କେସିଙ୍ଗା- କେସିଙ୍ଗା ବ୍ଲକରେ ଅନାସ୍ଥା ପ୍ରସ୍ତାବ ପ୍ରସଙ୍ଗ ଏକ ହାଇଡ୍ରାମାରେ ପରିଣତ ହୋଇଛି। କହିବାର ତାତ୍ପର୍ଯ୍ୟ ହେଲା କେସିଙ୍ଗା ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କ ବିରୋଧରେ ଗତ ୧ ତାରିଖରେ ଆଲୋଚନା ସହ ଭୋଟିଂ ହେବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ଅନାସ୍ଥା ପ୍ରସ୍ତାବ ଭୋଟିଂ ଦିନ ପ୍ରିଜାଇଡିଂ ଅଫିସର ଅତିରିକ୍ତ ଉପ ଜିଲ୍ଲାପାଳ ଜୟଦେବ ଦାସ ମେଡିକାଲ କାମ ଯୋଗୁଁ ୧ ତାରିଖ ଦିନ ଅନୁପସ୍ଥିତ ରହିବାରୁ ଅନାସ୍ଥା ପ୍ରସ୍ତାବ ସପକ୍ଷବାଦୀଙ୍କ ମଧ୍ୟରେ ଘୋର ନୈରାଶ୍ୟ ଖେଳିଯାଇଥିଲା। ଏହାପରେ ୨ ତାରିଖରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଚିଠି ଅନୁସାରେ ବ୍ଲକ ଅଧ୍ୟକ୍ଷଙ୍କ ବିରୋଧରେ ଆସନ୍ତା ୧୮ ତାରିଖ ଦିନ ପ୍ରଥମେ ଆଲୋଚନା ଏବଂ ଆବଶ୍ୟକ ପଡିଲେ ଗୁପ୍ତ ଭୋଟିଂ କରାଯିବ। ଏହାପରେ ଆରମ୍ଭ ହୋଇଥିଲା ରାଜନୈତିକ ହାଇଡ୍ର୍ରାମା। କେସିଙ୍ଗା ବ୍ଲକର ୨୬ ଟି ପଞ୍ଚାୟତ ମଧ୍ୟରୁ ଅଗଷ୍ଟ ମାସରେ କଶୃପଡା ସରପଞ୍ଚଙ୍କ ବିରୋଧରେ ୯ ଜଣ ଓ୍ବାର୍ଡ ମେମ୍ବର ଅନାସ୍ଥା ପ୍ରସ୍ତାବ ଆଣି ଗତ ୪ ତାରିଖରେ ତାଙ୍କୁ ପଦଚ୍ୟୁତ କରିଛନ୍ତି। ଅପରପକ୍ଷରେ ଅଧ୍ୟକ୍ଷଙ୍କ ବିରୋଧରେ ଆଣିଥିବା ଅନାସ୍ଥା ପ୍ରସ୍ତାବ ସପକ୍ଷବାଦୀଙ୍କ ଶିବିରରେ ଯୋଗ ଦେବା ସହ ଅଜ୍ଞାତବାସରେ ରହିଥିଲେ ୧୮ ସରପଞ୍ଚ। ସରପଞ୍ଚମାନେ ଅଜ୍ଞାତବାସରେ ରହିବାରୁ ପଞ୍ଚାୟତରେ ଉନ୍ନୟନମୂଳକ କାର୍ଯ୍ୟ ଠପ୍ ହେବା ସହ ସାମାଜିକ ସୁରକ୍ଷା ହିତାଧିକାରୀଙ୍କୁ ଭତ୍ତା ପ୍ରଦାନରେ ବିଳମ୍ବ ହୋଇଥିଲା। ଏସବୁ ଅବହେଳା ଓ ବିଗତ ଦିନରେ ଦୁର୍ନୀତିମୂଳକ କାର୍ଯ୍ୟ ପ୍ରତିବାଦରେ ଆଉ ୬ ଟି ପଞ୍ଚାୟତର ଓ୍ବାର୍ଡ ମେମ୍ବରମାନେ ସରପଞ୍ଚଙ୍କ ବିରୋଧରେ ଆଣିଥିଲେ ଅନାସ୍ଥା ପ୍ରସ୍ତାବ। ଏମାନଙ୍କ ମଧ୍ୟରୁ ଉତ୍କେଳା ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଭୋଟିଂ ହୋଇଥିଲେ ମଧ୍ୟ ମାନ୍ୟବର ହାଇକୋର୍ଟଙ୍କ ଆଦେଶ ଅନୁସାରେ ପରବର୍ତ୍ତୀ ରାୟ ପର୍ଯ୍ୟନ୍ତ ଭୋଟ ଫଳାଫଳ ଘୋଷଣା ସ୍ଥଗିତ ରହିଛି। ହେଲେ ଅସମର୍ଥିତ ସୂତ୍ର ଅନୁସାରେ ଉତ୍କେଳା ସରପଞ୍ଚ ମଧ୍ୟ ଅନାସ୍ଥା ପ୍ରସ୍ତାବ ଭୋଟିଂରେ ପରାଜୟ ବରଣ କରିଥିବା ଆଲୋଚନା ହେଉଛି। ପୁନଃ ଆସନ୍ତା ୧୬ ତାରିଖରେ କୁଣ୍ଡାବନ୍ଧ ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାଇଁ ତାରିଖ ଧାର୍ଯ୍ୟ ହୋଇଥିଲା ବେଳେ ପଥର୍ଲା ସରପଞ୍ଚଙ୍କ ବିରୋଧରେ ୧୮ ତାରିଖ ଦିନ ମଧ୍ୟ ଧାର୍ଯ୍ୟ ହୋଇଥିଲା। ତେବେ ଗୋଟିଏ ଦିନରେ ବ୍ଲକ ଅଧ୍ୟକ୍ଷ ଓ ପଥର୍ଲା ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଗୃହୀତ କରିବା ପାଇଁ ଥିବାରୁ ଉପ ଜିଲ୍ଲାପାଳ, ଭବାନୀପାଟଣା ପ୍ରଭାତ କୁମାର ପରିଜା ତାଙ୍କ କାର୍ଯ୍ୟାଳୟ ଚିଠି ନଂ ୮୦୧୯ ଜିପି/ ତା ୦୨.୧୧. ୨୦୨୪ ରିଖ ଅନୁସାରେ ଆସନ୍ତା ନଭେମ୍ବର ୨୨ ତାରିଖରେ ପଥର୍ଲା ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଲାଗି ପ୍ରଥମେ ଆଲୋଚନା ହେବା ସହ ଆବଶ୍ୟକ ହେଲେ ଗୁପ୍ତ ଭୋଟିଂ କରାଯିବ ବୋଲି ଉଲ୍ଲେଖ କରିଥିଲେ। କିନ୍ତୁ କ’ଣ ଆବଶ୍ୟକ ପଡିଲା ଯେ ଉପ ଜିଲ୍ଲାପାଳ ଶ୍ରୀ ପରିଡ଼ା ତାଙ୍କ କାର୍ଯ୍ୟାଳୟ ଚିଠି ନଂ ୮୩୧୨/ ୧୧. ୧୧.୨୦୨୪ ତାରିଖ ଅନୁସାରେ ୨୨ ତାରିଖ ପରିବର୍ତ୍ତେ ୨୭ ତାରିଖ ଧାର୍ଯ୍ୟ କଲେ ତାହା ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ବିଷୟରେ ଉପ ଜିଲ୍ଲାପାଳ ଶ୍ରୀ ପରିଡ଼ାଙ୍କ ମତାମତ ନେବାକୁ ଚେଷ୍ଟା କରାଯାଇଥିଲେ ହେଁ ନିଆଯାଇପାରି ନଥିଲା।