
ଭବାନୀପାଟଣା- ପୂର୍ବତନ ବିଜେଡି ସରକାର ଶାସନ ସମୟରେ ରାଜ୍ୟରେ ବିକାଶ ବିଶ୍ବରେ ଏକ ନମ୍ବର ଥିବା ନେଇ ଡିଡିମ୍ବ ପିଟୁଥିବା ବେଳେ ସାଧାରଣ ଲୋକଙ୍କ ମତରେ ଦୁର୍ନୀତି ମଧ୍ୟ ଏକ ନମ୍ବର ଥିଲା ବୋଲି ସମାଲୋଚନା କରୁଛନ୍ତି। ସୂଚନାରୁ ପ୍ରକାଶ ଯେ ମହାଲିଙ୍ଗ- ଦୀଜୋର ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ୬.୨୩୦ କିମି ରାସ୍ତା ପାଇଁ ୪୧୧.୬୩ କୋଟି ଟଙ୍କା ବ୍ୟୟରେ ୨୦୨୩ ଡିସେମ୍ବର ମାସରେ ଆରମ୍ଭ କରାଯାଇ ଚଳିତବର୍ଷ ଜୁଲାଇ ୧୨ ତାରିଖରେ ଶେଷ ହୋଇଥିବା ନେଇ ସୂଚନାଫଳକ ତଥ୍ୟରୁ ଜଣାପଡିଛି। ଏହି କାମ କଳାହାଣ୍ଡି ଜିଲ୍ଲା ଧର୍ମଗଡ ଗ୍ରାମ୍ୟ ଉନ୍ନୟନ ବିଭାଗ ତତ୍ତ୍ଵାବଧାନରେ ନିର୍ମାଣ ହୋଇଥିଲା ବେଳେ ୫ ମାସ ନପୂରୁଣୁ ରାସ୍ତା ଫାଟି ଆଁ କଲାଣି। ରାସ୍ତା କାମ ସମୟରେ ନିମ୍ନମାନର ହେଉଥିବା ନେଇ ଲୋକେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କୈାଣସି ପଦକ୍ଷେପ ନିଆଯାଇନଥିଲା। ଫଳରେ ଠିକାଦାର ଜଣକ ନିଜ ମନଇଚ୍ଛା କାମ କରିଥିବା ଯୋଗୁଁ ରାସ୍ତାରୁ କେଉଁଠି ପିଚୁ ଉଠିଲାଣି ତ ଆଉ କେଉଁଠି ଫାଟି ଗଲାଣି। ଏନେଇ ଜନୈକ ଗଣମାଧ୍ୟମ ପ୍ରତିନିଧି ସଂପୃକ୍ତ କନିଷ୍ଠ ଯନ୍ତ୍ରୀଙ୍କୁ ପଚାରିବାରୁ ଉକ୍ତ ଠିକାସଂସ୍ଥାଙ୍କୁ ଜଣାଇବେ ବୋଲି ପ୍ରକାଶ କରିଥିଲେ।