
କେସିଙ୍ଗା- ୧୫/୧୧ କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହର ଏକ ବ୍ୟସ୍ତବହୁଳ ସହର ହୋଇଥିଲା ବେଳେ ସହର ମଧ୍ୟରେ ଟ୍ରାଫିକ୍ ସମସ୍ୟା ଗୁରୁତର ରୂପ ଧାରଣ କରିଛି । ଏନେଇ ସ୍ଥାନୀୟ ପ୍ରଶାସନ ବହୁଥର ବିଭିନ୍ନ ବେସରକାରୀ ଅନୁଷ୍ଠାନଗୁଡିକ ସହିତ ବୈଠକ କରି ଏହାର ସମାଧାନ ପାଇଁ ମତାମତ ଲୋଡିଛି। କିନ୍ତୁ ଏଯାଏଁ ଏହାର ସ୍ଥାୟୀ ସମାଧାନ ହୋଇପାରୁନାହିଁ। ଏହାର ମୁଖ୍ୟ କାରଣ ହେଲା, ଯାହା ବି ନିଷ୍କତ୍ତି ନିଆଯାଉଛି ପ୍ରଶାସନ ତାହା କାର୍ଯ୍ୟକାରୀ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରୁଛି। ଯେପରିକି ଏକ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା ସହରର ବାହାର ଦୁଇ ପାର୍ଶ୍ୱରେ ନୋ ଏଣ୍ଟ୍ରି ପଏଣ୍ଟ କରାଯାଇ ସକାଳ ୮ ଠାରୁ ୧୨ ଟା ଯାଏ ଏବଂ ଅପରାହ୍ନ ୪ ଠାରୁ ରାତି ୮ ଯାଏଁ ଭବାନୀପାଟଣା ପଟୁ ଜୋଲକ ବ୍ରିଜ୍ ପର ଠାରୁ ଏପଟେ ଅମାଠ ପାଖରେ କେବଳ ବସ୍, ମଣ୍ଡିକୁ ଯାଉଥିବା ଧାନ ଓ କପା ଗାଡ଼ିକୁ ସହର ଭିତରକୁ ଛାଡିବା ବ୍ୟତିତ ବାହାରରୁ ଆସୁଥିବା ବଡ ବଡ ଯାନବାହାନଗୁଡିକ ବନ୍ଦ ରଖାଯିବ । କିନ୍ତୁ ପରିତାପର ବିଷୟ ଏହା କିଛିଦିନ କାର୍ଯ୍ୟକାରୀ ହେଲା ପରେ ଏବେ ଜୋଲକ ଛକରୁ ନେଇ ବୋରିଆ ଗାଁ ପାଖରେ ବଡ ବଡ ଯାନବାହାନଗୁଡିକୁ ପାର୍କିଂ କରି ରଖାଯାଉଛି । ଯାହାକି ଏହା ଜାତୀୟ ରାଜପଥ ପ୍ରାଧିକରଣ ନିୟମକୁ ବିରୁଦ୍ଧାଚରଣ କରୁଥିବା ବେଳେ ବୋରିଆ ଗ୍ରାମ ନିକଟ ୨୬ ନମ୍ବର ଜାତୀୟ ରାଜପଥର ଦୁଇ ପାର୍ଶ୍ୱରେ ଛୋଟିଆ ସହର ଗଢିଉଠିଛି। ଏଠାରେ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସହ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ଓ ଅଙ୍ଗନୱାଡି କେନ୍ଦ୍ର ରହିଛି। ଗତ ଶନିବାର ନୋ ଏଣ୍ଟ୍ରି ପଏଣ୍ଟରେ ପାର୍କିଂ ହୋଇରହିଥିବା ଏକ ଗାଡ଼ିର ପଛ ପଟରେ ଜଣେ ବାଇକ୍ ଆରୋହୀ ବାଡେଇ ହୋଇ ଗତକାଲି ମୃତ୍ୟୁବରଣ କରିଛି। ଅନ୍ୟପକ୍ଷରେ ସହର ମଧ୍ୟରେ ଯାଇଥିବା ଜାତୀୟ ରାଜପଥ ଦୁଇ ପାର୍ଶ୍ୱରୁ ବେଆଇନ ଅବରୋଧ ଉଚ୍ଛେଦ ପାଇଁ ମାନ୍ୟବର ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ହେଁ ତାହା ଆଜିଯାଏ ଠିକ୍ ଭାବରେ କାର୍ଯ୍ୟକାରୀ ହୋଇପାରୁନାହିଁ। ସହର ମଧ୍ୟରେ ଯାଇଥିବା ଜାତୀୟ ରାଜପଥ ବେଆଇନ ଜବରଦଖଲ କରାଯାଇ ନିର୍ମାଣ କାମ ହୋଇଥିଲେ ମଧ୍ୟ ପ୍ରଶାସନ ଚୁପ୍ ରହିଛି। ସହର ମଧ୍ୟରେ ଯାନବାହାନ ଚଳାଚଳ ସମୟରେ ଗତି ନିୟନ୍ତ୍ରଣ କରାଯାଉନାହିଁ କି ସ୍ପିଡ୍ କଣ୍ଟ୍ରୋଲର ( ବ୍ରେକର୍ ) ଲଗାଯାଉନାହିଁ। ଟ୍ରାଫିକ୍ ସମସ୍ୟା ଦୂରୀକରଣ ପାଇଁ ପ୍ରଶାସନ ପ୍ରକୃତ ବିଷୟରେ ଧ୍ୟାନ ନଦେଇ କେବଳ ଅନ୍ଧାରରେ ବାଡି ବୁଲାଉଛି ବୋଲି ସାଧାରଣରେ ଆଲୋଚନା ହେଉଛି। ଏଥିପ୍ରତି ଜିଲ୍ଲା ପ୍ରଶାସନ ତଥା ସ୍ଥାନୀୟ ପ୍ରଶାସନ ଦୃଷ୍ଟି ଦେବାକୁ ବିଭିନ୍ନ ମହଲରେ ମଚ ପ୍ରକାଶ ପାଉଛି।