ଏହା ପଛରେ ରହିଛି ଗୃହଭେଦୀ ବିଭୀଷଣଙ୍କ ମୁଖ୍ୟ ଭୂମିକା

କେସିଙ୍ଗା- ୨୪/୧୧ ଗତକାଲି ସ୍ଥାନୀୟ ଏନ୍ଏସି ସଭାଗୃହରେ ସହରରେ ଦେଖାଦେଇଥିବା ଟ୍ରାଫିକ୍ ସମସ୍ୟା ନେଇ ସେଠାରେ ଉପସ୍ଥିତ ଥିବା ସମସ୍ତ ସଦସ୍ୟମାନେ ଘୋର ଉଦବେଗ ପ୍ରକାଶ କରିଥିଲେ। କଥାରେ ଅଛି ସମସ୍ତେ କାନ୍ଦୁଥିଲେ ସତ, କିନ୍ତୁ କାହାରି ଆଖିରେ ନାହିଁ ଲୁହ। କହିବାର ତାତ୍ପର୍ଯ୍ୟ ହେଲା ଏହି ଟ୍ରାଫିକ୍ ସମସ୍ୟା ସଂପର୍କରେ ସ୍ଥାନୀୟ ବିଭିନ୍ନ ବେସରକାରୀ ଅନୁଷ୍ଠାନ ଓ ପ୍ରଶାସନିକ ଅଧିକାରୀଙ୍କୁ ନେଇ ବହୁବାର ବୈଠକ ଅନୁଷ୍ଠିତ ହୋଇଯାଇଛି। ବୋଧେ ଗତକାଲି ବୈଠକରେ ଯେଉଁମାନେ ଉପସ୍ଥିତ ଥିଲେ ସେମାନଙ୍କର ମନେ ନଥିବ। ଏହା ଏକ ପ୍ରହସନ ପାଲଟିଥିବା ପରି ମନେହେଉଛି। କାରଣ ବୈଠକକୁ ଆସିବା, ସେଥିରେ ଆଲୋଚନାରେ ଭାଗ ନେବା, ସମସ୍ୟାର ସମାଧାନ ପାଇଁ କିଛି ପ୍ରସ୍ତାବ ଦେବା, ଶେଷରେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରଶାସନ ପକ୍ଷରୁ ଚିରାଚରିତ ଢ଼ଙ୍ଗରେ ପ୍ରତିଶ୍ରୁତି ଆଦି ମିଳିବାର କିଛିଦିନ ପରେ ଫସର ପାଲଟିଥାଏ। ଏଭଳି ବୈଠକ ବସିବା କେସିଙ୍ଗା ସହରବାସୀଙ୍କ ପାଇଁ ନୂଆ କଥା ନୁହେଁ, ତେଣୁ ଏହା ଲୋକଙ୍କ ଦେହସୁହା ହୋଇଗଲାଣି। କିନ୍ତୁ ଗୋଟିଏ କଥା ସତ, ବୈଠକର ପରଦିନ ବିଭିନ୍ନ ଗଣମାଧ୍ୟମରେ ଟ୍ରାଫିକ୍ ସମସ୍ୟାର ଆଲୋଚନା କିମ୍ବା ପ୍ରସ୍ତାବ ବିଷୟରେ କମ୍ ଏବଂ କେଉଁମାନେ ଉପସ୍ଥିତ ଥିଲେ ସେମାନଙ୍କ ତଥ୍ୟ ଉପରେ ବେଶି ପୃଷ୍ଠା ମଣ୍ଡନ କରିଥାଏ।
ଅନ୍ୟପକ୍ଷରେ ବୈଠକରେ ଯେଉଁସବୁ ଆଲୋଚନା ଓ ପ୍ରସ୍ତାବ ଦିଆଯାଉଛି କିଛି ସ୍ବାର୍ଥନ୍ବେଷୀ ବିଭୀଷଣ ଏହାକୁ ଭଣ୍ଡୁର କରିବାରେ ଲାଗିଛନ୍ତି। ଏହି ବିଭୀଷଣଙ୍କ ମଧ୍ୟରେ କିଛି ସରକାରୀ କର୍ମଚାରୀ, କୁଜିନେତା ଓ ସାମ୍ବାଦିକ ଥିବା ମଧ୍ୟ ଆଲୋଚନା ହେଉଛି। ଉଦାହରଣ ସ୍ୱରୂପ ଗତ ୨୦୧୬ ମସିହାରେ ରାଜପଥ ସଂପ୍ରସାରଣ ପାଇଁ ବେଆଇନ ଜବରଦଖଲକାଳୀଙ୍କୁ ଉଚ୍ଛେଦ ପାଇଁ ମାନ୍ୟବର ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏଠାରୁ ଜବରଦଖଲକାରୀଙ୍କୁ ଉଛେଦ କରିବା ସହିତ ଏନ୍ଏସି ଅଧୀନରେ ଥିବା କେତେକ ସରକାରୀ ଜାଗାରୁ ଯେପରିକି ଚେତାବନୀ ସାହିତ୍ୟ ସଂସଦ ଭବନକୁ ଲାଗି ରହିଥିବା ଯାଗାକୁ ଉଚ୍ଛେଦ କରିବା ପାଇଁ ତତ୍କାଳୀନ ନିର୍ବାହୀ ଅଧିକାରୀ ଦୀପଙ୍କର ବିଶ୍ବାସ ବ୍ୟାପକ ବ୍ୟବସ୍ଥା କରିଥିଲେ। କିନ୍ତୁ ଏହି ଗୃହଭେଦୀ ବିଭୀଷଣମାନେ ଏ ବିଷୟରେ ଜଣାନଥିବା ଉକ୍ତ ବ୍ୟକ୍ତିଙ୍କ ଠାରୁ କିଛି ଲାଞ୍ଚ ନେଇ ଗୋଟିଏ ରାତିରେ ମାନ୍ୟବର ହାଇକୋର୍ଟରୁ ରହିତାଦେଶ ଆଣି ସେହି ଯାଗା ଉଚ୍ଛେଦ ହେବାରୁ ରକ୍ଷା ପାଇଥଲା। ଉକ୍ତ ଯାଗାକୁ ବେଆଇନ ଜବରଦଖଲ କରିଥିବା ବ୍ୟକ୍ତି ତା’ର ମା ଭୂମିହୀନ ଦର୍ଶାଇ ମାନ୍ୟବର ହାଇକୋର୍ଟର ରହିତାଦେଶ ଆଣି ସେଠାରେ ଗୃହ ନିର୍ମାଣ ନକରି ବର୍ତ୍ତମାନ ବୋରିଙ୍ଗପଦର ଠାରେ ବିଶାଳକାୟ ୩ ମହଲା କୋଠା ନିର୍ମାଣ କରି ବସବାସ କରୁଛନ୍ତି। ଏହିପରି ଏହି ଗୃହଭେଦୀ ବିଭୀଷଣ ମାନଙ୍କ ଯୋଗୁଁ ସହରରେ ଟ୍ରାଫିକ୍ ସମସ୍ୟାର ସମାଧାନ ହୋଇପାରୁନି ବୋଲି ସାଧାରଣ ଜନତାଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ହୋଇଛି।