
କେସିଙ୍ଗା,୨୭|୧୧( ତୁମେଶ୍ୱର ସାହୁ) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ବନଖଣ୍ଡ ଅଞ୍ଚଳରେ ବାର୍ହା ଶିକାର କରି ମାଂସ ଭାଗବଣ୍ଟା ଚାଲିଥିବା ସମଯରେ ବନ ବିଭାଗ ଚଢ଼ଉ କରି ୩ ଜଣ ଶିକାରୀଙ୍କୁ ଗିରଫ କରିଛି। ସେମାନ ଙ୍କଠାରୁ ପ୍ରାୟ ୧ କ୍ୱିଣ୍ଟାଲ ବାର୍ହା ମାଂସ ଓ ୨ଟି ବାଇକ ଜବତ କରାଯାଇଛ। ବିଭାଗୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, କେସିଙ୍ଗା ବଜ୍ରଗଡ଼ ଜଙ୍ଗଲ ଭିତରେ ଥିବା ସିଂଝରନ-ଟାପରଙ୍ଗ ରାସ୍ତାରେ ବାର୍ହା ମାରି ମାଂସ ଭାଗବଣ୍ଟା କରାଯାଉଥିବା ନେଇ ବିଶେଷ ସୂତ୍ରରୁ ଖବର ମିଳିବା ପରେ ଅତିରିକ୍ତ ବନ ସଂରକ୍ଷକ ପ୍ରଭାତୀ ସେଠଙ୍କ ନେତୃତ୍ବରେ ବନ ବିଭାଗର ଏକ ଟିମ୍ ଚଢାଉ କରିଥିଲେ। ଘଟଣାସ୍ଥଳରୁ ପାଖାପାଖ୍ ୧ କ୍ୱିଣ୍ଟାଲ ବାରହା ମାଂସ ଜବତ କରାଯାଇଛି। ଘଟଣାସ୍ଥଳରେ ୩ ଜଣ ଶିକାରୀଙ୍କୁ କାବୁ କରାଯାଇଥିଲା। ଧରାପଡ଼ିଥିବା ଶିକାରୀମାନେ ହେଲେ ସିଂଝରନ ଗାଁର ଉମାକାନ୍ତ ମାଝୀ, ଶ୍ରୀଧର ମାଝୀ ଓ ପଲସାପଡ଼ା ଗାଁର ବେଣୁ ମାଝୀ। ଏମାନଙ୍କ ପାଖରୁ ୨ଟି ବାଇକ୍ ମଧ୍ୟ ଜବତ କରାଯାଇଛି। ଜବତ ବାରାହା ମାଂସକୁ କେସିଙ୍ଗା ପ୍ରାଣୀ ଚିକିତ୍ସାଳୟକୁ ନେଇ ବ୍ୟବଚ୍ଛେଦ କରାଯାଇଥିବା ପ୍ରାଣୀ ଚିକିତ୍ସା ଅଧିକାରୀ ଆଭାମଞ୍ଜରୀ ନାଏକ ପ୍ରକାଶ କରିଛନ୍ତି। ଏହି ଘଟଣାରେ ବନ ବିଭାଗର ଫରେଷ୍ଟର ଯଶୋବନ୍ତ ନାଏକଙ୍କ ସମେତ ବହୁ କର୍ମଚାରୀ ସହଯୋଗ କରିଥିଲେ।