଠାକୁର୍ , ଲ୍ୟାବ୍ ଟେକ୍ନିସିଆନ ଆଲୋକ ସାହୁଙ୍କ ସହିତ ଆଶାକର୍ମୀ ଓ ଅଙ୍ଗନୱାଡ଼ି କର୍ମୀ ଯୋଗଦେଇ ଶିବିର ପରିଚାଳନା କରିଥିଲେ।